September 6, 2026

ଧାମନଗର NAC ସାମ୍ନାରେ ବିଜେଡିର ରଣହୁଙ୍କାର ଭୋଟର ତାଲିକାରୁ ୩ ହଜାରରୁ ଅଧିକ ନାମ କଟାଯାଇଥିବା ଅଭିଯୋଗ

IMG-20260906-WA0001
Share

ଧାମନଗର ( ଦେବାଶିଷ ଦାଶ )

ଆଗକୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ। ଏହା ପୂର୍ବରୁ ଭୋଟର ତାଲିକାକୁ ନେଇ ତେଜିଛି ରାଜନୈତିକ ବିବାଦ। ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇ ରଣହୁଙ୍କାର ଦିଆଯାଇଛି। ବିଜେଡିର ଅଭିଯୋଗ ଅନୁସାରେ, ଏସ୍‌ଆର୍‌ଆଇ ପ୍ରକ୍ରିୟାରେ ଧାମନଗର NACର ୧୯ଟି ବୁଥ୍‌ରୁ ୩ ହଜାରରୁ ଅଧିକ ବୈଧ ଓ ଯୋଗ୍ୟ ଭୋଟରଙ୍କ ନାମ କଟାଯାଇଛି। ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟର ଅନେକ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ବିଜେଡି ନେତାମାନଙ୍କ ଅଭିଯୋଗ ହେଉଛି, କିଛି ଅସାମାଜିକ ଓ କୁଚକ୍ରୀ ବ୍ୟକ୍ତିଙ୍କ ପ୍ରରୋଚନାରେ ବିଏଲ୍‌ଓଙ୍କ ନିକଟରେ ମିଥ୍ୟା ଫର୍ମ-୭ ଦାଖଲ କରାଯାଇଥିଲା। ଏପରିକି ଜାଲ ପ୍ରମାଣପତ୍ର ବ୍ୟବହାର କରି ଭୋଟରଙ୍କ ନାମ କାଟିବା ପାଇଁ ଚଞ୍ଚକତା କରାଯାଇଥିବା ମଧ୍ୟ ଦଳ ଅଭିଯୋଗ କରିଛି।ଏହା ପଛରେ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରହିଥିବା ଏବଂ ସଂଖ୍ୟାଲଘୁ ଭୋଟରଙ୍କ ନାମ ତାଲିକାରୁ କଟିଲେ ରାଜନୈତିକ ଫାଇଦା ମିଳିବ ବୋଲି ଏପରି ଷଡ଼ଯନ୍ତ୍ର କରାଯାଇଥିବା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି।

ଏହି ଘଟଣାରେ ଧାମନଗର NACର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି। ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସସ୍ପେଣ୍ଡ କରିବାକୁ ଦାବି ଜୋର୍ ଧରିଛି।

ଏଥିସହ ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାମ କାଟିବା ପାଇଁ ଯେଉଁମାନେ ମିଥ୍ୟା ଫର୍ମ-୭ ଦାଖଲ କରିଥିବା ଅଭିଯୋଗ ହୋଇଛି, ସେମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଧାମନଗର ଥାନାରେ ବିଜେଡି ପକ୍ଷରୁ ଲିଖିତ ଅଭିଯୋଗ ଦିଆଯାଇଛି। ତେବେ ଭୋଟର ତାଲିକାରୁ ପ୍ରକୃତରେ କେତେ ଜଣଙ୍କ ନାମ କଟିଛି, ଏଥିରେ କୌଣସି ଅନିୟମିତତା ହୋଇଛି କି ନାହିଁ ଏବଂ ଅଭିଯୋଗର ସତ୍ୟତା କେତେ—ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

You may have missed