June 23, 2026

ରାଜସ୍ୱ କର୍ମଚାରୀଙ୍କ ‘ମିଶନ ସ୍ଵାଭିମାନ’–ଜୁଲାଇ ୧ ରୁ ଗଣଛୁଟି ଚେତାବନୀ…

IMG-20260623-WA0109
Share

 

 

ମାଲକାନଗିରି(ଏନ.ରବି କୁମାର)

ରାଜ୍ୟରେ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ ସାଜିଥିବା କ୍ଷେତ୍ର କର୍ମଚାରୀ ମାନେ ଏବେ ତୀବ୍ର ଅସନ୍ତୋଷ ମଧ୍ୟ ଦେଇ ଗତି କରୁଛନ୍ତି।ଅମାନୁଷିକ କାର୍ଯ୍ୟଭାର, ଭିତ୍ତିଭୂମିର ଅଭାବ ଏବଂ ଦୀର୍ଘ ଦିନରୁ ପଡ଼ି ରହିଥିବା ଦାବି ପୂରଣ ନହେବା ପ୍ରତିବାଦରେ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ଆନ୍ଦୋଳନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି।ସଂଘ ମିଶନ ସ୍ଵାଭିମାନ ବ୍ୟାନର ରେ ଆସନ୍ତା ୨୨ ଜୁନ ରୁ କଳାବ୍ୟାଜ୍ ପରିଧାନ କରିଥିବା ବେଳେ ୨୫ ଜୁନ ରୁ ସମସ୍ତ ସରକାରୀ ହ୍ୱାଟ୍ସଆପ୍ ଗ୍ରୁପ୍ ଛାଡ଼ିବା ସହ ଅନଲାଇନ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛି।ଏହା ପରେ ମଧ୍ୟ ଦାବି ପୂରଣ ନ ହେଲେ ଜୁଲାଇ ୧ ତାରିଖ ରୁ ସମୂହ ଛୁଟି ଓ ଗଣ ଇସ୍ତଫା ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଜରିଆରେ ଜଣାଇ ଦିଆଯାଇଛି।ଶତକଡା ୫୦ କର୍ମଚାରୀଙ୍କୁ ନେଇ ଚାଲିଛି କାମ, ସରକାର ବଞ୍ଚାଇଲେଣି ୭୧୫ କୋଟି।ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ୯,୯୧୦ଟି ପଦବୀ ମଧ୍ୟରୁ ୪,୫୬୬ଟି ପଦବୀ (ପ୍ରାୟ ୪୬%) ଖାଲି ପଡ଼ିଛି।ମାତ୍ର ୫୦% କର୍ମଚାରୀଙ୍କୁ ନେଇ ସରକାର ୨୦୦ % କାର୍ଯ୍ୟ ହାସଲ କରୁଛନ୍ତି। ବିଗତ ୩ ବର୍ଷ ଧରି ନିଯୁକ୍ତି ନହେବା,ଗ୍ରୁପ୍-ଡି କର୍ମଚାରୀ ନ ରହିବା,ମୋବାଇଲ୍ ଓ ଯାତ୍ରା ଭତ୍ତା ନ ମିଳିବା କାରଣରୁ ସରକାରଙ୍କ ରାଜକୋଷରୁ ପ୍ରାୟ ୭୧୫.୭୩ କୋଟି ଟଙ୍କା ବଞ୍ଚିତ ହୋଇଛି, ଯାହା କ୍ଷେତ୍ର କର୍ମଚାରୀଙ୍କ ସ୍ଵେଦର କମାଣ।

ନିଜ ପକେଟରୁ ଖର୍ଚ୍ଚ କରୁଛନ୍ତି ଆର.ଆଇ ଓ ଅମିନ

ଗ୍ରୁପ୍-ଡି କର୍ମଚାରୀ ନଥିବାରୁ ରାଜସ୍ୱ ନିରୀକ୍ଷକ ଓ ଅମିନ ମାନେ ନିଜେ ଅଫିସ ସଫା କରିବା ଠାରୁ ଆରମ୍ଭ କରି ନୋଟିସ୍ ବାଣ୍ଟିବା ଓ ବିଦ୍ୟୁତ୍ ବିଲ୍ ମଧ୍ୟ ନିଜ ପକେଟରୁ ଦେଉଛନ୍ତି।ଏଥି ସହ ୨୦୨୪ ଡିସେମ୍ବର ମାସରୁ ପ୍ରାୟ ୧୧.୩୧ କୋଟି ଟଙ୍କାର ଯାତ୍ରା ଭତ୍ତା ଏବଂ ଗତ ୩ ବର୍ଷର ମୋବାଇଲ୍ ଭତ୍ତା ବାକି ରହିଛି।ବିନା ଇଣ୍ଟରନେଟ୍ ସୁବିଧା,ଲାପଟପ୍ ବା ପ୍ରିଣ୍ଟରରେ କର୍ମଚାରୀ ମାନେ ନିଜସ୍ୱ ଖର୍ଚ୍ଚରେ ମ୍ୟୁଟେସନ,ପ୍ରମାଣ ପତ୍ର ଓ ଇ-ପାଉତି ଭଳି ଗୁରୁତ୍ୱପୂର୍ଣ୍ଣ ଅନଲାଇନ କାମ କରୁଛନ୍ତି।

ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଆର.ଆଇ ଓ କ୍ଷେତ୍ର କର୍ମଚାରୀଙ୍କୁ ସୁଭଦ୍ରା ଯୋଜନା,ଧାନ ସଂଗ୍ରହ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ଯାଞ୍ଚ ଏବଂ ଓ ପି ଆଇ ଡି ଭଳି ଅଣ-ରାଜସ୍ୱ କାର୍ଯ୍ୟରେ ବ୍ୟସ୍ତ ରଖାଯାଉଛି। ଏହା ଦ୍ୱାରା ସେମାନେ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ ହେଉଛନ୍ତି।ଯାହା ସେମାନଙ୍କର ପାରିବାରିକ ଜୀବନକୁ ନଷ୍ଟ କରୁଛି ଓ ସମ୍ବିଧାନର ଧାରା ୨୧ (ଜୀବନ ଜୀବିକାର ଅଧିକାର)କୁ କ୍ଷୁର୍ଣ୍ଣ କରୁଛି।ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ାଯାଇ ନିମ୍ନଲିଖିତ ଦାବି ଉପସ୍ଥାପନ କରାଯାଇଛି।ତୁରନ୍ତ ପ୍ରଶାସନିକ ସମାଧାନ (୩୦ ଦିନ ମଧ୍ୟରେ)

ସି ୨ସି (କଲମ-୨ ସଂଶୋଧନ) କାର୍ଯ୍ୟକ୍ରମରୁ ବାଧ୍ୟତାମୂ ଳକ ଟାର୍ଗେଟ ହଟାଇବା ଓ ଅତିରିକ୍ତ କର୍ମଚାରୀ (ରାଜସ୍ୱ ସାଥୀ) ନିଯୁକ୍ତ କରିବା।

ଅଣ-ରାଜସ୍ୱ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା।ସମସ୍ତ ଆର.ଆଇ.ଅଫିସକୁ ଲାପଟପ୍, ପ୍ରିଣ୍ଟର,ଇଣ୍ଟରନେଟ୍ ଏବଂ ବାର୍ଷିକ ୨୫,୦୦୦ ଟଙ୍କାର ଆକସ୍ମିକ ପାଣ୍ଠି ପ୍ରଦାନ।

ବାକି ଥିବା ଯାତ୍ରା ଭତ୍ତା ଏବଂ ମାସିକ ୧,୦୦୦ ଟଙ୍କା ମୋବାଇଲ୍ ଭତ୍ତା ପ୍ରଦାନ।ରବିବାର ଓ ସରକାରୀ ଛୁଟି ଦିନରେ କାର୍ଯ୍ୟଭାର ବନ୍ଦ କରିବା।

ମୁଖ୍ୟ ଦାବି ୩ ମାସ ମଧ୍ୟରେ

କ୍ୟାଡରର ସମ୍ପୂର୍ଣ୍ଣ ପୁନର୍ଗଠନ ଓ ତୁରନ୍ତ ଡି ପି ସି ବୈଠକ ଆୟୋଜନ।ଜନସଂଖ୍ୟା ଭିତ୍ତିରେ ଏକ ଗ୍ରାମ ପଞ୍ଚାୟତ-ଏକ ଆର.ଆଇ.ସର୍କଲ ଗଠନ।

ରାଜସ୍ୱ ସୁପରଭାଇଜର ପଦବୀକୁ ଡେପୁଟି ତହସିଲଦାର ଭାବେ ନାମିତ କରି ଅଧିକ କ୍ଷମତା ପ୍ରଦାନ।

ଗ୍ରୁପ୍-ଡି ସମେତ ସମସ୍ତ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ।

ସଂଘ ସ୍ପଷ୍ଟ କରିଛି ଯେ,ଯଦି ସରକାର ସେମାନଙ୍କୁ ମେସିନ୍ ନଭାବି ଜଣେ ମଣିଷ ଭଳି ସମ୍ମାନର ସହ ଦାବି ଗୁଡ଼ିକୁ ବିଚାର ନ କରନ୍ତି ତେବେ ଆଗାମୀ ଦିନରେ ସମଗ୍ର ରାଜ୍ୟରେ ରାଜସ୍ୱ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯିବ ଯେଉଁଥି ପାଇଁ ଶାସନ ଓ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଶୁଣାଇଛନ୍ତି।

You may have missed