ନୂଆଖାଇ ଏକ ନୂଆଁ ଦିଶା…
ନୂଆ ଧାନର ବାସ୍ନା, ମାଟିର ମହକ, ମା’ ସମଲେଇଙ୍କ ଆଶୀର୍ବାଦ ଓ ଆତ୍ମୀୟତାର ଭେଟଘାଟ ମଣିଷ ଜୀବନ ପାଇଁ ଏକ ଅମୂଲ୍ୟ ଦାନ।ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ଜୀବନଦର୍ଶନ।ସମଗ୍ର ଦେଶ ଓ ଜାତିପାଇଁ ଏକ ଚେତନା।ପଶ୍ଚିମ ଓଡ଼ିଶାର ମାଟିରେ ଯେତେବେଳେ ନୂଆ ଧାନର ଗନ୍ଧ ଭାସିଆସେ, ଚାଷୀର ମୁହଁରେ ଫୁଟିଉଠେ ଅଲଗା ଏକ ଆନନ୍ଦ। ମାଟି ସହିତ ମଣିଷର ଯେଉଁ ଆତ୍ମୀୟ ସମ୍ପର୍କ, ତାହାର ଜୀବନ୍ତ ପ୍ରତୀକ ହେଉଛି ନୂଆଖାଇ। ଏହି ପର୍ବରେ ନୂଆ ଅନ୍ନ ପ୍ରଥମେ ଇଷ୍ଟଦେବୀଙ୍କୁ ସମର୍ପଣ କରାଯାଏ, ପରେ ପରିବାର ଓ ସମାଜ ତାହାକୁ ଗ୍ରହଣ କରନ୍ତି । ଅର୍ଥାତ୍ ଅନ୍ନ ପୂର୍ବରୁ ଆସେ ଆସ୍ଥା, ଅହଂକାର ପୂର୍ବରୁ ଆସେ ସମର୍ପଣ ଏବଂ ବ୍ୟକ୍ତି ପୂର୍ବରୁ ଆସେ ସମାଜ।ଏହା ହେଉଛି ନୂଆଖାଇର ମୂଳମନ୍ତ୍ର।
ପଶ୍ଚିମ ଓଡ଼ିଶାର ଅର୍ଥନୀତି ଓ ଜୀବନଧାରାର ମୂଳ ଆଧାର ହେଉଛି କୃଷି। ଚାଷୀ ବର୍ଷସାରା ମାଟି ସହ ସଂଘର୍ଷ କରେ।କେବେ ଅନାବୃଷ୍ଟି, କେବେ ଅତିବୃଷ୍ଟି, କେବେ ରୋଗପୋକ ତ ଆଉ କେବେ ବଜାରର ଅନିଶ୍ଚିତତା। ତଥାପି ନୂଆ ଧାନ ଘରକୁ ଆସିଲେ ତା’ର ମନରେ ଜନ୍ମ ନିଏ ନୂଆ ଆଶା।ସେହି ଆଶାକୁ ସାମାଜିକ ଉତ୍ସବରେ ପରିଣତ କରେ ନୂଆଖାଇ। ଜମିରେ ଉତ୍ପାଦିତ ଅନ୍ନ କେବଳ ଚାଷୀର ନୁହେଁ,ସମଗ୍ର ସମାଜର। ଏହି ଚେତନା ନୂଆଖାଇର ମୂଳରେ ରହିଛି।
ନୂଆଖାଇର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଭେଟଘାଟ ପରମ୍ପରା। ବୟସରେ ବଡ଼ଙ୍କୁ ଜୁହାର, ସାନଙ୍କୁ ଆଶୀର୍ବାଦ ଓ ସମବୟସ୍କଙ୍କୁ ଆତ୍ମୀୟତାର ବନ୍ଧନ।ଏହି ସରଳ ସମ୍ପର୍କଗୁଡ଼ିକ ନୂଆଖାଇରେ ନୂଆ ଜୀବନ ପାଏ।