May 10, 2026

ଭବାନୀପାଟଣା ସହରରେ ଜଳସଂକଟ..

IMG-20250305-WA0057
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଫେବୃଆରୀ ଗଲା ମାର୍ଚ୍ଚ ମାସ ଆସିଲା। ତାତି ଦିନକୁ ଦିନ ବଢିବାରେ ଲାଗିଛି। ଏହି ତାତିରେ ଭବାନୀପାଟଣା ବାସୀଙ୍କ ଚିନ୍ତା ପଶିଲାଣି ପାଣି ଟୋପେ ପାଇଁ। ସହରରେ ଏବେ ଠାରୁ ଜଳ ସଂକଟ ଦେଖା ଦେଲାଣି ଆଗକୁ ଆହୁରି ଚାରି ମାସ ବାକି ଅଛି। ଜଳ ସଂକଟ ସହର ବାସୀଙ୍କ ପାଇଁ କିଛି ନୂଆ କଥା ନାହିଁ। ଏଥିସହ ଏହାର ସମାଧାନ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ହୋଇନାହିଁ। ୧୯୫୧ ମସିହାରେ ଯେତେବେଳେ ଭବାନୀପାଟଣା ପୌରପାଳିକା ଘୋଷିତ ହୋଇଥିଲା ସେତେବେଳେ ଏହାର ଜନସଂଖ୍ୟା ପ୍ରାୟ ୧୨ooo ଥିଲା। ସେହି ସମୟରେ ସହର ବାସୀଙ୍କୁ ପାଣିର କୌଣସି ଅସୁବିଧା ନଥିଲା। କାରଣ ୧୯୩o ମସିହାରେ କଳାହାଣ୍ଡିର ତତ୍କାଳିନ ମହାରାଜା ବ୍ରଜମୋହନ ଦେଓ ପ୍ରଥମେ ସହରରେ ପାଇପ ଯୋଗେ ଜନସାଧାରଣଙ୍କୁ ଜଳଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଅଲଗା। ବର୍ତ୍ତମାନ ସହରର ଜନସଂଖ୍ୟା ୧୯୫୧ ମସିହାର ଜନସଂଖ୍ୟାର ପ୍ରାୟ ୧o ଗୁଣରୁ ଅଧିକ ହେବ। ତଥାପି ୨o୧୧ ମସିହା ପର୍ଯ୍ୟନ୍ତ ସହରର ନିର୍ଦ୍ଧାରିତ ପରିସୀମା ମଧ୍ୟରେ ଥିବା ଜନସଂଖ୍ୟା ବର୍ତ୍ତମାନ ୧ ଲକ୍ଷରୁ ଉର୍ଦ୍ଧ ହେବ।ସହରକୁ ୨o ଟି ୱାର୍ଡରେ ବିଭକ୍ତ କରାଯାଇଛି। ୨o୧୧ ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ପ୍ରାୟ ୭o,ooo ଥିଲା। ସେହି ହିସାବରେ ସହରର ଜନସାଧାରଣଙ୍କୁ ପ୍ରାୟ ୧o.୩୫ ଏମ. ଏଲ. ଡ଼ି ଜଳ ଆବଶ୍ୟକ ଥିଲା କିନ୍ତୁ ସହରବାସୀଙ୍କୁ ମାତ୍ର ୪.୨ ଏମ. ଏଲ. ଡ଼ି ଜଳ ଯୋଗାଣ ହେଉଥିଲା। ବର୍ତ୍ତମାନ ଏଥିରେ ନାମ ମାତ୍ର ପରିବର୍ତ୍ତନ ଆସିଛି। ଯାହାକି ସମୁଦ୍ରକୁ ଶଙ୍ଖେ ଭଳି। ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ସହରର ୨o ଟି ଯାକ ୱାର୍ଡରେ ଅଧିକାଂଶ ଜାଗାରେ ପାଣି ପାଇପ ବିଛାଯାଇପାରିନାହିଁ।