ତାଲାବନ୍ଦ ଅବସ୍ଥାରେ ପିପୁଲ୍ସ କଲେଜର ବଏଜ୍ କମନ୍ ରୁମ, ଛାତ୍ର ମହଲରେ ତୀବ୍ର ଅସନ୍ତୋଷ

ବୁଗୁଡ଼ା : ତା୦୩/୦୨/୨୬ : ସ୍ଥାନୀୟ ପିପୁଲ୍ସ କଲେଜରେ ବଏଜ୍ କମନ୍ ରୁମ୍ ତାଲାବନ୍ଦ ଅବସ୍ଥାରେ ରହିଥିବାରୁ ଅବସର ସମୟରେ ଛାତ୍ରମାନେ କ୍ଯାମ୍ପସରେ ଏଣେତେଣେ ଘୁରିବୁଲିବାକୁ ବାଧ୍ୟ ହେଉଥିବା ଜଣାଯାଇଛି। ଗତ କିଛି ବର୍ଷ ହେବ ଏଭଳି ଅବ୍ଯବସ୍ଥା ଲାଗିରହିଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର କୌଣସି ପ୍ରତିକାର ବ୍ୟବସ୍ଥା ହେଉ ନଥିବାରୁ ଛାତ୍ରମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଏହାର ଫଳସ୍ୱରୂପ ଦୁଇଦିନ ତଳେ ଛାତ୍ରମାନେ ହାତରେ ପ୍ଲାକାର୍ଡ଼ ଧରି କଲେଜ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସ୍ଥାଳରେ କଲେଜ କର୍ତ୍ତୃପକ୍ଷ ଏବଂ ପୋଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଯଥାଶୀଘ୍ର ବଏଜ୍ କମନ୍ ରୁମ ବ୍ଯବସ୍ଥା କରିବା ନିମନ୍ତେ ପ୍ରତିଶ୍ରୁତି ଦେବା ସହ ବୁଝାଶୁଝା କରି ସେମାନଙ୍କୁ ବିକ୍ଷୋଭରୁ ନିବୃତ୍ତ କରାଇବାରେ ସକ୍ଷମ ହୋଇଥିଲେ। ତେବେ ଘଟଣାରୁ ଜଣାଯାଇଛି ଯେ କଲେଜରେ ବଏଜ୍ କମନ୍ ରୁମ୍ ତାଲାବନ୍ଦ ଅବସ୍ଥାରେ ରହିଛି। ସେଥିରେ ଜିମ୍ ସାମଗ୍ରୀ ଭର୍ତ୍ତି ହୋଇଥିବାରୁ ତାହା ଛାତ୍ରଙ୍କ ବିନିଯୋଗରେ ଆସିପାରୁନାହି। ଯଦି ପ୍ରତିଶ୍ରୁତି ମୁତାବକ କଲେଜ କର୍ତ୍ତୃପକ୍ଷ ଯଥାଶୀଘ୍ର ବଏଜ୍ କମନ୍ ରୁମ୍ ନଖୋଲନ୍ତି ତେବେ ଆଗାମୀ ଦିନରେ ପୁଣି ବିକ୍ଷୋଭ ପ୍ରଦର୍ଶନ ପନ୍ଥା ଆପଣାଇବାକୁ ଛାତ୍ରଗୋଷ୍ଠୀ ପକ୍ଷରୁ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏଭଳି ଅବ୍ଯବସ୍ଥା ବୁଗୁଡ଼ା ଅଞ୍ଚଳର ସର୍ବପୂରାତନ କଲେଜ ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
