ଗଜପତି ଜିଲ୍ଲାରେ ତୃତୀୟ ଜାତୀୟ ଲୋକ ଅଦାଲତ: ୨୭୮୨ଟି ମାମଲାର ଫଇସଲା:: ୪୪ ଲକ୍ଷ ୩୪ ହଜାର ୩୮୪ ଟଙ୍କା ଆଦାୟ ..
ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (ଓଏସଏଲଏସଏ) କଟକ’ଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ( ଡିଏଲଏସଏ) ପକ୍ଷରୁ ଜିଲ୍ଲାକୋର୍ଟ ର ବିଭିନ୍ନ ଅଦାଲତରେ ଆଜି ତୃତୀୟ ଜାତୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସେହିଭଳି ଜିଲ୍ଲାର ଆର.ଉଦୟଗିରି ଓ ମୋହନା ସିଭିଲ କୋର୍ଟ ପରିସର ସମେତ କାଶୀନଗର ସ୍ଥିତ ଗ୍ରାମ ନ୍ୟାୟାଳୟରେ ମଧ୍ୟ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଲୋକ ଅଦାଲତ କାର୍ଯ୍ୟକ୍ରମରେ ବିଭିନ୍ନ ଅଦାଲତରେ ବିଚାରାଧୀନ ମାମଲା ସହିତ ବ୍ୟାଙ୍କ, ଟି:ପି:ଏସ:ଓ:ଡି:ଏଲ ଗଜପତି ଓ ଅନ୍ୟାନ୍ୟ ବିଭାଗ/ସଂସ୍ଥା ସମ୍ବନ୍ଧୀୟ ପ୍ରାକ୍-ମାମଲା (ପ୍ରି-ଲିଟିଗେଶନ) ମାମଲା ମଧ୍ୟ ଆପୋଷ ସମାଧାନ ପାଇଁ ଗ୍ରହଣ କରାଯାଇଥିଲା।
ଏହି ଲୋକ ଅଦାଲତରେ ମୋଟ ୩୭୪୦ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୭୮୨ଟି ମାମଲାର ଫଇସଲା କରାଯାଇଥିଲା। ବିଭିନ୍ନ ମାମଲାରେ ମୋଟ ୪୪,୩୪,୩୮୪ ଟଙ୍କାର ସମାଧାନ ରାଶି ଆଦାୟ/ନିଷ୍ପତ୍ତି କରାଯାଇଥିଲା।
ଜିଲ୍ଲା ଜଜ୍-ତଥା- ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।
ପରିବାର ଅଦାଲତର ବିଚାରପତି ଡଃ ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ହରପ୍ରସାଦ ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀମତୀ ସ୍ୱପ୍ନାଶ୍ରୀ ନାୟକ, ସିଭିଲ ଜଜ୍ (ସିନିୟର ଡିଭିଜନ) ଶ୍ରୀ ସୁଦାମ ଦାଶ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀ ସତ୍ୟବ୍ରତ ରଣା, ମହିଳା ଅଦାଲତର ସିଭିଲ ଜଜ୍ (ସିନିୟର ଡିଭିଜନ) ଶ୍ରୀମତୀ ରଶ୍ମିତା ସାହୁ, ଜେ:ଏମ:ଏସ:ସି ସୁଶ୍ରୀ ଅଭିପସା ମହାକୁଡ, ଆର.ଉଦୟଗିରିର ସିଭିଲ ଜଜ୍ (ସିନିୟର ଡିଭିଜନ) ସୁଶ୍ରୀ ସୌଦାମିନୀ ବିଶ୍ୱାଳ, ଜେ:ଏମ:ଏଫସି ଶ୍ରୀ ସୁବଙ୍କର ମହାନ୍ତି, ମୋହନା ଜେ:ଏମ:ଏଫ୍:ସି ଶ୍ରୀ ବିକାଶ କିରଣ ମିଶ୍ର ଏବଂ କାଶୀନଗର ଗ୍ରାମ ନ୍ୟାୟାଧିକାରୀ ଶ୍ରୀ ସତ୍ୟଜିତ ପାଣି ନିଜ ନିଜ ଅଦାଲତରେ ଲୋକ ଅଦାଲତ ପରିଚାଳନା କରିଥିଲେ।
, ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ’ଙ୍କ ସମନ୍ୱୟରେ ଅନୁଷ୍ଠିତ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ପ୍ୟାନେଲ ଓକିଲ, ପାରା-ଲିଗାଲ ଭଲ୍ୟୁଣ୍ଟିୟର, ବ୍ୟାଙ୍କ, ଟି:ପି:ଏସ:ଓ:ଡି:ଏଲ, ଆର:ଟି:ଓ ଏବଂ ବିଭିନ୍ନ ଅଂଶୀଦାର ସଂସ୍ଥାର ପ୍ରତିନିଧିମାନେ ସକ୍ରିୟ ଭାବେ ଯୋଗ ଦେଇଥିଲେ। ଲୋକ ଅଦାଲତ ମାଧ୍ୟମରେ ମାମଲା ଗୁଡ଼ିକର ଶୀଘ୍ର, ସୁଲଭ ଓ ଆପୋଷ ସମାଧାନ ହୋଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସେବା ପ୍ରତି ଆସ୍ଥା ଆହୁରି ବୃଦ୍ଧି ପାଇଛି।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
————————————–