ସମାଜକୁ ଦେଖାଇଥାଏ ନୁଆଁ ଆଲୋକ।ବର୍ଷସାରା ଯେଉଁ ମନୋମାଳିନ୍ୟ ରହିଥାଏ, ତାହାକୁ ଭୁଲି ଲୋକେ ପରସ୍ପରକୁ ଆଲିଙ୍ଗନ କରନ୍ତି, ଜୁହାର କରନ୍ତି ଓ ଶୁଭେଚ୍ଛା ଜଣାନ୍ତି। ଏହାହିଁ ହେଉଛି ମହାନ ପର୍ବ। ନୂଆଖାଇ ଜୁହାର ଭେଟଘାଟ।ଏହା ଏକ ଅଦୃଶ୍ୟ ସାମାଜିକ ସମ୍ମତି।ପୁରୁଣା ଅଭିମାନକୁ ଛାଡ଼ି ନୂଆ ସମ୍ପର୍କ ଆରମ୍ଭ କରିବାରେ ନୂଆଖାଇ ଦେଖାଏ ବାଟ।
“ନୂଆ ଅନ୍ନ ସହ ନୂଆ ସମ୍ପର୍କ, ନୂଆ ଚିନ୍ତା ଓ ନୂଆ ଆଶା।”ଏହା ପୁରରୁ ପଲ୍ଲୀ ଠାରୁ ଆରମ୍ଭ କରି ସାରା ସହର ରାଜ୍ୟ ଓ ରାଜ୍ୟ ବାହାର ସବୁଠି ନୂଆଖାଇର ଆନନ୍ଦ ଦେଖିବାକୁ ମିଳିଥାଏ।ଆଜି ନୂଆଖାଇ ଆଉ କେବଳ ଗାଁର ପର୍ବ ହୋଇ ରହିନାହିଁ। ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କଳାହାଣ୍ଡି ଆଦି ଅଞ୍ଚଳର ପୁରପଲ୍ଲୀରେ ଏହାର ଉତ୍ସବୀୟ ରୂପ ଦେଖିବାକୁ ମିଳେ।ଚାକିରି, ବ୍ୟବସାୟ ଓ ଶିକ୍ଷା ପାଇଁ ଦୂର ସହରରେ ରହୁଥିବା ଲୋକେ ମଧ୍ୟ ନିଜ ମାଟିକୁ ଫେରିବାକୁ ଚେଷ୍ଟା କରନ୍ତି। ଯେଉଁମାନେ ଫେରିପାରନ୍ତି ନାହିଁ, ସେମାନେ ଯେଉଁଠି ରହନ୍ତି ସେଠି ନୂଆଖାଇ ପାଳନ କରନ୍ତି। ଫଳରେ ନୂଆଖାଇ ଏକ ଅଞ୍ଚଳର ସୀମା ଡେଇଁ ଏକ ବ୍ୟାପକ ସାଂସ୍କୃତିକ ପରିଚୟରେ ପରିଣତ ହେଉଛି।
ନୂଆଖାଇ ଆସିଲେ ପଶ୍ଚିମ ଓଡ଼ିଶାର ଘରେଘରେ ବସ୍ତ୍ରରେ ମଧ୍ୟ ଦେଖାଯାଏ ନୂଆ ରଙ୍ଗ। ସମ୍ବଲପୁରୀ ଇଜ୍ଵତ୍, ବାନ୍ଧକଳା ଓ ହସ୍ତତନ୍ତର ବିଭିନ୍ନ ଡିଜାଇନ୍ କେବଳ ପୋଷାକ ନୁହେଁ; ଏଗୁଡ଼ିକ ଏହି ମାଟିର ସ୍ମୃତି, ଶିଳ୍ପୀଙ୍କ ଶ୍ରମ ଓ ପିଢ଼ି ପିଢ଼ିର ସୃଜନଶୀଳତାର ପରିଚୟ ହୋଇଥିବାରୁ ପ୍ରାୟତଃ ସମସ୍ତେ ଏବେ ଆଦରିଛନ୍ତି ଏହି ସମ୍ବଲପୁରୀ ବସ୍ତ୍ର।ନୂଆଖାଇରେ ସମ୍ବଲପୁରୀ ବସ୍ତ୍ର ପିନ୍ଧିବା ଏକ ଫ୍ୟାଶନ୍ ନୁହେଁ; ଏହା ନିଜ ସଂସ୍କୃତି ପ୍ରତି ଗର୍ବ ପ୍ରକାଶର ଏକ ମାଧ୍ୟମ। ଏହା ସହିତ ବୁଣାକାର ପରିବାର, ହସ୍ତତନ୍ତ ଶିଳ୍ପ ଓ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ମିଳେ ନୂଆ ଗତି ଦେଇଥାଏ।
