June 16, 2026

ଘୁମୁସର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ:୧୫୦ ବର୍ଷର ରେକର୍ଡ଼ ଭାଙ୍ଗିଲା, ଲକ୍ଷାଧିକ ଭକ୍ତଙ୍କ ସମାଗମ 

IMG-20251105-WA0096
Share

 

 

ବେଲଗୁଣ୍ଠା:୫/୧୧-ଘୁମୁସର ମାଟିର ଅନନ୍ୟ ଆରାଧ୍ଯ ଦେବୀ ହେଉଛନ୍ତି ମାଆ ବୁଢାକେନ୍ଦୁ Iପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମାଁ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ I ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି Iଚଳିତ ବର୍ଷ ଶୁଖିଲା ପାଗ ଥିବା ସହିତ ଲୋକଙ୍କ ଧାନ କଟା ଆରମ୍ଭ ହୋଇନଥିବାରୁ ଏହି ଐତିହାସିକ ପର୍ବରେ ପ୍ରବଳ ଜନସମାଗମ ଗହଳି ଦେଖିବାକୁ ମିଳିଥିଲା I ମନ୍ଦିର ପରିଚାଳନା କମିଟି ସୂଚନା ପ୍ରକାରେ ଚଳିତ ବର୍ଷ ସର୍ବକାଳୀନ ରେକର୍ଡ଼ ଭାଙ୍ଗି ଦେଢ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା Iମନ୍ଦିର ପରିଚାଳନା କମିଟି ସଭାପତି ତଥା ବିଶିଷ୍ଟ ଆଇନଜୀବୀ ଦେବୀ ପ୍ରସାଦ ତ୍ରିପାଠୀଙ୍କ ସୂଚନା ପ୍ରକାରେ ପୂର୍ବ ନିଷ୍ପତି କ୍ରମେ ଆଜି ଭୋର୍ ଚାରିଟାରେ ମାଆଙ୍କ ଦ୍ୱାର ଫିଟାଯିବା ସହିତ ରୀତିନୀତି ପୂର୍ବକ ମାଜଣା ଏବଂ ଆଳତି ଅନୁଷ୍ଠିତ ହୋଇଥିଲା Iସକାଳ ୫.୧୫ମି ସମୟରେ ମାଆଙ୍କର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଥିଲା Iସକାଳୁ ସକାଳୁ ହିଁ ମାଆଙ୍କ ଦର୍ଶନ ପାଇଁ ଭିଡ଼ ବଢ଼ିବା ସହିତ ଦିନ ୯ଟା ବେଳକୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା Iଗଞ୍ଜାମ ଜିଲ୍ଳା ସମେତ ପଡ଼ୋଶୀ କନ୍ଧମାଳ,ଗଜପତି ଏବଂ ନୟାଗଡ଼ ଏପରିକି ପଡ଼ୋଶୀ ରାଜ୍ୟ ରୁ ମଧ୍ୟ ବହୁ ଭକ୍ତଙ୍କ ସୁଅ ଛୁଟିଥିଲା Iବ୍ରହ୍ମପୁର,ବୁଗୁଡା,ସୋରଡ, ଆସ୍କା, ଭଞ୍ଜନଗର, ଫୁଲବାଣୀରୁ ଭକ୍ତ ମାନେ ବିଭିନ୍ନ ଘରୋଇ ବସ୍ ମାଧ୍ୟମରେ ବୁଢାକେନ୍ଦୁ ପୀଠରେ ପହଞ୍ଚିଥିଲେ ।

କ୍ଷତ୍ରିୟବରପୁର ଠାରୁ ମାଆଙ୍କ ମନ୍ଦିର ପର୍ଯ୍ୟନ୍ତ ଏକ ଜନ ସମୁଦ୍ର ସୃଷ୍ଟି ହୋଇଥିଲା I ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ତରଫରୁ କ୍ଷତ୍ରିୟ ବରପୁର ଛକରେ ହିଁ ତିନି ଚକିଆ ଓ ଚାରି ଚକିଆ ମାନଂକୁ ଅଟକାଯାଇଥିଲା ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହିତ ଯାନବାହନର ପାର୍କିଂ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା Iଭକ୍ତଙ୍କ ଗହଳି ସହିତ ଶହ ଶହ ବିଭିନ୍ନ ଦୋକାନ ପସରା ଉତ୍ସବକୁ ବହୁଗୁଣିତ କରିଥିଲା Iବିଶେଷ କରି ବିଭିନ୍ନ ଘର କରଣା ସାମଗ୍ରୀର ଷ୍ଟଲ୍ ନିକଟରେ ମହିଳା ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ବେଳେ ଆଇସ୍କ୍ରିମ୍,ଖେଳଣା,ଚାଟ୍, ଗୁପଚୁପ ଷ୍ଟଲ୍ ରେ ଛୋଟ ପିଲା ଏବଂ ବିଭିନ୍ନ ଫାଷ୍ଟ ଫୁଡ୍ ଷ୍ଟଲ୍ ରେ ଯୁବ ଗୋଷ୍ଠୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା Iକ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ,ରେଡ଼୍ ରିବନ୍,ସ୍କାଉଟ୍ ଏବଂ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ଭକ୍ତଙ୍କୁ ପାନୀୟ ଜଳ ଯୋଗାଣ କରିବା ସହ ନିଶା ନିବାରଣ ସଚେତନତା ବାର୍ତ୍ତା ପ୍ରଦାନ କରିଥିବା ବେଳେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡ଼ାଃ ସବିତା ବେହେରା,ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାଃ ସ୍ମୃତିରାଣୀ ଗୌଡଙ୍କ ନେତୃତ୍ୱରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର କରାଯାଇଥିଲା ।ଏହି ଅବସରରେ ଗୋବରା ପ୍ରଜାପିତା ବ୍ରହ୍ମାକୁମାରୀ ଷ୍ଟଲ୍ ରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମାଆଙ୍କ କାନିକା ଭୋଗ ବଣ୍ଟନ କରାଯାଇଥିଲା Iଭଞ୍ଜନଗର ଆଡିସନାଲ ଏସ଼.ପି ରଞ୍ଜନ କୁମାର ଦେ, ଭଞ୍ଜନଗର ଏସଡିପିଓ ଡଃ ଦିପକ ମିଶ୍ର, ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନ,ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବର, ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା,୭ ଜଣ ସବ୍ ଇନ୍ସପେକ୍ଟର,୮ ଏଏସଆଇ,୧୬ ମହିଳା କନେଷ୍ଟବଳଙ୍କ ସମେତ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ବରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀ , ଭଞ୍ଜନଗର ଅଗ୍ନିଶମ ବିଭାଗ ଉପସ୍ଥିତ ଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଦେବୀ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି, ସ୍ଵେଚ୍ଛାସେବୀ,ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ,ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଏନସିସି କ୍ୟାଡେଟ୍,୩୦୦ ରୁ ଊର୍ଦ୍ଧ୍ଵ ସ୍ଵେଚ୍ଛାସେବୀ, ଅଧ୍ୟାପକ ଅଧ୍ୟାପିକା ଉତ୍ସବରେ ପୂର୍ଣ୍ଣ ସହଯୋଗ କରିଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed