August 11, 2026

ବୁଗୁଡ଼ାରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନ ଶୁଣାଣି କାର୍ଯ୍ଯକ୍ରମ, ଚାଷୀଙ୍କ ସମସ୍ଯା , ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଠପ୍ ,ବ୍ଲକ ପ୍ରଶାସନର ଉଦାସୀନତା, ପଞ୍ଚାୟତକୁ ଯନ୍ତ୍ରୀମାନେ ଯାଉନଥିବା ଅଭିଯୋଗ 

IMG-20260810-WA0122
Share

 

ବୁଗୁଡ଼ା :ତା ୧୦/୦୮/୨୬ : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସମୀର କୁମାର ଜେନାଙ୍କ ସମେତ ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, ଏବିଡିଓ ଧର୍ମରାଜ ପରିଡ଼ା ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ, ଭତ୍ତା, ଜମିଜମା, ଆବାସ ଯୋଜନା ଓ ଅନ୍ୟାନ୍ୟ ଜନସମସ୍ୟା ସମ୍ପର୍କିତ ମୋଟ ୧୧୦ଟି ଅଭିଯୋଗ ଦାଖଲ କରିଥିଲେ। ମୁଖ୍ୟ ଅଭିଯୋଗ ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ପରିମାଣରେ ସାର ପ୍ରଦାନ ଓ ସାରର କଳାବଜାରୀ ବନ୍ଦ, ସରକାର ଆଣିଥିବା ଚଳିତ ବର୍ଷର ଧାନ ମଣ୍ଡିରେ ପଞ୍ଜିକରଣ ନିୟମକୁ ବାଦ ଦେଇ ପୂର୍ବ ବର୍ଷର ନିୟମକୁ ଲାଗୁ କରିବା ଏବଂ ମୋଟାବାଡି, ପୋଚାଲୁଣ୍ଡି ଓ ତାକରଡା ପଞ୍ଚାୟତରେ ଉଠାଜଳସେଚନ ପ୍ରକଳ୍ପ ଦୀର୍ଘ ଦୁଇ ବର୍ଷ ଧରି ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀମାନଙ୍କ ଜମିକୁ ପାଣି ଯାଉନଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକୋଷ୍ଠରେ ଅଧିକାରୀମାନେ ସମସ୍ତ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ରେଡ଼କ୍ରସ ତରଫରୁ ୭ ଜଣଙ୍କୁ ୩୮ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା ଏବଂ ୬ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା। ତେବେ ଯୁଗ୍ମ ଅଭିଯୋଗ ଚାଲିଥିବା ବେଳେ ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ନରହିବା ଯୋଗୁଁ ଉପସ୍ଥିତ ଅଧିକାରୀ ଓ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ନେଇ ପୂର୍ବରୁ ହେଉଥିବା ବାରମ୍ବାର ଅଭିଯୋଗର ସତ୍ଯତା ଏବଂ ବିଦ୍ୟୁତ୍ ବିଭାଗର ଅବହେଳା ପ୍ରମାଣିତ ହୋଇଥିଲା। ଏଥି ସହ ବରିଷ୍ଠ ଚାଷୀ କବିରାଜ ଗୌଡଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସେମାନଙ୍କ ବହୁ ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ଯପକ୍ଷରେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କ ନେତୃତ୍ୱରେ ଅଧିକାଂଶ ସରପଞ୍ଚ ସେମାନଙ୍କ ପଞ୍ଚାୟତରେ ବ୍ଲକ ପ୍ରଶାସନର ପାତରଅନ୍ତର ନୀତି ଯୋଗୁଁ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ କୌଣସି ଯନ୍ତ୍ରୀ ସେମାନଙ୍କ ପଞ୍ଚାୟତକୁ ଯାଉନଥିବା ଭଳି ଗୁରୁତର ଅଭିଯୋଗ କରିଥିଲେ। ଏହି ଯୁଗ୍ମ ଶୁଣାଣି ଶିବିରରେ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ବ୍ଲକ ଅଫିସର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।