April 27, 2026

ଜମି ଓ ଜଙ୍ଗଲ ଅଧିକାର ଦାବିରେ ଏଆଇକେଏମଏସ୍ ପକ୍ଷରୁ ଗଜପତି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ*

IMG-20241008-WA0042
Share

ଅଖିଳ ଭାରତ କିଶାନ୍ ମଜଦୂର ସଭାର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଜି ଆଠ ଦଫା ଦାବି ନେଇ ପାରଳାଖେମୁଣ୍ଡି ଠାରେ ଏକ ବିଶାଳ ଶୋଭାଯାତ୍ରା ବାହାରିବା ସହ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ଶହ ଶହ ଚାଷୀ ଓ ମୂଲିଆ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହିଞ୍ଚି ବିକ୍ଷୋଭ ଓ ସଭା କରିଥିଲେ । ଏଆଇକେଏମଏସ୍ ଗଜପତି ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ସଂଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ରାଜ୍ୟର ବିଜେପି ସରକାର ଆଦିବାସୀ, ଦଳିତ ଓ କୃଷକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବା ବଦଳରେ ବଡ ବଡ କମ୍ପାନୀଙ୍କ ସ୍ଵାର୍ଥକୁ ଗୁରୁତ୍ତ୍ଵ ଦେଉଥିବା କହିଥିଲେ । ରାଜ୍ୟର ଅଧିକାଂଶ ଆଦିବାସୀ ଓ ଦଳିତ ଲୋକ ଭୂମିହୀନ ଓ ଗୃହହୀନ ରହିଥିବା ବେଳେ ସରକାର ସେମାନଙ୍କୁ ସରକାରୀ ଜମିରୁ ଉଚ୍ଛେଦ କରି ସେସବୁ ଜମିକୁ ଲ୍ୟାଣ୍ଡ ବ୍ୟାଙ୍କ ମାଧ୍ୟମରେ କର୍ପୋରେଟମାନଙ୍କୁ ଦେବାକୁ ଘୋଷଣା କରିବା ଦୁର୍ଭାଗ୍ୟଜନକ ବେଲି କହିଥିଲେ । ବିଜେପି ସରକାର କ୍ଷମତାକୁ ଆସିବାର ତିନି ମାସ ପରେ ବି ନିଜର ପ୍ରତିଶ୍ରୁତି ମୁତାବକ ରାଜ୍ୟର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମାସିକ ତିନି ହଜାର ଟଙ୍କା ସାମାଜିକ ଭତ୍ତା ନଦେଇ ପ୍ରତାରଣା କରିଛି ବୋଲି କହିଥିଲେ । ଗାଁରେ କମ୍ ମଜୁରୀ ଓ କାମର ଅଭାବ ଯୋଗୁଁ ରାଜ୍ୟର ୨୫ ଲକ୍ଷରୁ ଉର୍ଦ୍ଧ୍ବ ଯୁବକ ଯୁବତୀ କାମ ଆଶାରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଥିବା ସରକାର ଲୋକଙ୍କୁ ଗାଁରେ କାମ ଯୋଗାଇଦେବା ପାଇଁ ମନରେଗା ଯୋଜନାକୁ ଠିକ୍ ରୁପେ କାର୍ଯ୍ୟକାରୀ କରିବା ତଥା ସେଥିରେ ମଜୁରୀର ପରିମାଣରେ ବୃଦ୍ଧି କରିବାକୁ ଦାବି କରିଥିଲେ ।

ଜିଲ୍ଲା କମିଟି ସଭ୍ୟ କାରୁକା ଶବର ଜଙ୍ଗଲ ଅଧିକାର ଆଇନ – ୨୦୦୬କୁ ଠିକ୍ ରୁପେ ଲାଗୁ କରି ଜଙ୍ଗଲ ଜମିରେ ବର୍ଷ ବର୍ଷ ଧରି ଚାଷ ଓ ବାସ କରି ରହୁଥିବା ଜିଲ୍ଲାର ଆଦିବାସୀ ଓ ପାରମ୍ପରିକ ବନଜୀବିଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟ୍ଟା ଦେବାକୁ ଦାବୀ କରିଥିଲେ । ଶେଷରେ ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ, ମନରେଗାର ମଜୁରୀକୁ ବୃଦ୍ଧି ସହ କାମ ଯୋଗାଇଦେବା, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତାକୁ ମାସିକ ପାଞ୍ଚ ହଜାର ଟଙ୍କାକୁ ବୃଦ୍ଧି କରିବା, ରାସନ କାର୍ଡରୁ ବଞ୍ଚିତ ସବୁ ଗରିବ ଲୋକଙ୍କୁ ରାସନ୍ କାର୍ଡ ଯୋଗାଇଦେବା, ନିର୍ମାଣ ଶ୍ରମିକମାନଙ୍କ ପାଇଁ ଉଦ୍ଧିଷ୍ଟ ସହାୟତା ପ୍ରଦାନରେ ଚାଲିଥିବା ଲୁଟକୁ ବନ୍ଦ କରିବା ଆଦି ଆଠ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ସ୍ମାରକପତ୍ର ଗ୍ରହଣ କରିଥିବା ବେଳେ ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ ଏଆଇକେଏମଏସର ଏକ ପ୍ରତନିଧି ଦଳ ଭେଟି ଦାବି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାଇଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଡୁକା ଶବଧ, ସୁମ୍ଵରା ଶବର, ଘନାତ୍ରୀ ଶବର ପ୍ରମୁଖ ସଂଗଠନର ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ନେତୃତ୍ଵ ନେଇଥିଲେ ।