April 30, 2026

ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ନ ଥୁବାରୁ ଅଧା କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ ମହିଳା , ରାସ୍ତା ପାଲଟିଛି ମରଣଯନ୍ତା ।

IMG-20230905-WA0018
Share

ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ନ ଥୁବାରୁ ଅଧା କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ ମହିଳା , ରାସ୍ତା ପାଲଟିଛି ମରଣଯନ୍ତା ।

ପାରଳାଖେମୁଣ୍ଡି:୫/ ୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଳକରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ଅଧା କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ ମହିଳା। ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଡ଼େଙ୍ଗାସଖାଲ ପଞ୍ଚାୟତ ଅଧିନ ହାଡୁପଦର ଗାଁର ସସ୍ମିତା ନାୟକଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ସୋମବାର ସକାଳେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନ ଥିବାରୁ ଗାଁଠାରୁ ଅଧା କିମି ଦୂରରେ ଆମ୍ବୁଲାନ୍ସଟି ଅଟକିଯାଇଥିଲା । ଏହା ମଧ୍ୟରେ ସମ୍ମିତାଙ୍କର ଘରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଯାଇଥିଲା।ପରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ମନୋଜ କୁମାର ସାହୁ , ଡ୍ରାଇଭର ରମାକାନ୍ତ ମାଝୀ ଓ ହେଲପର ଜୟାବ ଶବରଙ୍କ ପ୍ରଚେଷ୍ଟା , ଗ୍ରାମବାସୀ ଓ ଆଶାଦିଦି କୁନି ନାୟକଙ୍କ ସହଯୋଗରେ ଗର୍ଭବତୀ ମହିଳାଙ୍କୁ ଅଧା କିମି ଷ୍ଟେଚରରେ ବୋହି ଆମ୍ବୁଲାନ୍ସ ଯାଏଁ ଆଣିବା ପରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଡାକ୍ତର ଓ ନର୍ସଙ୍କର ପ୍ରଗାଢ଼ ଚେଷ୍ଟ। ଫଳରେ ମହିଳା ଜଣକ ଆଉ ଏକ କନ୍ୟା ସନ୍ତାନ ପ୍ରସବ କରିଥିବା ଜଣାପଡିଛି। ମା’ ଓ ୨ ଛୁଆ ସୁସ୍ଥ ଥିବା ଡାକ୍ତର ଗଜପତି ମଳିକ କହିଛନ୍ତି। ପ୍ରକାଶ ଥାଉକି, ମୋହନା ବ୍ଳକରେ ବହୁ ଦୁର୍ଗମ ପଞ୍ଚାୟତର ଗ୍ରାମଗୁଡିକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଓ ପୋଲ ନିର୍ମାଣ ହୋଇପାରୁନି।ଅଞ୍ଚଳବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପଦାଧିକାରୀଙ୍କୁ ବିଭିନ୍ନ ସମୟରେ ଲିଖିତ ଓ ମୌଖିକ ଭାବେ ଜଣାଇ ଆସୁଥିଲେ ମଧ୍ୟ ଫଳ ଶୂନ। ଦୀର୍ଘ ବର୍ଷ ହେଲା ଗ୍ରାମ ଗୁଡିକର ଏଭଳି ଗୁରୁତର ସମସ୍ୟା ସମାଧାନ ନ ହେବାରୁ ଆଗକୁ ଆସୁଥିବା ନିର୍ବାଚନରେ ଭୋଟ ବର୍ଜନ,ବ୍ଲକ ଘେରାଉ , ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଓ ରାଜରାସ୍ତା ଅବରୋଧ କରିବାକୁ ଗ୍ରାମବାସୀମାନେ ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। କେବେ ରାସ୍ତା ଓ ପୋଲ ନିର୍ମାଣ ହେବ ସେମାନଙ୍କ ଦୁଃଖ ଦୂର ହେବ ସେହି ଦିନକୁ ଅପେକ୍ଷା କରି ଚାହିଁ ରହିଛନ୍ତି ଦୁର୍ଗମ ଅଞ୍ଚଳ ଗ୍ରାମବାସୀ ।