ରୋଟାରୀ କ୍ଲବ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଓ ମାଗଣା ଔଷଧ ବିତରଣ
ଛତ୍ରପୁର ତା ୫/୪/୨୬(ଅରୁଣ କୁମାର ପଣ୍ଡା )ଏପ୍ରିଲ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ତଥା ଏପ୍ରିଲ ୧୦ ତାରିଖରେ ହୋମିଓପ୍ୟାଥିକ ଦିବସକୁ ନଜରରେ ରଖି ତଥା ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଅଣସଂକ୍ରମିତ ରୋଗରୁ କିପରି ନିଜକୁ ସୁରକ୍ଷିତ ରଖିବା ଉଦ୍ଧେଶ୍ୟ ନେଇ ଆଜି ଛତ୍ରପୁରସ୍ଥିତ ରୋଟାରୀ କ୍ଲବ ତଥା ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁରର ମିଳିତ ସହଯୋଗରେ ସ୍ଥାନୀୟ ବଉଳ ଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଓ ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଡାକ୍ତରୀ ଦଳର ନେତୃତ୍ୱ ନେଇଥିବା ଡ଼ଃ ସିଦ୍ଧାର୍ଥ ଶତପଥୀ ଓ ଲ୍ୟାବ ଟେକ୍ନିସିଆନ ସୁଚିସ୍ମିତା ସାହୁଙ୍କ ତତ୍ୱାବଧାନରେ ଆସିଥିବା ଡାକ୍ତରୀ ଦଳ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଅଂଶୁଘାତ, ଯକ୍ଷ୍ମା, ମଧୁମେୟ, ଥାଇରଏଡ଼ ତଥା ଗଣ୍ଠି ଯନ୍ତ୍ରଣା ଭଳି ଅନେକ ରୋଗରୁ କିପରି ହୋମିଓପ୍ୟାଥି ଔଷଧ ସେବନ ଦ୍ୱାରା ମୁକ୍ତି ମିଳିପାରିବ ସେ ନେଇ ସମସ୍ତଙ୍କୁ ସଚେତନ କରିଥିଲେ ଓ ମାଗଣା ଔଷଧ ବଣ୍ଟନ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ସକାଳ ୯ଘଟିକାରୁ ଆରମ୍ଭ ହୋଇ ଦିବା ୨ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଏହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହାୟତାର ହାଥ ବଢାଇଥିଲେ ଛତ୍ରପୁର ରୋଟାରୀ କ୍ଲବର ପୂର୍ବତନ ସଭାପତି ନିରଞ୍ଜନ ପାତ୍ର, ସମ୍ପାଦକ ଡମ୍ବୁରୁଧର ସାହୁ, ଉପସଭାପତି ଅଜୟ ତ୍ରିପାଠୀ, ଗଜପତି ଜିଲ୍ଲା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଓକିଲ ସୁରଜିତ ସାମନ୍ତରାୟ, ବିମଳ ପ୍ରସାଦ ସାହୁ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଭ୍ରମରବର ଦାସ,ସମିତି ସଭ୍ୟ ରାମ ଚନ୍ଦ୍ର ପରିଡା,ସମାଜସେବୀ ମନୋଜ ମିଶ୍ର, ଓକିଲ ଲସିତ ବରଣ ବେହେରା, ଦିନେଶ ମହାନ୍ତି ପ୍ରମୁଖ। ସୂଚନାଯୋଗ୍ୟ, ଆଗକୁ ମଧ୍ୟ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନଜରରେ ରଖି ଏହିଭଳି ସ୍ୱାସ୍ଥ୍ୟ ସେବା ଶିବିର ଛତ୍ରପୁର ତଥା ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ କରାଯିବ ବୋଲି ରୋଟାରିଆନ ନିରଞ୍ଜନ ପାତ୍ର ସୂଚନା ଦେବା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇ ଏହି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।
