ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ଉଦଘାଟିତ,ଶିଶୁ ହସିଲେ ଦେଶ ହସିବ

ବୋଲଗଡ,୧୧/୧୦(ଉପାନ୍ତ ଖବର): ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ପିଚୁକୁଳି ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବର ସଭାପତି ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁଙ୍କ ସଭାପତିତ୍ୱରେ ଓ ଅସରଳା ହରିହର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କ୍ଷେତ୍ର ମୋହନ ରଣାଙ୍କ ଆବାହକତ୍ୱରେ ଶନିବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ବୋଲଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ର ଓ ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ସହ ଗୋଷ୍ଠି ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରା, ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ବେହେରା, ପ୍ରାକ୍ତନ ସରପଞ୍ଚ ଫକୀର ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଫୁଲ,ଚନ୍ଦନ, ଧୂପ ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି ଶିଶୁ ମହୋତ୍ସବରେ ୩ଟି ଉଚ୍ଚ ବିଦ୍ୟାଳୟ, ୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୬ଟି ପ୍ରାଥମିକ ବିଦ୍ୟାଳୟର ସମୁଦାୟ ୧୪୫ଜଣ ଛାତ୍ର ଛାତ୍ରୀ ଚିତ୍ରାଙ୍କନ, ବକୃତା, ନୃତ୍ୟ, ସଂଗୀତ,ପ୍ରବନ୍ଧ,ଗଳ୍ପକଥନ,ଏକକ ଅଭିନୟ, ସୃଜନ ଶୀଳ ଲିଖନ, ଶୃତ ଲିଖନ, ଝୋଟି ଚିତା ଓ ପି.ଏମ ପୋଷଣ ଇତ୍ୟାଦି ପ୍ରତିଯୋଗିତା ଗୁଡି଼କରେ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତା ଗୁଡ଼ିକୁ ଶିକ୍ଷକ ଆଶିଷ କୁମାର ସାହୁ, ପ୍ରଭାକର ସୁନ୍ଦରାୟ, ପ୍ରସନ୍ନ କୁମାର ରଣା, ବିମ୍ବାଧର ସାହୁ ଓ ଶିକ୍ଷୟିତ୍ରୀ ଇନ୍ଦୁମତୀ ଦେଇ, ପ୍ରିୟଦର୍ଶିନୀ ପାତ୍ର, ବିଶ୍ୱଜିତା ସାହୁ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ଶିଶୁ ହସିଲେ ଦେଶ ହସିବ l ଶିଶୁମାନେ ଦେଶ ଓ ଜାତିର ଭବିଷ୍ୟତ ତେଣୁ ଶିଶୁ ମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ଗୁଣାବଳୀ ଓ ପ୍ରତିଭା ବିକଶିତ କରାଇବା ପାଇଁ ରାଜ୍ୟ ସରକାଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗମାଧ୍ୟମରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ କରୁଅଛନ୍ତି ବୋଲି ମୁଖ୍ୟ ଅତିଥି ପ୍ରମୋଦ କୁମାର ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଶିଶୁମାନେ ଆଦର୍ଶ ତଥା ଗୁଣାତ୍ମକ ଶିକ୍ଷାଦାନ ପାଇଲେ ସମାଜର ଉନ୍ନତି ହୋଇପାରିବ ବୋଲି ମୁଖ୍ୟବକ୍ତା ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରିଣୀ ଅମିତା ମିଶ୍ର ସୂଚନା ପ୍ରଦାନ କରିଥିଲେ l ବରିଷ୍ଠ ସଂଗୀତ ଶିକ୍ଷକ ବିଜୟ କୁମାର ବେହେରା ବିଚାରପତିଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ l ୧୦୨ ଜଣ କୃତୀ ପ୍ରତିଯୋଗୀମାନେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତାକୁ ଚୟନ ହୋଇପାରିଛନ୍ତି l କୃତୀ ପ୍ରତିଯୋଗିମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷକ ଭାଗବତ ପ୍ରସାଦ ପାଣ୍ଡେ ଓ ଶିକ୍ଷୟିତ୍ରୀ ଶୁଭଶ୍ରୀ ପ୍ରଧାନ, ସୁସ୍ମିକାନ୍ତ ନାୟକ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ଶିକ୍ଷକ ସୁବାଷ ଚନ୍ଦ୍ର ଖଣ୍ଡେଇ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା “ସମ୍ବଲପୁରୀ ନୃତ୍ୟ” ଦର୍ଶକ ମାନଙ୍କର ମନମହିଥିଲା l ପରିଶେଷରେ ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଙ୍ଗାଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