ଅନ୍ୟ ଅର୍ଥରେ କହିବାକୁ ଗଲେ ନୂଆଖାଇ ଅର୍ଥ ହେଉଛି ଲୋକସଂସ୍କୃତିର ଏକ ବିଶାଳ ମଞ୍ଚ। ଢୋଲ, ନିଶାନ, ତାସାର ତାଳ ସହ ଧ୍ୱନିତ ହୁଏ ଲୋକଗୀତ। ଡାଲଖାଇ, ରସରକେଲି, ମାଏଲାଜଡ଼, କରମା ଭଳି ଲୋକନୃତ୍ୟରେ ପ୍ରତିଫଳିତ ହୁଏ ଏହି ଅଞ୍ଚଳର ଜୀବନ, ପ୍ରେମ, ପ୍ରକୃତି ଓ ସାମାଜିକ ଚେତନା।ଏହି ଲୋକକଳା କେବଳ ମନୋରଞ୍ଜନ ନୁହେଁ। ଏହା ହେଉଛି ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ଜ୍ଞାନ, ସ୍ମୃତି ଓ ପରିଚୟ ହସ୍ତାନ୍ତରର ମାଧ୍ୟମ।ତେଣୁ ନୂଆଖାଇ ଭେଟଘାଟ ସମ୍ପର୍କର ପୁନର୍ନିର୍ମାଣ ଭାବେ ଏବେ ଯୁବ ପୀଢ଼ି ଗ୍ରହଣକରି ଗାଁ ଗାଁ, ସାହି ପଡିଶାରୁ ଛକ, ମଣ୍ଡପ ଯାଏ ଲମ୍ବେଇଲେଣି ଏହି ପସରା। ଆଉ ଢୋଲ, ନିଶାନ ଆଉ ତାସାର ତାଳରେ ନୁଆଁ ଆଶାରେ ମନ ହୁଏ ଉନ୍ମାଦିତ।
ଆଧୁନିକ ଜୀବନ ମଣିଷକୁ ନିକଟରେ ରହି ମଧ୍ୟ ଦୂର କରିଦେଇଛି। ମୋବାଇଲ୍ ଓ ସୋସିଆଲ୍ ମିଡିଆର ଯୁଗରେ ମୁହାଁମୁହିଁ କଥାବାର୍ତ୍ତା କମିଛି। ଏହି ପରିସ୍ଥିତିରେ ନୂଆଖାଇ ଭେଟଘାଟର ଗୁରୁତ୍ୱ ଆହୁରି ବଢ଼ିଯାଏ।
ଘରର ବଡ଼ଙ୍କ ପାଖକୁ ଯାଇ ଜୁହାର କରିବା, ପଡ଼ୋଶୀଙ୍କ ଘରକୁ ଯିବା, ବନ୍ଧୁବାନ୍ଧବଙ୍କୁ ଭେଟିବା ଓ ସମସ୍ତଙ୍କ ସହ ଶୁଭେଚ୍ଛା ବିନିମୟ କରିବା,ଏସବୁ ମଣିଷକୁ ପୁଣିଥରେ ସମ୍ପର୍କର ମୂଲ୍ୟ ବୁଝାଇଦିଏ।ଯାହା ନୂଆଖାଇ ଦେଖାଉଛି ନୂଆ ଆଶା, ନୁଆଁ ଦିଶା।
ସମୟ ବଦଳୁଛି। ନୂଆଖାଇର ପାଳନ ପ୍ରଣାଳୀ ମଧ୍ୟ ବଦଳୁଛି। କିନ୍ତୁ ବଦଳିବା ଉଚିତ ନୁହେଁ ଏହାର ମୂଳ ଚେତନା।
