କୋରାପୁଟରେ ୧୭ ବର୍ଷରୁ କମ୍ ବାଳକ ବର୍ଗ ରାଜ୍ୟସ୍ତରୀୟ ଫୁଟବଲ୍ ଚାମ୍ପିୟନସିପ୍ ଉଦ୍ଯାପିତ ବିଜେତା ଖେଳାଳିଙ୍କୁ ପୁରସ୍କୃତ କଲେ ଜିଲ୍ଲାପାଳ

କୋରାପୁଟ, ୧୧ ଅକ୍ଟୋବର: କୋରାପୁଟସ୍ଥିତ କ୍ରୀଡ଼ା କମ୍ପ୍ଲେକ୍ସ ପରିସରରେ ଆୟୋଜିତ ୧୭ ବର୍ଷରୁ କମ୍ ବାଳକ ବର୍ଗର ରାଜ୍ୟସ୍ତରୀୟ ଫୁଟବଲ୍ ଚାମ୍ପିୟନସିପ୍ର ଉଦ୍ଯାପନୀ ସମାରୋହ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ଉଦ୍ଯାପନୀ ସମାରୋହରେ କୋରାପୁଟ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଖେଳାଳିମାନେ ନିଜର ପ୍ରତିଭା, ଶୃଙ୍ଖଳା ଓ ନିଷ୍ଠା ବଳରେ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ସହ ଜିଲ୍ଲା ଓ ରାଜ୍ୟର ଗୌରବ ବୃଦ୍ଧି କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହା ସହିତ ଚାମ୍ପିୟନସିପ୍ରେ ସଫଳତା ହାସଲ କରିଥିବା ବିଜେତା ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ।
ଏହି ସମାରୋହରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସହକାରୀ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରସାଦ ପରିଡ଼ାଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଯୁବ ଫୁଟବଲ୍ ଖେଳାଳିଙ୍କ ପ୍ରତିଭା ପ୍ରଦର୍ଶନ ଓ କ୍ରୀଡ଼ା ମନୋଭାବର ବିକାଶ ପାଇଁ ଏକ ଉତ୍ତମ ମଞ୍ଚ ସାଜିଥିଲା। ଉଦ୍ଯାପନୀ ସମାରୋହ ସହ ଚାମ୍ପିୟନସିପ୍ର ପରିସମାପ୍ତି ଘଟିଥିଲା।
( ଗୁପ୍ତେଶ୍ୱର ରଥ, କୋରାପୁଟ)
