May 10, 2026

ବେନିୟମ ଗାଡ଼ି ଉପରେ ନଜର, ଭଞ୍ଜନଗର ଆରଟିଓ-ପୋଲିସ ପକ୍ଷରୁ ଚଢାଉ ଜୋରଦାର

IMG-20250305-WA0003
Share

 

 

 

ଭଞ୍ଜନଗର,୪।୩(ସୁକାନ୍ତ କୁମାର ନାୟକ): ଭଞ୍ଜନଗର ଥାନା ଅଞ୍ଚଳରେ ଅନେକ ଗାଡ଼ି ବେନିୟମ ଭାବେ ଚାଲୁଛି। ସେଥିମଧ୍ୟରୁ କିଛି ଗାଡ଼ିର କାଗଜପତ୍ର ନାହିଁ। ଆଉ କିଛି ଗାଡ଼ି ଚାଳକ ନକଲି ନମ୍ବର ପ୍ଲେଟ ଲଗାଇ ଗାଡ଼ି ଚଳାଉଛନ୍ତି। ଏହିଭଳି ବେନିୟମ ଗାଡ଼ିକୁ ଧରିବା ପାଇଁ ଭଞ୍ଜନଗର ପୋଲିସ ଏବଂ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆଜକୁ କିଛି ଦିନ ହେବ ଚଢାଉ ଜୋରଦାର ହୋଇଛି। ଭଞ୍ଜନଗର ପୋଲିସ ବିଗତ ଏକ ସପ୍ତାହ ମଧ୍ୟରେ ଶତାଧିକ ବାଇକ, ସ୍କୁଟି ଯାଞ୍ଚ କରିଛି। ମଙ୍ଗଳବାର ଭଞ୍ଜନଗର ମୁଖ୍ୟ ସଡ଼କ ରେ ଜଣେ ବାଇକ ଚାଳକ ଦ୍ରୁତ ଗତିରେ ଯାଉଥିଲା। ପୋଲିସ ସନ୍ଦେହ କରି ଗାଡ଼ିର ପିଛା କରି ଗାଡ଼ିକୁ ଅଟକାଇବାରେ ସକ୍ଷମ ହୋଇଥିଲା।

 

ଏହାପରେ ଗାଡ଼ିର ନମ୍ବର ପ୍ଲେଟ ଯାଞ୍ଚ କରିବାରୁ ତାହା ନକଲି ନମ୍ବର୍‌ ଥିବା ଜଣାପଡିଥିଲା। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସଂଧ୍ୟାରେ କୋର୍ଟ ଚାଲାଣ କରିଛି। ଏଥିସହ ଦ୍ରୁତ ବାଇକ ଚାଳନା, ବାଇକରେ ଦୁଇରୁ ଅଧିକ ଯାତ୍ରୀ ଯାଉଥିବା ଗାଡ଼ିକୁ ମଧ୍ୟ ଧରାଯାଉଛି। ଆଗାମୀ ଦିନରେ ଚଢାଉକୁ ଜୋରଦାର କରାଯିବ ବୋଲି ଥାନା ଅଧିକାରୀ ଜିବନାନନ୍ଦ ଜେନା ଏଠାରେ ସୂଚନା ଦେଇଛନ୍ତି। ସେହିଭଳି ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଦ୍ରୁତ ଗାଡି ଚାଳନା, ମଦୁଆ ଗାଡି ଚାଳକ, ବିନା ହେଲମେଟ ରେ ଗାଡି ଚଳାଉଥିବା ଗାଡି ଚାଳକ ଉପରେ କଡା ନଜର ରଖୁଛି। ଏଥିସହ ସମସ୍ତ ବେନିୟମ ଗାଡ଼ିକୁ ଠାବ କରି ଧରିବା ପାଇଁ ଉଦ୍ୟମ ହେଉଛି। ଯେଉଁମାନେ ସଡ଼କ ପରିବହନ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏଠାରେ ସୂଚନା ଦିଆଯାଇଛି।