ବିଜ୍ଞାନ ମହାବିଦ୍ୟାଳୟ କୋଙ୍କରଡାରେ ରେଡ୍ ରିବନ୍ କ୍ଲବ ପକ୍ଷରୁ ସଚେତନତା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ସାନଖେମୁଣ୍ଡି : (ବିଜୟ କୁମାର ପ୍ରଧାନ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଜ୍ଞାନ ମହାବିଦ୍ୟାଳୟ, କୋଙ୍କରଡାରେ ଯୁବ ରେଡ୍ କ୍ରସ୍ (YRC) ଓ ରେଡ୍ ରିବନ୍ କ୍ଲବର ମିଳିତ ଆନୁକୂଳ୍ୟରେ ଏଚ୍.ଆଇ.ଭି./ଏଡ୍ସ ସଚେତନତା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ପ୍ରଫେସର ବି. ଗୋବିନ୍ଦ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ସ୍ୱେଚ୍ଛାସେବା, ସ୍ୱାସ୍ଥ୍ୟ ସଚେତନତା, ପ୍ରଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଆରୁଣା (ARUNA), ବ୍ରହ୍ମପୁରର ସମ୍ପାଦକ ଶ୍ରୀ ଲୋକନାଥ ମିଶ୍ର ଯୋଗଦେଇ ଏଚ୍.ଆଇ.ଭି./ଏଡ୍ସ ପ୍ରତିରୋଧ, ସଚେତନତା, ସାମାଜିକ ଭେଦଭାବ ଦୂରୀକରଣ ଏବଂ ମାନବିକ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ଅବସରରେ ରେଡ୍ ରିବନ୍ କ୍ଲବ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ୱାଇଆରସି ପରାମର୍ଶଦାତା ଶ୍ରୀ ରଞ୍ଜନ କୁମାର ନାୟକ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ୱାଇଆରସି ସ୍ୱେଚ୍ଛାସେବୀ (YRC Volunteers) ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଶେଷରେ ଶ୍ରୀମତୀ ଆଶାରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ ସଙ୍ଗୀତ ପରିବେଷଣ ସହ କାର୍ଯ୍ୟକ୍ରମର ସଫଳ ସମାପନ ହୋଇଥିଲା।
