September 12, 2026

ଜଗନ୍ନାଥଙ୍କ ଜୟଜୟକାର, ଶଙ୍ଖନାଦ ଓ ହରିବୋଲରେ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ

IMG-20260912-WA0092
Share

ପାରଳାଖେମୁଣ୍ଡି, ୧୨ ସେପ୍ଟେମ୍ବର: ପାରଳାଖେମୁଣ୍ଡିରେ ନୂତନ ଭାବେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରବନ୍ଧ ଆଜି ମନ୍ଦିର ପରିସରରେ ପହଞ୍ଚିଛି। ଏହି ଅବସରରେ ଜଗନ୍ନାଥଙ୍କ ଜୟଜୟକାର, ଶଙ୍ଖନାଦ, ହରିବୋଲ ଓ କୀର୍ତ୍ତନରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।

ସୁଦୂର ହରିୟାଣାରୁ ଆବଶ୍ୟକ ସାମଗ୍ରୀ ଅଣାଯାଇ କଟକରେ ନିର୍ମାଣ କରାଯାଇଥିବା ଏହି ଚାରି ଦ୍ୱାରବନ୍ଧକୁ ଜିଲ୍ଲାର ପ୍ରବେଶପଥ ଲାବଣ୍ୟଗଡ଼ଠାରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ସମେତ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଭବ୍ୟ ସ୍ୱାଗତ କରିଥିଲେ। ବାଜାବାଜଣା, କୀର୍ତ୍ତନ, ପୂଜାର୍ଚ୍ଚନା ଓ ବନ୍ଦାପନା ମଧ୍ୟରେ ଦ୍ୱାରବନ୍ଧଗୁଡ଼ିକୁ ମନ୍ଦିର ପରିସରକୁ ନିଆଯାଇଥିଲା।

ଦ୍ୱାରବନ୍ଧଗୁଡ଼ିକର ଯାତ୍ରାପଥରେ ଗାରାବନ୍ଧ, ଗୋଷାଣୀ, ଗୁରାଣ୍ଡି, ଜୟପୁର, ସାତମାଇଲ ସମେତ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ବନ୍ଦାପନା କରି ଭକ୍ତିଭାବରେ ସ୍ୱାଗତ କରିଥିଲେ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନେକ କୀର୍ତ୍ତି ଓ ଐତିହ୍ୟ ସହ ଜଡ଼ିତ ପାରଳାଖେମୁଣ୍ଡିର ଏହି ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ରୂପରେ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଜାରି ରହିଛି। ମନ୍ଦିରର ସମ୍ପୂର୍ଣ୍ଣ ରୂପରେଖା କେବେ ସାକାର ହେବ, ତାହାକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଛନ୍ତି।

ସୂଚନାନୁସାରେ, ଏହି ଚାରିଟି ଦ୍ୱାରବନ୍ଧର ନିର୍ମାଣ ଓ ସ୍ଥାପନା ପାଇଁ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏଥିପାଇଁ ବିଧାୟକ ରୁପେଶ ପାଣିଗ୍ରାହୀ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ, ମନ୍ଦିର ନିର୍ମାଣ ଦାୟିତ୍ୱ ନେଇଥିବା ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ନେତୃତ୍ୱରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟ ଜାରି ରହିଛି।