September 6, 2026

ରିଲିଫ ନାଁରେ ନିରୀହ ଆଦିବାସୀଙ୍କୁ ଠକେଇ ଅଭିଯୋଗ

IMG-20260906-WA0003
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ରିଲିଫ ନାଁରେ ନିରୀହ ଆଦିବାସୀଙ୍କୁ ଠକେଇ ଅଭିଯୋଗ। ଫିମ୍ପି ପଡ଼ିଥିବା ପାଉଁରୁଟି ସାଙ୍ଗକୁ ପିତା ଓ ଗନ୍ଧୁଆ ଚୁଡ଼ା ବଣ୍ଟନକୁ ନେଇ ତେଜିଲା ଅସନ୍ତୋଷ। ଏଭଳି ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।

ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ପ ପଞ୍ଚାୟତ ତାଳବଣିଆ ଅଞ୍ଚଳରୁ। ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୯ ତାରିଖରେ ସୁବର୍ଣ୍ଣରେଖା ନଦୀରେ ଆସିଥିଲା ବନ୍ୟା। ବନ୍ୟା ଯୋଗୁଁ ଜଳେଶ୍ୱର ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଥିଲା। ତେବେ ବନ୍ୟା ଛାଡ଼ିବାର ପ୍ରାୟ ୧୫ ଦିନ ପରେ, ଆଜି ଅପରାହ୍ନରେ ନାମ୍ପୋ ବିଜେପି ପକ୍ଷରୁ ତାଳବଣିଆ ଅଞ୍ଚଳର ୩୦ରୁ ଅଧିକ ପରିବାରକୁ ରିଲିଫ୍ ବଣ୍ଟନ କରାଯାଇଥିଲା ।

ରିଲିଫ୍ ପ୍ୟାକେଟରେ ଚୁଡ଼ା, ଗୁଡ଼, ବିସ୍କୁଟ ଓ ପାଉଁରୁଟି ରହିଥିଲା। ହେଲେ ବଣ୍ଟନ କରାଯାଇଥିବା ପାଉଁରୁଟିରେ ଫିମ୍ପି ପଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଚୁଡ଼ା ମଧ୍ୟ ଗନ୍ଧୁଆ ଓ ପିତା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ରିଲିଫ୍ ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏପରିକି ରିଲିଫ୍ ନାଁରେ ଗରିବ ଆଦିବାସୀଙ୍କୁ ଖାଦ୍ୟ ବଦଳରେ ରୋଗ ବଣ୍ଟନ କରାଯାଉଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି।‌ ଘଟଣାକୁ ନେଇ ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ତେବେ ପ୍ରକୃତରେ କାହିଁକି ଏଭଳି ଅବସ୍ଥାରେ ଥିବା ଖାଦ୍ୟ ବଣ୍ଟନ କରାଗଲା, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।

You may have missed