September 4, 2026

ହାଟଡିହି – ସମଣା ଓ ବରାଙ୍ଗ ନସିରିପୁର ରାସ୍ତା ଦୁରବସ୍ଥାକୁ ନେଇ ତାତିଲେ ଲୋକେ, ଆନ୍ଦୋଳନ ଚେତାବନୀ..

IMG-20260903-WA0079
Share

 

 

ବଡ଼ ବଡ଼ ଖାଲରେ ଯାତାୟାତ ବିପଦପୂର୍ଣ୍ଣ, ମରାମତି ପାଇଁ ଗୁରୁତ୍ୱ ଦେଉନି ପୂର୍ତ୍ତ ବିଭାଗ

 

 

ହାଟଡ଼ିହି ତା ୩/୯(ମନମୋହନ ନାୟକ) : ହାଟଡ଼ିହି ବ୍ଲକ ଅଧୀନସ୍ଥ ହାଟଡିହି -ସମଣା ଓ ବରାଙ୍ଗ ଠାରୁ ନସିରପୁର ରାସ୍ତା ଦୁରବସ୍ଥାକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ। ଆଜି ୫୦ରୁ ଉର୍ଦ୍ଧ ସ୍ଥାନୀୟ ଲୋକ ବରାଙ୍ଗ ଛକରେ ବିକ୍ଷୋଭ କରି ପ୍ରତିବାଦ ଜଣାଇଛନ୍ତି। ସେମାନଙ୍କ ଅଭିଯୋଗ ଯେ ଏ ଅଞ୍ଚଳର ମୁଖ୍ୟ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଏହା ଏବେ ଯାତାୟାତ ପାଇଁ ଏକପ୍ରକାର ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଭାରୀଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଅଧିକ ଶୋଚନୀୟ ହୋଇପଡ଼ୁଛି। ରାସ୍ତାର ଦୁରବସ୍ଥା ଯୋଗୁଁ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବାଇକ୍ ଆରୋହୀ ଓ ଛୋଟ ଚାରିଚକିଆ ଯାନର ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, କିଛି ବର୍ଷ ପୂର୍ବେ ଏହି ରାସ୍ତାର ନବୀକରଣ କାର୍ଯ୍ୟ କରାଯାଇଥିଲା। କିନ୍ତୁ ୩୦ /୪୦ ଟନ ଓଜନର ବାଲି ବୋଝେଇ ଟ୍ରକ ଯାତାୟାତ ଯୋଗୁଁ ନିର୍ମାଣର ଅଳ୍ପ କିଛି ଦିନ ପରେ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ଧୀରେ ଧୀରେ ବଡ଼ ବଡ଼ ଗାଢ଼ ହୋଇଯାଇଛି। କେତେକ ସ୍ଥାନରେ ଆଣ୍ଠୁଏ ଗଭୀର ଖାଲ ସୃଷ୍ଟି ହୋଇଥିବାରୁ ଗାଡ଼ି ଚଳାଚଳ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି ବାଇକ୍ ଆରୋହୀମାନେ ଏହି ଖାଲଖମା ଯୋଗୁଁ ନିୟମିତ ଭାବେ ଦୁର୍ଘଟଣାର ଶିକାର ହୋଇ ଧନ ଜୀବନ ହାନୀ ଘଟୁଛି। ହେଉଥିବା ଅଭିଯୋଗ ହୋଇଛି। ବର୍ଷା ହେଲେ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି। ରାସ୍ତାର ଖାଲଗୁଡ଼ିକରେ ବର୍ଷାଜଳ ଜମି ରହିବା ଫଳରେ ଖାଲର ଗଭୀରତା ଜଣାପଡ଼ୁନାହିଁ। ଫଳରେ ବାଇକ୍ ଓ ସାଇକେଲ ଆରୋହୀମାନେ ଖାଲରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ଅଳ୍ପ ଉଚ୍ଚତା ବିଶିଷ୍ଟ ଛୋଟ ୩ ଓ ୪ ଚକିଆ ଯାନଗୁଡ଼ିକ ମଧ୍ୟ ଏହି କୃତ୍ରିମ ଗାଢ଼ ଯୋଗୁଁ ଯାତାୟାତ ସମୟରେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏପରିକି ଏହି ରାସ୍ତାରେ ଚଳାଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସ୍‌ଗୁଡ଼ିକ ମଧ୍ୟ ଖାଲଖମା ଯୋଗୁଁ ନାନା ସମସ୍ୟାର ସମ୍ମୁଖୀନ ହେଉଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଓ ଦମକଳ ଭଳି ଜରୁରୀକାଳୀନ ସେବା ଯାନଗୁଡ଼ିକର ଯାତାୟାତ ମଧ୍ୟ କଷ୍ଟକର ହୋଇପଡ଼ୁଛି। ଜରୁରୀ ସମୟରେ ରୋଗୀଙ୍କୁ ହସ୍ପିଟାଲ ନେବା କିମ୍ବା ଅଗ୍ନିକାଣ୍ଡ ସମୟରେ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ରହୁଛି।

ଅନ୍ୟପକ୍ଷରେ, ପ୍ରତିବର୍ଷ ରାସ୍ତା ମରାମତି ନାମରେ ସରକାରୀ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିବା କୁହାଯାଉଥିଲେ ମଧ୍ୟ ମରାମତି କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି। ନିମ୍ନମାନର କାର୍ଯ୍ୟ ଯୋଗୁଁ ମରାମତି ହେବାର ଅଳ୍ପ ସମୟ ମଧ୍ୟରେ ପୁଣି ରାସ୍ତା ନଷ୍ଟ ହୋଇଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବରାଙ୍ଗ ଛକ ଏ ଅଞ୍ଚଳର ଏକ ପ୍ରମୁଖ ବଜାର ହୋଇଥିବା ବେଳେ ଛକର ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ। ଏଠାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ସାଇକେଲ ନେଇ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ବିଶେଷକରି ଅଞ୍ଚଳର ବାଲିଘାଟଗୁଡ଼ିକରୁ ପ୍ରତିଦିନ ବାଲି ବୋଝେଇ ହାଇୱା ଓ ଅନ୍ୟ ଭାରୀଯାନ ଚଳାଚଳ କରୁଥିବାରୁ ରାସ୍ତା ଉପରେ ଅତ୍ୟଧିକ ଚାପ ପଡ଼ୁଛି। ଫଳରେ ରାସ୍ତାରେ ଥିବା ଛୋଟ ଖାଲଗୁଡ଼ିକ ଦିନକୁ ଦିନ ବଡ଼ ହୋଇ ପୋଖରୀ ସଦୃଶ ଗାଢ଼ରେ ପରିଣତ ହୋଇଯାଇଛି । ଏହି ରାସ୍ତା ଉପରେ ସମଣା, ବଡ଼ରମ୍ପାସ, ଇଞ୍ଚୋଳ, ଆମ୍ବୋ, ହାବଳେଶ୍ୱର ଆଦି ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ନିର୍ଭରଶୀଳ। ଦୈନନ୍ଦିନ ଜୀବନରେ ଲୋକଙ୍କ ଯାତାୟାତଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ସ୍କୁଲ, କଲେଜ ଯିବା, ରୋଗୀଙ୍କୁ ହସ୍ପିଟାଲ ନେବା ଏବଂ ବିଭିନ୍ନ ଅଞ୍ଚଳକୁ ଯାତାୟାତ ପାଇଁ ଏହି ରାସ୍ତାଟି ଏକ ପ୍ରମୁଖ ମାଧ୍ୟମ। ରାସ୍ତାର ଦୁରବସ୍ଥା ଯୋଗୁଁ ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରତିଦିନ ହଇରାଣ ହେଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ରାସ୍ତା ଦେଇ ପ୍ରତିଦିନ ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ରାସ୍ତାର ଦୁରବସ୍ଥା ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଉ ନାହାନ୍ତି। ତେଣୁ କୌଣସି ବଡ଼ ଦୁର୍ଘଟଣା ଘଟିବା କିମ୍ବା ମୂଲ୍ୟବାନ ଜୀବନ ହାନି ହେବା ପୂର୍ବରୁ ଅଣା-ବରାଙ୍ଗ ରାସ୍ତାର ତୁରନ୍ତ ମରାମତି କରାଯିବା ସହ ରାସ୍ତାର ଦୀର୍ଘସ୍ଥାୟୀ ନବୀକରଣ କରାଯିବାକୁ ଜଗତ ଜୀବନ ଜେନା, ମହେନ୍ଦ୍ର ନାୟକ, ଗଜେନ୍ଦ୍ର ରଣା, ମିଥୁନ କାଣ୍ଡି, ହରେକୃଷ୍ଣ ଜେନା, ସୁଜିତ ଜେନା, ପଦ୍ମଲାଭ ଜେନା, ରଘୁନାଥ ଜେନା, ସାଗର ଜେନା, ହିମାଂଶୁ ରଞ୍ଜନ ନାୟକ, ନାରାୟଣ ସ୍ୱାଇଁ ପ୍ରମୁଖ ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ସାତଦିନ ଭିତରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ଅଞ୍ଚଳବାସୀ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ କେଳୁ ଚରଣ ଦଳେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଏପରି ହୋଇଛି। ତଥାପି ରାସ୍ତାର ମରାମତି ଓ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।