ଏହାଛଡା ସବୁଠାରୁ ବିଡମ୍ବନାର ବିଷୟ ହେଲା କଳାହାଣ୍ଡି ମହାରାଜଙ୍କ ଦ୍ଵାରା ବିଛା ଯାଇଥିବା ମୁଖ୍ୟ ପାଣି ପାଇପ ଗୁଡିକ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇନାହିଁ। ଏହି ପାଇପ ଗୁଡିକ ଉପରେ ମୁଖ୍ୟ ଡ୍ରେନ ଗୁଡିକ ଯିବା ଓ ପାଇପରେ ବିଭିନ୍ନ ଜାଗାରେ ଫାଟ ସୃଷ୍ଟି ହୋଇ ସେଥିରେ ଡ୍ରେନର ପାଣି ମିଶୁଥିବାରୁ ଲୋକଙ୍କ ପାଖକୁ ଦୂଷିତ ଜଳ ପହଞ୍ଚୁଛି। ଯାହାଦ୍ଵାରା ଜଣ୍ଡିସ, ପେଟ ରୋଗ, ଚର୍ମ ରୋଗ ଆଦିରେ ଲୋକେ ପୀଡିତ ହେଉଛନ୍ତି। ଏନେଇ ଲୋକେ ସମ୍ପୃକ୍ତ ବିଭାଗରେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ସମସ୍ୟାର ସମାଧାନ କିଛି ନାହିଁ। ଏହାଛଡା ଏପ୍ରିଲ, ମେ, ଜୁନ ମାସରେ ପ୍ରଚଣ୍ଡ ଖରା ଯୋଗୁଁ ନଦୀ, ନାଳ, ବଡ ବଡ ବନ୍ଧ ଗୁଡିକ ଶୁଖିଯାଏ। ଆଧାରୁ ଅଧିକ ନଳକୂପ ଗୁଡିକରେ ବଡ କଷ୍ଟରେ ପାଣି ବାହାରେ। ସହରରେ ଅନେକ ସରକାରୀ ନଳକୂପ ଗୁଡିକ ଅଚଳାବସ୍ଥାରେ ପଡିଛି। ଏହାଛଡା ଯେଉଁ ସବୁ ଘରଗୁଡିକ ପାଣି ପାଇପ ଦ୍ୱାରା ସଂଯୋଗ ହୋଇଛି, ସେଥିରେ ଅସଲ ଖରାଦିନେ ଦିନ ମଧ୍ୟରେ ପାଣି କେଉଁଠି ଗୋଟିଏ ବାଲଟି ତ କେଉଁଠି ଗୋଟିଏ ମଗ ପାଣି ମଧ୍ୟ ଆସେନାହିଁ। ଏନେଇ ସହରବାସୀଙ୍କ ବାରମ୍ବାର ଅଭିଯୋଗ କରିକରି ସମାଧାନର ଆଶା ମଉଳି ଗଲାଣି।ସହରଠାରୁ ୧୨ କି. ମି ଦୂରରେ ଥିବା ଶାଗଡା ନଦୀରୁ ପାଇପ ଯୋଗେ ସହରକୁ ଜଳଯୋଗାଣ କରାଯାଇଥାଏ। କିନ୍ତୁ ଅସଲ ଖରାଦିନ ଆସିଲେ ଏହି ନଦୀରେ ବଡ କଷ୍ଟରେ ପାଦେ ଉଚ୍ଚରେ ପାଣି ବହେ। ତେଣୁ ଜଳ ସେଚନ ବିଭାଗକୁ ଜଳଯୋଗାଣରେ ଅସୁବିଧା ହୋଇଥାଏ। ସହରରେ ଚର୍ଚ୍ଚା ହେଉଛି ଯେ ଏହି ସମସ୍ୟାର ସମାଧାନ ପାଇଁ ଏକ ମାତ୍ର ରାସ୍ତା ହେଲା ସହରରୁ ୨୫ କି. ମି ଦୂର ହାତୀ ନଦୀ କିମ୍ବା ୩୫ କି. ମି. ଦୂର ତେଲ ନଦୀରୁ ପାଣି ଯୋଗାଣ କରିବା। ଏନେଇ ସହରର କିଛି ବୁଦ୍ଧିଜୀବୀ କହିଛନ୍ତି, କଳାହାଣ୍ଡି ଜିଲ୍ଲା ପ୍ରଶାସନ, ପୌରପାଳିକା ତଥା ଜଳ ଯୋଗାଣ ବିଭାଗ ଅତିଶୀଘ୍ର ପଦକ୍ଷେପ ନେଉ ଓ ପାଣି ସମସ୍ୟାର ସମାଧାନ କରୁ। ନଚେତ ପରବର୍ତ୍ତୀ ସମୟରେ ସହରର ପରିସ୍ଥିତି ଅଣାୟତ ହୋଇପଡିବ।ଶେଷରେ ସହରବାସି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ।