ବ୍ଲକସ୍ତରୀୟ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ
*ହସ୍ତାକ୍ଷର ହେଉଛି ଚରିତ୍ରର ଆଇନା,
ହାଟଡିହି ତା ୭/ ୯(ମନମୋହନ ନାୟକ) : ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ଭାଷାଜ୍ଞାନ ପ୍ରବନ୍ଧ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ କୃତକାର୍ଯ୍ୟ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ଆଜି ପୁରସ୍କାର ବଣ୍ଟନ କରାଯାଇଛି । କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ ମୂଖ୍ୟ ବକ୍ତା ଭାବେ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ସ୍ବତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ମୋହନ ଚ଼ରଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ହସ୍ତାକ୍ଷର ହେଉଛି ଚରିତ୍ରର ଆଇନା,ହସ୍ତାକ୍ଷର, ଚିତ୍ରାଙ୍କନ ଓ ଭାଷା ଜ୍ଞାନ ବିନା ଛାତ୍ରର ଅଭିବୃଦ୍ଧି ସମ୍ଭବ ନୁହେଁ। ତେଣୁ ଛାତ୍ରଛାତ୍ରୀ ମାନେ ଦିନକୁ ଅନ୍ତତଃ ଦଶ ମିନିଟ ପାଇଁ ଚିତ୍ର ଅଙ୍କିବା ସହିତ, ପ୍ରତିଦିନ ଗୋଟିଏ ପୃଷ୍ଠା ଲେଖନ୍ତୁ, ଓ ବିଭିନ୍ନ ଖବରକାଗଜର ସମ୍ପାଦକୀୟ ପୃଷ୍ଠା ପଢନ୍ତୁ। ଯାହାକି ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ତହସିଲଦାର ସଞ୍ଜୟ ସାମନ୍ତରାୟ ମତବ୍ୟକ୍ତ କରିଥିଲେ। ଓଡିଆ ଭାଷା ସାହିତ୍ୟର ସୁରକ୍ଷା ପ୍ରତି ସମସ୍ତଙ୍କ ଅବଦାନ ରହିବା ଉଚିତ୍ ବୋଲି ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅପୂର୍ବ ରଞ୍ଜନ ଜେନା, ଦେବୀ ପ୍ରସାଦ ସାମଲ, ଆୟୁସ କୁମାର ବେହେରା, ତନ୍ମୟୀ ଧଳ, ଅନୁଷ୍କା ରାଉତ, ଅଞ୍ଜଳି କିସ୍କୁ, ଶୁଭଲକ୍ଷ୍ମୀ ସାହୁ, ସାଇ ପ୍ରସାଦ ସାହୁ, ଆଦିତ୍ୟ ପ୍ରସାଦ ଶତପଥୀଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିବର୍ଷ ପରି ଚ଼ଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ମୋହନ ଚ଼ରଣ ମହାନ୍ତି ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ନିଜ ଉଦ୍ୟମରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ନବ କିଶୋର ବିଶ୍ଵାଳ, ଶିଶିର କୁମାର ବିଶ୍ବାଳ, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ଲକ୍ଷ୍ମୀ କାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ପ୍ରଦୀପ କୁମାର ସ୍ବାଇଁ, କର୍ମଚାରୀ ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ଵାଳ, ରମେଶ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
