May 10, 2026

ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଭୁବନେଶ୍ୱର କଳିଙ୍ଗ ସ୍ପୋରଟିଂ ଚମ୍ପିୟାନ

IMG-20250306-WA0041
Share

ଖଣ୍ଡପଡ଼ା(ଭବାନି ଶଙ୍କର ମହାନ୍ତି) ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ସ୍ପୋର୍ଟ୍ସ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ୬ଷ୍ଠ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆଜି କଟକ ଯୁବଜ୍ୟୋତି କ୍ଳବ୍ ଏବଂ ଭୁବନେଶ୍ୱର କଳିଙ୍ଗ ସ୍ପୋରଟିଂ କ୍ଲବ୍ ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ସ୍ପୋରଟିଂ କ୍ଲବ୍ ୭-୬ ଗୋଲରେ କଟକ ଯୁବଜ୍ୟୋତି କ୍ଳବକୁ ପରାସ୍ତ କରି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଆଜିର ଫାଇନାଲ ମ୍ୟାଚ ଅତ୍ୟନ୍ତ ଚିତ୍ତାକର୍ଷକ ଥିବାବେଳେ ଶେଷ ମୁହୂର୍ତ୍ତ ସୁଦ୍ଧା ଉଭୟ ଦଳ ମଧ୍ୟରେ ୨-୨ ଗୋଲରେ ବରାବର ରହିଥିଲା। ତେଣୁ ଫଳାଫଳ ନିର୍ଦ୍ଧାରଣ ନିମନ୍ତେ ପରବର୍ତ୍ତୀ ମୁହୂର୍ତ୍ତରେ ଟ୍ରାଇବେକରର ସହାୟତା ନିଆଯାଇଥିଲା। ପ୍ରଥମ ୫ଟି ସୁଯୋଗରେ ଉଭୟ ଦଳ ମଧ୍ୟ ପୁନର୍ବାର ବରାବର ରହିଥିଲେ। ତେଣୁ ସଡନ୍ ଦେଥ ପ୍ରକ୍ରିୟାରେ ଉଭୟ ଦଳଙ୍କୁ ଆହୁରି ୪ଟି ସୁଯୋଗ ମିଳିଥିଲା। ପରିଶେଷରେ ନବମ ସୁଯୋଗରେ ଭୁବନେଶ୍ୱର ୭-୬ ଗୋଲରେ କଟକକୁ ପରାସ୍ତ କରି ଚଳିତବର୍ଷର ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ମ୍ୟାଚ ପରିଚାଳନା କରିଥିବା ବେଳେ ପ୍ରଫୁଲ୍ଲ ବେହେରା ଏବଂ ପ୍ରସନ୍ନ କୁମାର ନାୟକ ଲାଇନରେ ସହାୟତା କରିଥିଲେ। ଏଥିସହ କ୍ରୀଡ଼ା ଶିକ୍ଷକ ସମୀର ଖୁଣ୍ଟିଆ ୪ର୍ଥ ରିଫରି ଭାବେ କାର୍ଯ୍ୟ ତୁଲାଇଥିଲେ। ବରିଷ୍ଠ କଥାକାର ନିରଦ ଚନ୍ଦ୍ର ଆର୍ଯ୍ୟ ଧାରାବିବରଣୀ ପ୍ରଦାନ କରିଥିଲେ। ସ୍ବର୍ଗତ ମହେନ୍ଦ୍ର ସ୍ୱାଇଁଙ୍କ ସୁପୁତ୍ର ତଥା ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ଆଜିର ଫାଇନାଲ ମ୍ୟାଚରେ ଅତିଥି ଭାବେ ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ, ତହସିଲଦାର ବିଶ୍ଵ ବିସ୍ମୃତ ତ୍ରିପାଠୀ, ବିଶିଷ୍ଟ ସାହିତ୍ୟିକ ଭାରତୀ ଭୂଷଣ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୀତା ସ୍ୱାଇଁ, ଜିଲ୍ଲାପରିଷଦ ସଦସ୍ୟା ଉଜ୍ଜଳ ମହାରଣା, ବରିଷ୍ଠ ନାଗରିକ ଫୋରମ ସଭାପତି ଅଖିଳ ମହାରଣା, ସମାଜସେବୀ ଭୋଳାନାଥ ମହାନ୍ତି, ଭାପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଖେଳାଳି ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଆଜିର ବିଶେଷ ଆକର୍ଷଣ ଭାବେ ସିନେ କଳାକାର ପୁପିନ୍ଦର ସିଂହ ଯୋଗଦେଇଥିବା ବେଳେ ଚିଅର ଗାର୍ଲଙ୍କ ନୃତ୍ୟରେ ଦର୍ଶକ ଝୁମିଥିଲେ। ଶେଷରେ ଭୁବନେଶ୍ୱର ଦଳକୁ ଚମ୍ପିୟାନ ଟ୍ରଫି ସହ ନାଗତ ଅର୍ଥରାଶି ଏବଂ କଟକ ଦଳକୁ ରନରସପ୍ ଟ୍ରଫି ସହ ନଗତ ଅର୍ଥରାଶି ପ୍ରଦାନ ପୂର୍ବକ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଆଜି ଫାଇନାଲ ମ୍ୟାଚ ଦେଖିବାକୁ ମଧୁବନ ମିନି ଷ୍ଟାଡିୟମ ପରିସରରେ ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ବ ଦର୍ଶକ ଓ କ୍ରୀଡ଼ା ପ୍ରେମୀଙ୍କ ସମାଗମ ହୋଇଥିଲା। ଆୟୋଜକ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର ମୁଖ୍ୟ ତଥା କ୍ରୀଡ଼ାବିତ୍ ଭିକାରୀ ଖଣ୍ଡାୟତଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।