ପୌରସ୍ତରୀୟ ସବ କମିଟି ଦ୍ବାରା ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହେଲା ୬ ବସ୍ତି ବସ୍ତିମୁକ୍ତ ହେଲା କୋରାପୁଟ ସହର

କୋରାପୁଟ ଜିଲ୍ଲା :କୋରାପୁଟ ପୌର ପରିଷଦ ସମ୍ମିଳନୀ ଗୃହ ଠାରେ ଜାଗା ମିଶନ ସବ କମିଟି ବୈଠକ ଆୟୋଜିତ ହୋଇଯାଇଛି।କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ତହସିଲଦାର ସହୀଦ ସବିର ସାହା, ସାମାଜିକ କର୍ମୀ ଭବାନୀ ଶଙ୍କର ମିଶ୍ର, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ରାମକୃଷ୍ଣ ବେହେରା, ଟାଟା ପାୱାର ସହକାରୀ ଯନ୍ତ୍ରୀ ଗଜେନ୍ଦ୍ର ବିଶ୍ବାଳ,ସାମାଜିକ ସଂଗଠକ ସଙ୍ଗୀତା ସିଂ, ସୁଜାତା ମାଳି, ରଘୁନାଥ ପ୍ରଧାନ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ।୨୦୧୭ ମସିହାରେ ଆରମ୍ଭ କରାଯାଇଥିବା ଜାଗା ମିଶନରେ କୋରାପୁଟ ସହରରେ ୫୮ ଟି ବସ୍ତି ରହିଥିବା ଚିହ୍ନଟ କରାଯାଇଥିଲା। ପ୍ରଥମେ ୫୨ ଟି ବସ୍ତିରେ ପାନୀୟ ଜଳର ସୁବିଧା କରାଯିବା ସହ ବିଦ୍ୟୁତକରଣ,ଡ୍ରେନ, ରାସ୍ତା ନିର୍ମାଣ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଥିଲା।ଏହାପରେ ୫୨ ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇଥିଲା।ବାକି ରହିଥିବା ୱେଇଭର୍ସ କଲୋନୀ, ଭାଲିଆ ସାହି, ବାହାଦୂର ସାହି, ମେଦ୍ରି ସାହି, ଇନ୍ଦିରା ଆବାସ କଲୋନୀ ଏବଂ ବଡ଼ ଚିନ୍ଦ୍ରୀ ପ୍ରଭୃତି ୬ ଟି ବସ୍ତିରେ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଥିଲା।ଆଜିର ସବ କମିଟି ବୈଠକରେ ଉକ୍ତ ୬ ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯିବାକୁ ଅନୁମୋଦିତ କରାଯାଇଥିଲା । ପୌର ସବ କମିଟି ବୈଠକ ଅନୁଯାୟୀ କୋରାପୁଟ ସହର ଏବେ ସଂପୂର୍ଣ୍ଣ ବସ୍ତିମୁକ୍ତ ଅଞ୍ଚଳରେ ପରିଣତ ହୋଇଥିବା ନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ର କହିଛନ୍ତି। ସବ କମିଟି ରିପୋର୍ଟ ଉପଖଣ୍ଡ ସ୍ତର କମିଟିକୁ ପ୍ରେରଣ କରାଯିବ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ସବ କମିଟି ସଂଯୋଜକ ତଥା ସିଏମଏମୟୁ ମ୍ୟାନେଜର ଶଶିକାନ୍ତ ସ୍ବାଇଁ ଯୋଗଦେଇ ପରିଚାଳନା କରିଥିଲେ।
କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା
