April 26, 2026

ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ରେ ଜିଲ୍ଲାପାଳଙ୍କ ଆକସ୍ମିକ ପରିଦର୍ଶନ

IMG-20240911-WA0001
Share

 

ବରଗଡ଼: ୧୦/୯(ଜୟନ୍ତ କୁମାର ସେଠ) ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଆଜି ବରଗଡ଼ ସଦର ଅଞ୍ଚଳର ବିଭିନ୍ନ ଜନ ସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ସୁଭଦ୍ରା ଯୋଜନାର ଆବେଦନ ଫର୍ମର ସ୍ଥିତି ଅନୁଧ୍ୟାନ କରିବା ଏବଂ ଜନସାଧାରଣଙ୍କୁ ସାମଗ୍ରିକ ସେବା ପ୍ରଦାନ କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ମତପ୍ରକାଶ କରିଛନ୍ତି I

ଏହି ଗସ୍ତ ସମୟରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଏହି କେନ୍ଦ୍ରଗୁଡ଼ିକରେ ଉପସ୍ଥିତ ହିତାଧିକାରୀଙ୍କ ସହ ଆଲୋଚନା କରି ଆବେଦନ ପ୍ରକ୍ରିୟା ଏବଂ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ପ୍ରତ୍ୟକ୍ଷ ମତାମତ ସଂଗ୍ରହ କରିଥିଲେ। ସୁଭଦ୍ରା ଯୋଜନାର ସଫଳ ରୂପାୟନରେ ସେମାନଙ୍କର ଭୂମିକାର ଗୁରୁତ୍ୱ ଉପରେ କେନ୍ଦ୍ର ଅପରେଟରମାନଙ୍କୁ ଜିଲ୍ଲାପାଳ ବୁଝାଇ ଥିଲେ I ଆବଶ୍ୟକ ଦସ୍ତାବିଜ ଉପରେ ଆବେଦନକାରୀଙ୍କୁ ସ୍ପଷ୍ଟ ମାର୍ଗଦର୍ଶନ, ସଠିକ ସମୟରେ ପ୍ରକ୍ରିୟାକରଣ ଏବଂ ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖି କେନ୍ଦ୍ର ଗୁଡିକୁ ଆସୁଥିବା ହିତାଧିକାରୀମାନେ ଯେମିତି ସଠିକ ଭାବେ ସୁଭଦ୍ରା ପୋର୍ଟାଲରେ ପଞ୍ଜିକରଣ କରିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ଅପରେଟର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ I

 

ଏଠାରେ ସୂଚନା ଥାଉ କି, କୌଣସି ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର କାର୍ଯ୍ୟରେ ଅବହେଳା କିମ୍ବା ଅନିୟମିତତା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚାଇ ଦିଆଯାଇଛି। ସୁଭଦ୍ରା ଆବେଦନର ଅଗ୍ରଗତି ଓ ଅନୁପାଳନ ଉପରେ ନଜର ରଖିବା ପାଇଁ ନିୟମିତ ଅନୁଧ୍ୟାନ କରାଯିବା ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର, ସିଡିପିଓଙ୍କୁ ନିଜ ଅଞ୍ଚଳର ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରର ଗସ୍ତ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି I