September 1, 2026

ଗଜପତି:- ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260605-WA0088
Share

 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବନଖଣ୍ଡ ଅଧିକାରିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ସଚେତନତା ପଦଯାତ୍ରା ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରି ରାମସାଗର ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ପଦଯାତ୍ରାକୁ ଡି:ଏଫ:ଓ: ଶ୍ରୀ କେ: ନାଗରାଜୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ଉପରେ ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

ରାମାସାଗର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡିଏଫ:ଓ: ଶ୍ରୀ ନାଗରାଜୁ ପ୍ରଥମେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିବା ପରେ ପରେ ଅନ୍ୟ ଅଧିକାରୀ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରଜାତିର ସମୂହ ବୃକ୍ଷ ରୋପଣ କରା ଯାଇଥିଲା ।pp ।

ପରେ ପରେ ଏହି ଅବସରରେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଡି:ଏଫ୍:ଓ: ଶ୍ରୀ କେ: ନାଗରାଜୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡି:ଏଫ୍:ଓ ଶ୍ରୀ କେ: ନାଗରାଜୁ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରି ପରିବେଶ ସୁରକ୍ଷାର ଆବଶ୍ୟକତା ଓ ସବୁଜ ପରିବେଶ ଗଠନରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ସମ୍ପର୍କରେ କହି ବୃକ୍ଷ ରୋପଣ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଦିଗରେ ଏକ ସାମୁହିକ ଦାୟିତ୍ୱ । ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଓପରିବେଶ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏକ ବଡ ଆହ୍ବାନ ଭାବେ ଉଭା ହୋଇଛି , ତେଣୁ ଏହାର ମୁକାବିଲା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୃକ୍ଷରୋପଣ କରିବା ସହ ପରିବେଶ ସଂରକ୍ଷଣରେ ସକ୍ରିୟ ଭୂମିକା ଗ୍ରହଣ କରିବା ଆବଶ୍ୟକ କହି ଆଗାମୀ ଦିନ ମାନଙ୍କରେ କେଉଁଠି କେତେ ପରିମାଣର ବୃକ୍ଷରୋପଣ କରାଯିବ , ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଏ:ସି:ଏଫ୍:ଓ: ଶ୍ରୀ ଅରୁଣ କୁମାର ସାହୁ , ଏ:ସି:ଏଫ୍:ଓ: ସାଇନ ଶ୍ରୀ ଦାସ ଏବଂ ରେଞ୍ଜ ଅଫିସର୍ ଶ୍ରୀ ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱ ସମ୍ମୁଖରେ ଏକ ବଡ ଆହ୍ୱାନ ଭାବେ ଉଭା ହୋଇଥିବା ବେଳେ ଏହାର ପ୍ରଭାବ କୃଷି , ଜଳସମ୍ପଦ , ସ୍ୱାସ୍ଥ୍ୟ ଜୀବିକା ଓ ସାମାଜିକ ବ୍ୟବସ୍ଥା ଉପରେ ପଡୁଛି । ତେଣୁ କରି ଆମକୁ ଏବେ ଠାରୁ ସୁସ୍ଥ ଜଳବାୟୁ ଅନୁକୂଳ ଜୀବନ ଶୈଳୀ ଆପଣାଇବା ପାଇଁ ବୃକ୍ଷ ରୋପଣ କରିବା ସହ ଏହାର ସୁରକ୍ଷା ନେବା , ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ କରିବା , ଜଳ ଓ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର କରି ଆଗାମୀ ପିଢୀଙ୍କ ଭବିଷ୍ୟତ ପାଇଁ ଏକ ସବୁଜ , ସ୍ଥାୟୀ ଓ ପ୍ରଦୂଷଣ ମୁକ୍ତ ସୁସ୍ଥ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ କରିଥିଲେ ।

ଏହି ଅବସରରେ ୪ ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ସେମାନେ ହେଲେ ମହେନ୍ଦ୍ର ରେଞ୍ଜ ପାଇଁ ଗୋଷାଣୀର ମମତା ପାଢ଼ୀ , ରାମଗିରି ରେଞ୍ଜ ପାଇଁ ଆର: ଉଦୟଗିରି ବ୍ଲକ୍ ତାବର ସିଂ ର ମୁକ୍ତିକାନ୍ତ ମଲ୍ଲିକ , ମୋହନା ରେଞ୍ଜ ପାଇଁ ମୋହନାର ରାମକୃଷ୍ଣ ପାଢ଼ୀ ଏବଂ ଆର: ଉଦୟଗିରି ରେଞ୍ଜ ପାଇଁ ନୂଆଗଡ ମହେନ୍ଦ୍ର କୁମାର ସାହୁ ଙ୍କୁ ମାନପତ୍ର ସହ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରା ଯାଇଥିଲା । ସେହିଭଳି ୪ ଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସେହି ଅନୁଷ୍ଠାନ ଗୁଡ଼ିକ ହେଲା:- ଦେବଗିରି ରେଞ୍ଜ ପାଇଁ ଗୁମ୍ମା ବ୍ଲକ କେ:ସି:ପୁର ସ୍ଥିତ ସରକାରୀ ଏସ:ଏସ:ଡି: ଗାର୍ଲ୍ସ ହାୟର ସେକେଣ୍ଡାରୀ ସ୍କୁଲ , ରାମଗିରି ରେଞ୍ଜ ପାଇଁ ରାୟଗଡ଼ ବ୍ଲକର କଇଁପୂର୍ ସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ସ୍କୁଲ , ଚନ୍ଦ୍ରଗିରି ରେଞ୍ଜ ପାଇଁ ମୋହନା ବ୍ଲକର ଚାନ୍ଦିପୁଟ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ସରକାରୀ ହାଇସ୍କୁଲ ଏବଂ ଆର ଉଦୟଗିରି ରେଞ୍ଜ ପାଇଁ ନୂଆଗଡ ବ୍ଲକର ମା ସିଦ୍ଧେଶ୍ୱରୀ ଶଙ୍କର କୁ ମାନପତ୍ର ସହ ୨୦ ହଜାର ଟଙ୍କାର ଚେକ୍ ପ୍ରଦାନ କରା ଯାଇଥିଲା । ଏଥି ସହ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।

ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତରେ ଥ୍ରି-ଟ୍ରେକିଂ ଟ୍ରାଏଲ୍ସ୍ ର ଓପନିଙ୍ଗ କରିଥିଲେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ସୁଇଚ ବଟନ୍ ମାରି ।

କାର୍ଯ୍ୟାଳୟ ପରିସରରେ ମାଗଣା ଚାରା ବଣ୍ଟନ କେନ୍ଦ୍ରକୁ ମୋହନା ବିଧାୟକ ଉଦଘାଟନ କରିଥିଲେ । ବହୁ ଜନସାଧାରଣଙ୍କୁ ବିଭିନ୍ନ କିସମର ମାଗଣା ଚାରା ବଣ୍ଟନ କରା ଯାଇଥିଲା ।

ସଚେତନତା ସଭା ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମକୁ ଫରେଷ୍ଟର ଶ୍ରୀ ସନ୍ତୋଷ କୁମାର ସାହୁ ସଞ୍ଚାଳନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଫରେଷ୍ଟର ଶ୍ରୀ ପି: ଭେଙ୍କଟ ରାମାଣା ପରିଚାଳନା ଓ ପ୍ରସାଦ ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–

You may have missed