October 8, 2026

ଓଡ଼ିଶା ପୁଲିସ ଟିମ୍ ଉପରକୁ ଗୁଳିମାଡ଼,  ପୁଲିସ ଗାଡ଼ି ଭାଙ୍ଗି ଗଞ୍ଜେଇ ମାଫିଆକୁ ଛଡ଼ାଇନେଲେ ଦୁର୍ବୃତ୍ତ

IMG-20261008-WA0077
Share

 

 

ଭୁବନେଶ୍ୱର‌ ( ଦେବାଶିଷ ଦାଶ )

 

 

ଓଡ଼ିଶା ପୁଲିସ ଟିମ୍ ଉପରକୁ ଗୁଳିମାଡ଼ । ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ କନ୍ଧମାଳ ପୁଲିସ ଟିମ୍ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୪ଟି ଗାଡ଼ିରେ ଆସିଥିବା ଦୁର୍ବୃତ୍ତମାନେ ପୁଲିସ ଗାଡ଼ିକୁ ଘେରି ଗୁଳିମାଡ଼ କରିବା ସହ ଗାଡ଼ି ଭାଙ୍ଗି ଦେଇଥିଲେ । ଏହାପରେ ଲଙ୍କାଗୁଣ୍ଡ ସ୍ପ୍ରେ କରି ଗଞ୍ଜେଇ ମାଫିଆକୁ ଛଡ଼ାଇ ନେଇଥିବା ସୂଚନା ମିଳିଛି।

ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ଘଟିଥିଲା ଏହି ଆକ୍ରମଣ । ଘଟଣା ସମ୍ପର୍କରେ ଖବର ପାଇ ସିଦ୍ଧି ଓ ରିୱାରୁ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି । ଫେରାର ମାଫିଆ ଓ ଆକ୍ରମଣକାରୀଙ୍କୁ ଠାବ କରିବାକୁ ଅନେକ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି । କନ୍ଧମାଳ ପୁଲିସର ଏକ ଟିମ୍ ଏନ୍‌ଡିପିଏସ୍ ଆଇନରେ ଗତ ଜୁନ୍ ୩୦ ତାରିଖରେ ମଧ୍ୟପ୍ରଦେଶରୁ ଗଞ୍ଜେଇ ମାଫିଆ ଆଦିତ୍ୟ ମିଶ୍ର ଓରଫ ରାକେଶ ଓରଫ ସାୱରିୟାକୁ ଗିରଫ କରି ଓଡ଼ିଶା ଆଣିଥିଲା । ରିମାଣ୍ଡ ସମୟ ଶେଷ ହେବା ପରେ ତାକୁ ପୁନର୍ବାର ରିୱା ଜିଲ୍ଲା କୋର୍ଟରେ ହାଜର କରାଇବା ପାଇଁ ପୁଲିସ ଟିମ୍ ନେଇ ଯାଉଥିଲା । ସୁରକ୍ଷା ଦୃଷ୍ଟିରୁ ଆଦିତ୍ୟ ସହ ୮ ଜଣିଆ ପୁଲିସ ଟିମ୍ ରହିଥିଲା । ଟିମ୍ ରିୱା–ସିଦ୍ଧି ସୀମାବର୍ତ୍ତୀ ଛୁହିୟା ଘାଟୀ ଦେଇ ଯାଉଥିବା ବେଳେ ୪ଟି ଗାଡ଼ିରେ ଆସିଥିବା କିଛି ଦୁର୍ବୃତ୍ତ ପୁଲିସ ଗାଡ଼ିକୁ ପିଛା କରି ଅଟକାଇଥିଲେ । ଗାଡ଼ିର ଚକାକୁ ଗୁଳି କରି ପଙ୍କଚର କରିବା ସହ ପୁଲିସ ଟିମ୍ ଉପରକୁ ଲଙ୍କାଗୁଣ୍ଡ ସ୍ପ୍ରେ କରିଥିଲେ । ଏହାସହ ବେସ୍‌ବଲ୍ ବ୍ୟାଟ୍‌ରେ ପୁଲିସ ଗାଡ଼ିର କାଚ ଭାଙ୍ଗିଥିଲେ । ଭୟଭୀତ କରାଇବା ପାଇଁ ୩ ରାଉଣ୍ଡ ଗୁଳି ଚଳାଇଥିବା ମଧ୍ୟ ସୂଚନା ମିଳିଛି । ଏହାପରେ ଆଦିତ୍ୟକୁ ସାଙ୍ଗରେ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।