ସମ୍ଭାବ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ବାର୍ଷିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ

ସମ୍ବଲପୁର, ୨୩. ୦୬():ବାର୍ଷିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୬ ଅନ୍ତର୍ଗତ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ଏକ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଆୟୋଜିତ ହୋଇଥିଲା। ୧୮ଏବଂ ୧୯ ତାରିଖ ୨ ଦିନ ଧରି ଏହା ଆୟୋଜିତ ହୋଇଥିଲା।ଜିଲ୍ଲାର ସମସ୍ତ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା।ଏହି ମକ୍ ଡ୍ରିଲ୍ରେ ଏନ୍ଡିଆରଏଫ୍ ଟିମ୍, ଅଗ୍ନିଶମ ବିଭାଗ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବନ୍ୟା ଆଶ୍ରୟସ୍ଥଳୀର ସଭାପତି ଓ ସମ୍ପାଦକମାନଙ୍କ ସହଯୋଗ ରହିଥିଲା।
ଏନ୍ଡିଆରଏଫ୍ର ଇନ୍ସପେକ୍ଟର ଆର୍. ଏସ୍. ରାଣାଙ୍କ ନେତୃତ୍ୱରେ ବନ୍ୟା ପରିସ୍ଥିତିରେ ନିଜକୁ କିପରି ସୁରକ୍ଷିତ ରଖିବେ, ବଜ୍ରପାତରୁ ସୁରକ୍ଷା, ସର୍ପଦଂଶନର ପ୍ରାଥମିକ ଚିକିତ୍ସା ଏବଂ ସିପିଆର୍ (CPR) ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ସମଲେଶ୍ୱରୀ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଏନ୍ଡିଆରଏଫ୍ ଟିମ୍ ଦଉଡ଼ି ବ୍ୟବହାର କରି କୌଣସି ବ୍ୟକ୍ତି ଯଦି ଗୃହ ଭିତରେ ଫସି ଯାଇଥାନ୍ତି, ତେବେ ତାଙ୍କୁ କିପରି ଉଦ୍ଧାର କରାଯାଇପାରିବ, ତାହାର ପ୍ରଦର୍ଶନ କରି ବିପର୍ଯ୍ୟୟ ମୁକାବିଲାର ପ୍ରଦର୍ଶନ କରାଯାଇଥିଲା।ଏହି ବିପର୍ଯ୍ୟୟ ସଚେତନତା କାର୍ଯ୍ୟକ୍ରମରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣ ବିଶେଷ ଭାବେ ଦେଖିବାକୁ ମିଳିଥିଲା।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଧାଂଶୁ ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଅଭ୍ୟାସ କାର୍ଯ୍ୟକ୍ରମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଯୋଗେଶପ୍ରିୟ ବଢେଇ ଏବଂ ଡିପିଓ (ଜରୁରୀକାଳୀନ) ଗୀତାଞ୍ଜଳି ସାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା।
