October 11, 2026

ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ

IMG-20261011-WA0042
Share

 

ଜଣେ ପ୍ରାର୍ଥୀଙ୍କ ପ୍ରତ୍ୟାହାର ପରେ ୯ଟି ପଦବୀ ପାଇଁ ୨୧ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ

ସଭାପତି ଓ ସମ୍ପାଦକ ପଦବୀ ଉପରେ ସମସ୍ତଙ୍କ ନଜର

 

ହାଟଡିହି ତା ୧୧/୧୦(ମନମୋହନ ନାୟକ) : ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ଓ ଛାତ୍ର ମହଲରେ ଉତ୍ସାହ ବୃଦ୍ଧି ପାଇଛି। ନିର୍ବାଚନ ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ପଦପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା ସ୍ପଷ୍ଟ ହୋଇଛି। ବିଶେଷକରି ସଭାପତି ଓ ସମ୍ପାଦକ ପଦବୀକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକ ଚର୍ଚ୍ଚା ହେଉଥିବା ବେଳେ ନିର୍ବାଚନୀ ମାହୋଲ ଧୀରେ ଧୀରେ ସରଗରମ ହେବାରେ ଲାଗିଛି। ପ୍ରକାଶିତ ସୂଚନା ଅନୁଯାୟୀ, ମୋଟ ୨୮ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ଜଣେ ପ୍ରାର୍ଥୀ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବା ପରେ ୨୭ ଜଣ ପ୍ରାର୍ଥୀ ନିର୍ବାଚନୀ ପ୍ରକ୍ରିୟାରେ ରହିଛନ୍ତି। ଅନ୍ୟପକ୍ଷରେ, ୬ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇସାରିଥିବାରୁ ଅବଶିଷ୍ଟ ୯ଟି ପଦବୀ ପାଇଁ ୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ। ଏହି ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ସଭାପତି ଓ ସମ୍ପାଦକ ପଦବୀ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ସଭାପତି ପଦ ପାଇଁ ବୈଶାଖୀ ସାହୁ, ସ୍ୱାଧୀନ କୁମାର ସାହୁ ଓ ସତ୍ୟପ୍ରକାଶ ବାରିକଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ସେହିପରି ଉପସଭାପତି ପଦ ପାଇଁ ଶିବଶଙ୍କର ନାୟକ, ପୂଜାରାଣୀ ଓଝା ଓ ବିଭୂତି ଭୂଷଣ ଭୂୟାଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମ୍ପାଦକ ପଦବୀ ପାଇଁ ରାଜଲକ୍ଷ୍ମୀ ବିଶ୍ୱାଳ, ମନୋଜ ବାରିକ ଓ ପ୍ରଭାତୀ ଦାସଙ୍କ ମଧ୍ୟରେ ଲଢ଼େଇ ହେଉଥିବା ବେଳେ ସହସମ୍ପାଦକ ପଦ ପାଇଁ ଜ୍ୟୋତିରଞ୍ଜନ ପହି, ଅଂଶୁମାନ ରାଉତ ଓ ଆରତୀ ସାହୁ ନିଜ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

ଏହାବ୍ୟତୀତ ଆଥଲେଟିକ୍‌ ସମ୍ପାଦକ ପଦ ପାଇଁ ସ୍ମୃତିରେଖା ସା, ଭକ୍ତବନ୍ଧୁ ସାହୁ ଓ ରୂପଲେଖା ପହି ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ଡ୍ରାମାଟିକ୍‌ ସମ୍ପାଦକ ପଦ ପାଇଁ ମଧୁସ୍ମିତା ଖଟୁଆ ଓ ଦେବାଶିଷ ବିଶ୍ୱାଳଙ୍କ ମଧ୍ୟରେ ଲଢ଼େଇ ହେଉଥିବା ବେଳେ ଡ୍ରାମାଟିକ୍‌ ସହକାରୀ ସମ୍ପାଦକ ପଦ ପାଇଁ ସଚିନ୍ଦ୍ର ଜେନା ଓ ସାଇ ସଂଗ୍ରାମ ଜେନା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କୁ ନେଇ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। କେତେକ ପ୍ରାର୍ଥୀ ଗାଁ ଗାଁ ବୁଲି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ କରୁଥିବା ବେଳେ ଅନ୍ୟ କେତେକ ସୋସିଆଲ ମିଡିଆକୁ ପ୍ରଚାରର ମାଧ୍ୟମ ଭାବେ ଆପଣାଇଛନ୍ତି। ନିଜ ସପକ୍ଷରେ ଅଧିକ ଭୋଟ ହାସଲ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ରଣନୀତି ଆପଣାଉଥିବା ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ, ଏହି ଛାତ୍ର ସଂସଦ ନିର୍ବାଚନରେ ବିଜେପି, ବିଜେଡି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳର ପରୋକ୍ଷ ପ୍ରଭାବ ରହିଥିବା ନେଇ ଚର୍ଚ୍ଚା ହେଉଛି। ପଞ୍ଚାୟତ ସ୍ତରର କେତେକ ନେତା ନିଜ ନିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ରଖି ନିଜ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରୁଥିବା ଆଲୋଚନା ହେଉଛି। ଫଳରେ ମହାବିଦ୍ୟାଳୟର ଏହି ନିର୍ବାଚନ କେବଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ ନରହି ବ୍ୟାପକ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଶେଷରେ କେଉଁ ପ୍ରାର୍ଥୀ ଛାତ୍ରଛାତ୍ରୀଙ୍କ ଅଧିକ ସମର୍ଥନ ହାସଲ କରିବେ ଏବଂ କେଉଁମାନେ ବିଜୟୀ ହେବେ, ତାହା ନିର୍ବାଚନ ଫଳାଫଳ ପ୍ରକାଶ ପରେ ସ୍ପଷ୍ଟ ହେବ। ବର୍ତ୍ତମାନ ସମସ୍ତଙ୍କ ନଜର ସଭାପତି ଓ ସମ୍ପାଦକ ପଦବୀର ଫଳାଫଳ ଉପରେ ରହିଛି।