September 1, 2026

ବିଶ୍ବ ପରିବେଶ ଦିବସ-୨୦୨୬ ଅବସରରେ ରାୟଗଡ଼ ପୌରପରିଷଦ ପକ୍ଷରୁ ବୃକ୍ଷରୋପଣ ଓ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ

IMG-20260605-WA0094
Share

 

 

ରାୟଗଡ, ୦୫. ୦୬. ୨୦୨୬:  ବିଶ୍ୱ ପରିବେଶ ଦିବସ-୨୦୨୬ ପାଳନ ଅବସରରେ ରାୟଗଡ଼ ପୌରପରିଷଦ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ ଉଦ୍‌ଘାଟନ ସମାରୋହ ଆୟୋଜିତ ହୋଇଥିଲା । ଏହା ସହିତ “ମୋ ବଗିଚା”, “ୱେଷ୍ଟ ଟୁ ୱାଣ୍ଡର ପାର୍କ” ଏବଂ “ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର”ର ମଧ୍ୟ ଉଦ୍‌ଘାଟନ କରାଯାଇଥିଲା |ଏହି ସମାରୋହରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I

 

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ ଉଦ୍‌ଘାଟନ କରାଯିବା ପରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ପାରିଷଦବୃନ୍ଦ “ମୋ ବଗିଚା” ପରିସରରେ ବୃକ୍ଷରୋପଣ କରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ “ୱେଷ୍ଟ ଟୁ ୱାଣ୍ଡର ପାର୍କ” ଏବଂ “ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର”ର ଉଦ୍‌ଘାଟନ କରାଯାଇଥିଲା I ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିବା ସହ ରାୟଗଡ଼ ପୌରପରିଷଦ ଦ୍ବାରା ନିର୍ମିତ ଏହି ଅଭିନବ ପ୍ରକଳ୍ପଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ । ସେମାନେ ଆବର୍ଜନା ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ଆଲୋଚନା କରିବା ସହ ଗୁରୁତ୍ବପୂର୍ଣ ମତାମତ ପ୍ରଦାନ କରିଥିଲେ I ଏହାପରେ ପ୍ଲାଣ୍ଟ ପରିସରସ୍ଥିତ ମିନି କନଫରେନ୍ସ ହଲ୍‌ରେ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଏକ ସ୍ବତନ୍ତ୍ର ପାରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୌରପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ପରିମଳ ବ୍ୟବସ୍ଥା ଓ ଆବର୍ଜନା ପରିଚାଳନା ସମ୍ବନ୍ଧୀୟ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା I

 

କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ, ଜିଲ୍ଲା ବନ ଅଧିକାରୀ ଶ୍ରୀ ସଚିନ ଆନାସାହେବ ଓହୋଲ, ଜିଲ୍ଲା ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡ, ରାୟଗଡ଼ ପୌରପରିଷଦ ଅଧ୍ଯକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ, ସମସ୍ତ ୱାର୍ଡ ପାରିଷଦବୃନ୍ଦ, ସ୍ବଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର, କନିଷ୍ଠ ପରିମଳ ନିରୀକ୍ଷକ ଓ ପୌରପରିଷଦର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମଟିକୁ ରାୟଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ସୂଚାରୁ ଭାବେ ପରିଚାଳନା କରିଥିଲେ ଓ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଥିଲେ I

ରାୟଗଡା ରୁ ରାବରାଜ ବୈଦ୍ୟଙ୍କ ରିପୋର୍ଟ

You may have missed