ଆସିଲା ମୌସୁମୀ..

ନିଆଁ ପାଲଟି ଯାଇଥିଲା ମାଟି
ଗ୍ରୀଷ୍ମର ପ୍ରଭାବେ
ଆଁ କରି ଆକାଶକୁ ଚାହିଁଲା ଥିଲା
ତା ଶୋଷିଲା ପାଟିରେ
ସବୁଠି ପ୍ରଚଣ୍ଡ କିରଣ ରେ
ସିଝିଯାଇଥିବା ଦେହ
ମୌସୁମୀ ପ୍ରତୀକ୍ଷା ରେ…..!!
ମୌସୁମୀ ଆସିଲା ବୋଲି
ଆକାଶ ସାରା ମେଘର ମେଲେଣ
ନୃତ୍ୟରତା ନର୍ତ୍ତକୀ ପରି
ଲମ୍ବାଇଛି ମେଘର ଦୁକୁଳ
ଫର ଫର ଉଡୁଛି ଅମ୍ବରେ
ବିଜୁଳି ବଜ୍ରର ନିନାଦରେ
ଜଣାଇ ସ୍ବାଗତ
ଆସିଲା ମୌସୁମୀ
ଢାଳିଦେଇ ସଲୀଳ ଅମୃତ…..!!
ମେଘ ଆଉ ମାଟିର ମିଳନ
ବର୍ଷା ର ମିଠା ମିଠା ଚୁମ୍ବନ ରେ
ଶୀହରିତ ମାଟିର ହୃଦୟ
ଭିଜା ଭିଜା ମାଟିର ଗନ୍ଧରେ
ମହ ମହ ପବନ ବାହାକ
କି ତୃପ୍ତି – କି ଅପୂର୍ବ ଆନନ୍ଦ
ଦିଏ ଜୀବନ ରେ ଶାନ୍ତି….!!
ଗ୍ରୀଷ୍ମ ଆଉ ବର୍ଷାର ସନ୍ଧି କ୍ଷଣେ
ଯେଉଁ ମୁହୂର୍ତ୍ତ- ମିଳନ
ଯେଉଁ ପ୍ରାକୃତିକ ବାସ୍ନା
ଆଘ୍ରାଣ କରିଛ କି କେବେ
ତୁମେ ଆତ୍ମ ବିଭୋର ହେବ ମାନବ ଗଣ
ଦେଖ ଦେଖ ବେଙ୍ଗୁଲୀର ନାଚ
ଡାକୁଛି ମିଳନ ପାଇଁ ବେଙ୍ଗଟିଏ
ଗାଇ ଗାଇ ମଧୁର ସଂଗୀତ….!!
ଆହାଃ କି ଆନନ୍ଦ ଚିତ୍ତ
ଭିଜିବାକୁ ଏଇ କ୍ଲାନ୍ତ ଦେହ
ଚାଲିବାକୁ ଏ କୋମଳ ମସୃଣ ମାଟିରେ
ପଚ୍ ପଚ୍ କାଦୁଅରେ କି ସୁଖଦ ଅନୁଭବ ଆହାଃ
ଲୁଚି ଯାଇଥିବା ଦୁବ ଘାସ ଏବେ
ମେଲାଇବ ତା’ ଶ୍ଯାମଳାଙ୍ଗୀ ତନୁ
ଚାଲିବ ସାଧବ ବୋହୂ ଥିରି ଥିରି ପାଦେ
ଦର୍ଶନେ ଦର୍ଶକ ହୋଇବେ ବିଭୋର….!!
ସବୁଠି ମେଘର ଚର୍ଚ୍ଚା
ଆକାଶକୁ ଚାହିଁ
ଝର ଝର ବର୍ଷା ଯେବେ
ଗାଏ ସ୍ବରେ ମହ୍ଲାର ସଂଗୀତ
ଭାରି ଇଛା ହୁଏ
ସେ ସ୍ବରରେ ମିଶାଇ ମୋ ସ୍ବର
ଭିଜି ଭିଜି ଗାଇବାକୁ
ଜୀବନ ସଂଗୀତ…..!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି) (କବି କେଶବ ଚନ୍ଦ୍ର ନାୟକ)