ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ମେନିଫେଷ୍ଟୋ ଜାରି କଲା ଏବିଭିପି ମୌଳିକ ସମସ୍ୟାର ସମାଧାନ ସହ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ସେବା ଯୋଗାଣକୁ ଗୁରୁତ୍ୱ
କୋରାପୁଟ ଜ଼ିଲ୍ଲା ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ମେନିଫେଷ୍ଟୋ ବା ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି।ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ସଭାପତି ପ୍ରାର୍ଥୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଇସ୍ତାହାର ସମ୍ପର୍କରେ ସୂଚନା ଦେଇଥିଲେ । ବିଶ୍ୱବିଦ୍ୟାଳୟର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ସହ ଛାତ୍ରଛାତ୍ରୀଙ୍କ ଯାତାୟାତ ସୁବିଧା ପାଇଁ ବସ୍ ସେବା ଯୋଗାଇଦେବା ଏବିଭିପିର ମୁଖ୍ୟ ପ୍ରାଥମିକତା ରହିବ ବୋଲି ସେ କହିଥିଲେ।ନିର୍ବାଚନରେ କୌଣସି ରାଜନୈତିକ ନେତାଙ୍କଠାରୁ ସହାୟତା ନେଇନଥିବା ଦାବି କରି ଜ୍ୟୋତି ରଞ୍ଜନ କହିଥିଲେ, “ଆମେ ରାଜନୀତି କରୁନାହୁଁ, ରାଷ୍ଟ୍ରନୀତି କରୁଛୁ।” ଅନ୍ୟ ଛାତ୍ର ସଂଗଠନଗୁଡ଼ିକୁ ରାଜନୈତିକ ନେତାମାନେ ସମର୍ଥନ କରୁଥିବା ନେଇ ସେ ମତ ରଖିଥିଲେ।ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟ ଛାତ୍ର ସଂଗଠନ ଗୁଡ଼ିକୁ ଏବିଭିପି ସ୍ୱାଗତ କରୁଥିବା ସେ କହିଥିଲେ।ଛାତ୍ର ସଂସଦ ନିର୍ବାଚନ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ହେବା ଆବଶ୍ୟକ ଏବଂ ଏହାର ଉଲ୍ଲଂଘନ ହେବା ଉଚିତ ନୁହେଁ ବୋଲି ସେ ମତ ଦେଇଥିଲେ। ପ୍ରଥମେ ଏବିଭିପି ପକ୍ଷରୁ ପ୍ରଚାର କରିବାକୁ ଯୋଜନା ନଥିଲେ ମଧ୍ୟ ଅନ୍ୟ ଛାତ୍ର ସଂଗଠନ ପ୍ରଚାର ଆରମ୍ଭ କରିବା ପରେ ସେମାନେ ପ୍ରଚାର କରିବାକୁ ବାଧ୍ୟ ହୋଇଥିବା ସେ କହିଥିଲେ। ଏହି ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ସମର୍ଥନ ଏବିଭିପି ସହ ରହିଥିବା ଦାବି କରିବା ସହ ସମସ୍ତ ପ୍ରାର୍ଥୀ ବିଜୟୀ ହେବେ ବୋଲି ଆଶା ପ୍ରକାଶ କରିଥିଲେ।ସାମ୍ବାଦିକ ସମ୍ମିଳନୀରେ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା। ସଭାପତି ପଦ ପାଇଁ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ଉପସଭାପତି ପଦ ପାଇଁ ଦିନେଶ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପଦ ପାଇଁ ପି. ହୋମେଶ୍ୱରୀ ଏବଂ ସହକାରୀ ସାଧାରଣ ସମ୍ପାଦକ ପଦ ପାଇଁ ପର୍ଶୁରାମ ଗୋଲାରୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।ସେହିପରି କ୍ରୀଡ଼ା ସମ୍ପାଦକ ପଦ ପାଇଁ ଆଶୁତୋଷ ମହାନ୍ତି, ନାଟ୍ୟ ସମ୍ପାଦକ ପଦ ପାଇଁ ପୋଲକ ପଟ୍ଟନାୟକ, ବିଜ୍ଞାନ ସମ୍ପାଦକ ପଦ ପାଇଁ ଅମ୍ବିକା ପିଲେଣ୍ଟି, ଦିବାଛାତ୍ର ସଂଘ ସମ୍ପାଦକ ପଦ ପାଇଁ ଶୁଭମ ନାୟକ ଏବଂ ଛାତ୍ରୀ ସାଧାରଣ କକ୍ଷ ସମ୍ପାଦିକା ପଦ ପାଇଁ ଲିସା ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l