ନୂଆଖାଇ ଆମକୁ ଶିଖାଇଛି ଚାଷୀ ଭାଇଙ୍କୁ ସମ୍ମାନ କରିବା, ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା, ହସ୍ତତନ୍ତ ଓ ଲୋକକଳାକୁ ବଞ୍ଚାଇବା, ପ୍ରକୃତିକୁ ସୁରକ୍ଷା କରିବା, ଆମ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇରଖିବା ଏବଂ ସମାଜରେ ଭାଇଚାରା ବଢ଼ାଇବା।
ନୂଆଖାଇ ହେଉଛି ମାଟି ସହ ସମ୍ପର୍କକୁ ଦୃଢ଼ କରିବାର ଦିନ। ଚାଷୀର ପରିଶ୍ରମ କୁ ବୁଝିବାର ଦିନ। ବୁଣାକାରଙ୍କ ହାତର କଳାକୁ ସମ୍ମାନ ଦେବାର ଦିନ। ଲୋକକଳାକାରଙ୍କ ସ୍ୱରକୁ ଆଗକୁ ନେବାର ଦିନ। ଏବଂ ସବୁଠାରୁ ବଡ଼ କଥା ହେଉଛି ମଣିଷ ମଣିଷ ମଧ୍ୟରେ ଥିବା ଦୂରତାକୁ କମାଇବାର ଦିନ।
ଅର୍ଥାତ ନୂଆଖାଇର ଅସଲ ଅର୍ଥ ଏହା ହେଉଛି ନୂଆଖାଇରେ ନୂଆ ଅନ୍ନ ଖାଇବା ଏକ ପରମ୍ପରା।ନୂଆ ସମ୍ପର୍କ ଗଢ଼ିବା ଏକ ସଂସ୍କୃତି।ପୁରୁଣା ଅଭିମାନ ଭୁଲିବା ଏକ ମାନବିକତା।
ଚାଷୀକୁ ସମ୍ମାନ କରିବା ଏକ ଦାୟିତ୍ୱ,
ଏବଂ ନିଜ ମାଟିକୁ ଭଲପାଇବା ଏକ ପରିଚୟ।
ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ନୂଆଖାଇ ତେଣୁ ପ୍ରତିବର୍ଷ ନୂଆ ରୂପରେ ଆସେ, କିନ୍ତୁ ଏହାର ଆତ୍ମା ସମାନ ରହେ। ନୂଆ ଧାନର ଗନ୍ଧରେ ମାଟିର ଡାକ, ଜୁହାରରେ ଭାଇଚାରା, ସମ୍ବଲପୁରୀ ବସ୍ତ୍ରରେ ପରିଚୟ, ଲୋକନୃତ୍ୟରେ ଜୀବନ ଓ ଭେଟଘାଟରେ ସମ୍ପର୍କର ଉଷ୍ମତା ପାଇଥାଏ।ଏସବୁକୁ ନେଇ ନୂଆଖାଇ ଆଜି ଏକ ନୂଆ ଦିଶାର ସନ୍ଧାନ ଦେଉଛି।
ନୂଆ ଅନ୍ନ ଆସୁ, ନୂଆ ଚେତନା ଆସୁ।
ମାଟି ସମୃଦ୍ଧ ହେଉ, ଚାଷୀ ହସୁ।
ସମ୍ପର୍କ ଦୃଢ଼ ହେଉ, ସମାଜ ଏକ ହେଉ।ଏହା ହେଉ ନୂଆଖାଇର ନୂଆଁ ଦିଶା।
*ଡା. ରାଜାରାମ ଷଡ଼ଙ୍ଗୀ*
