ଧର୍ମଗଡ଼ ସହରରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ମିଳିତ ଚଢ଼ାଉ
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ସହରରେ, ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ,ଧର୍ମଗଡ଼ ଏନ.ଏ.ସି କର୍ମଚାରି ଓ ଧର୍ମଗଡ଼ ପୋଲିସ ଦ୍ୱାରା ମିଳିତ ଭାବରେ ବିଭିନ୍ନ ହୋଟେଲ, ଫାଷ୍ଟଫୁଡ ତଥା ରାସ୍ତା କଡରେ ଥିବା ଠେଲା ଜଳଖିଆ ଦୋକାନ ଆଦି ତେଇଶି ଗୋଟି ଦୋକାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିଭିନ୍ନ ହୋଟେଲ, ଫାଷ୍ଟଫୁଡ ଓ ଠେଲା ଜଳଖିଆ ଦୋକାନ ଗୁଡ଼ିକରୁ ପ୍ରାୟ ଚାଳିଶ କେ.ଜି ରୁ ଉର୍ଦ୍ଧ ବାସି ଖାଦ୍ୟ ଓ କୃତ୍ରିମ ରଙ୍ଗ ମିଶ୍ରିତ ଖାଦ୍ୟ ଜବତ କରାଯାଇ ତୁରନ୍ତ ନଷ୍ଟ କରାଯାଇଥିବାବେଳେ, ଏ ବାବଦରେ ବିଭିନ୍ନ ଖାଦ୍ୟ ବ୍ୟବସାୟିଙ୍କ ଠାରୁ ଚାରି ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏଥିସହ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସମସ୍ତ ହୋଟେଲ ବ୍ୟବସାୟିଙ୍କୁ କଡା ଚେତାବନି ଦିଆଯାଇଛି ଯେ’ ଲୋକଙ୍କୁ ବାସି ଖାଦ୍ୟ ଦେବାରେ ଯେପରି ପୁନରାବୃତ୍ତି ନହୁଏ ତଥା ଫାଷ୍ଟଫୁଡ ଓ ଠେଲା ଜଳଖିଆ ଦୋକାନୀଙ୍କୁ ସଚେତନ କରିବାସହ ଚେତାବନି ଦିଆଯାଇଛି ଯେ’ ସେମାନେ ଯେପରି ଖାଦ୍ୟର ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବେ, କୃତ୍ରିମ ରଙ୍ଗର ବ୍ୟବହାର କରିବେନାହିଁ, ଖାଦ୍ୟ ସର୍ବଦା ଘୋଡାଇ ରଖିବେ ତଥା ଖାଦ୍ୟ ଦେବାବେଳେ ଖବର କାଗଜର ବ୍ୟବହାର କରିବେନାହିଁ। ଏହି ମିଳିତ ଚଢ଼ାଉରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ ନାଏକ, ଖାଦ୍ୟ ନିରାପତ୍ତା ସହକାରୀ ଗଜେନ୍ଦ୍ର କୈବର୍ତ୍ତ, ସାନିଟାରି ଇନ୍ସପେକ୍ଟର ଅଭିନନ୍ଦନ ପ୍ରଧାନ, ଧର୍ମଗଡ଼ ଏନ.ଏ.ସି କର୍ମଚାରି ସାଧୁରାମ କୈବର୍ତ୍ତ ତଥା ଧର୍ମଗଡ଼ ପୋଲିସ କର୍ମଚାରି ସାମିଲ ହୋଇଥିଲେ।
