September 29, 2024

୬ ଦଫା ଦାବି ନେଇ ଯୋଗାଣ ସହାୟକଙ୍କ ଆନ୍ଦୋଳନ ଜାରି , ପିଡିଏସ୍ ସାମଗ୍ରୀ ବଣ୍ଟନ ବାଧାପ୍ରାପ୍ତ

Share

୬ ଦଫା ଦାବି ନେଇ ଯୋଗାଣ ସହାୟକଙ୍କ ଆନ୍ଦୋଳନ ଜାରି , ପିଡିଏସ୍ ସାମଗ୍ରୀ ବଣ୍ଟନ ବାଧାପ୍ରାପ୍ତ
ବୁଗୁଡ଼ା : ତା ୦୩/୦୯/୨୩ : ପଞ୍ଚାୟତ ସ୍ତରରେ ହିତାଧିକାରୀଙ୍କୁ ପିଡିଏସ୍ ସିମଗ୍ରୀ ଯୋଗାଇବା କାର୍ଯ୍ୟରେ ଯୋଗାଣ ସହାୟକ ନିୟୋଜିତ ହୋଇ ସୂଚାରୁ ରୂପେ ଦାୟିତ୍ବ ତୁଲାଇ ଆସୁଛନ୍ତି । ଯେଉଁ ବୃଦ୍ଧ, ବୃଦ୍ଧା ଓ ବିକଳାଙ୍ଗ ବ୍ଯକ୍ତିମାନେ ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପାରୁନାହାନ୍ତି ଯୋଗାଣ ସହାୟକମାନେ ସେମାନଙ୍କ ଘରକୁ ଯାଇ ସାମଗ୍ରୀ ଦେଇ ଆସୁଛନ୍ତି । ଏଥି ସହ ଗ୍ରାମ ପଞ୍ଚାୟତର ବିଭିନ୍ନ ସରକାରୀ କାର୍ଯ୍ୟ ମଧ୍ୟ ସମ୍ପାଦନ କରୁଛନ୍ତି । ପଞ୍ଚାୟତ ସ୍ତରରେ ସ୍ନାତକ ଡିଗ୍ରୀଧିରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲେ ହେଁ ସେ ଅନୁସାରେ ଦରମା ଦିଆ ଯାଉନାହିଁ । ଏ ବାବଦରେ ସରକାରଙ୍କୁ ବାରମ୍ବାର ଲିଖିତାଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଏ ନେଇ ସ୍ଥାନୀୟ ବିଡ଼ିଓ ବାସୁଦେବ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଯୋଗାଣ ସହାୟକ ସଂଘ ପକ୍ଷରୁ ଏକ ଛଅ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଯୋଗାଣ ସହାୟକଙ୍କ ଚାକିରୀ ସ୍ଥାୟିତ୍ବ ଓ ମାସିକ ଦରମା ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା, ଯୋଗାଣ ସହାୟକଙ୍କ ନାମରେ ଲାଇସେନ୍ସ ପ୍ରଦାନ , ମୃତ୍ୟୁକାଳୀନ ସହାୟତା ରାଶି ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଯୋଗାଇବା , ଯୋଗାଣ ସହାୟକ ପଦବୀକୁ ପଞ୍ଚାୟତିରାଜ ବିଭାଗରୁ ହଟାଇ ଯୋଗାଣ ବିଭାଗର ଅନ୍ତର୍ଭୁକ୍ତ କରିବା ଓ ସରକାରୀ ଯୋଗାଣ ନିରୀକ୍ଷକ ଭାବେ ନାମିତ କରିବା , ମାସିକ ଆବଣ୍ଟନରେ ୨% ନିଅଣ୍ଟକୁ ଭରଣା କରିବା ପାଇଁ ଦାବି କରିଛନ୍ତି । ଏହା ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରେ ରହିବେ ବୋଲି ଜଣାଇଛନ୍ତି । ବ୍ଲକ ସଭାପତି କୃଷ୍ଣ ଗୌଡ଼ ଓ ସମ୍ପାଦକ ମିଥୁନ ବିଶ୍ବାଳଙ୍କ ସମେତ ବୁଗୁଡ଼ା ବ୍ଲକର ୧୭ ଜଣ ଯୋଗାଣ ସହାୟକ ଗତ ଅଗଷ୍ଟ ୨୮ ତାରିଖରେ ଦାବିପତ୍ର ପ୍ରଦାନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।