April 29, 2026

ସମ୍ପୂର୍ଣ ଅବହେଳିତ ଗ୍ରାମ ସୋରିଷବଣ୍ଡେଲ

IMG-20260203-WA0017
Share

 

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ, ଗୁଣୁପୁର ପଞ୍ଚାୟତ ଅଧୀନରେ ଥିବା ସୋରିଷ ବଣ୍ଡେଲ ଗ୍ରାମ ସବୁ ଦିଗରୁ ଅବହେଳିତ ଅଟେ। ନିଘଞ୍ଚ ଜଙ୍ଗଲ, ପର୍ବତ ମଧ୍ୟରେ ଥିବା ଏହି ଗ୍ରାମ ଉପରେ, ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ଉପରେ ହେଲାଣି, କିନ୍ତୁ କୌଣସି ସରକାରୀ ନଜର ଏପର୍ଯ୍ୟନ୍ତ ପଡ଼ିନାହିଁ। ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ପକ୍କା ରାସ୍ତା ଖଣ୍ଡେ ତିଆରି ହୋଇପାରି ନଥିବାବେଳେ, ଛୋଟ ଛୋଟ ପିଲାମାନେ ପାଠ ପଢିବା ପାଇଁ ପାଦଚଲା ରାସ୍ତାରେ ଦୁଇ ତିନୋଟି ନାଳ ଡେଇଂ ସ୍କୁଲକୁ ଯିବା ଆସିବା କରୁଥିବା ବେଳେ, ବର୍ଷା ଦିନ ହେଲେ ପାଠ ପଢ଼ା ସମ୍ପୂର୍ଣ ବନ୍ଦ ହୋଇଯାଏ। ଏହି ରାସ୍ତା ଖଣ୍ଡେ ନଥିବା ଯୋଗୁଁ, ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରେ ନାହିଁ, ଯାହା ଫଳରେ କଳାହାଣ୍ଡିର ପ୍ରସିଦ୍ଧ ରୋଗୀ ବୋହି ଆଣିବା କାର୍ଯ୍ୟକ୍ରମ ନିତିଦିନିଆ ହୋଇଯାଇଛି। ଏହାଛଡା ଗାଁକୁ ଆଜିପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗୀକରଣ ହୋଇପାରିନଥିବା ଯୋଗୁଁ, ଲୋକେ ଡିବିରୀ ଜାଳି ଚଳୁଛନ୍ତି। ଏଥିସହ ଏହି ଗ୍ରାମରେ ଲୋକେ ବହୁ ବର୍ଷରୁ ସ୍ଥାୟୀ ଭାବରେ ବସତି ସ୍ଥାପନ କରି ରହିଆସୁଥିବା ବେଳେ, ଏପର୍ଯ୍ୟନ୍ତ କାହାକୁ ସ୍ଥାୟୀ ଘର ଡିହ ପଟ୍ଟା ମଧ୍ୟ ମିଳିପାରିନାହିଁ। ସବୁଠାରୁ ବିଡମ୍ବନାର ବିଷୟ ହେଲା ଯେ’, ଗାଁଟି ଏହିସବୁ ସମସ୍ୟା ଗୁଡିକ ଘେରରେ ଥିବା ଯୋଗୁଁ, ଅନ୍ୟ ଗ୍ରାମର ଲୋକେ ନିଜ ଝିଅକୁ ଏହି ଗ୍ରାମରେ ବିବାହ ଦେବାରେ ସିଧାସଳଖ ଆରାଜି ହେଉଥିବାରୁ, ଏହି ଗ୍ରାମର ଯୁବକମାନେ ଅବିବାହିତ ରହିବାକୁ ବାଧ୍ୟ ହେଉଛନ୍ତି। ମୋଟାମୋଟି ସମ୍ପୂର୍ଣ ଆଦିମ ଯୁଗରେ ଥିବା ଏହି ଗ୍ରାମର କିଛି ବ୍ୟକ୍ତି କ୍ଷୋଭ ପ୍ରକାଶ କରି ଜଣାଇଛନ୍ତି ଯେ’, ଏହିସବୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅନେକ ଥର ସ୍ଥାନୀୟ ସରପଞ୍ଚ, ବି.ଡି.ଓ, ଜିଲ୍ଲା ପ୍ରଶାସନଙ୍କ ସହିତ ପୂର୍ବତନ ଏବଂ ବର୍ତ୍ତମାନ ଏମ.ଏଲ.ଏ ଙ୍କୁ ଅନେକ ଥର ଲିଖିତ ଭାବରେ ଜଣାଇଥିବା ସତ୍ତ୍ୱେ, ନିରୀହ ଗ୍ରାମବାସୀ ଆଶ୍ୱାସନା ଛଡା ଆଉ କିଛି ପାଇନାହାନ୍ତି। ବର୍ତ୍ତମାନ ଗ୍ରାମବାସୀ ସବୁ ଦିଗରୁ ନିରାଶ ହୋଇ, ବାଧ୍ୟ ହୋଇ ଗ୍ରାମର ସମସ୍ୟା ଗୁଡିକର ସମାଧାନ ପାଇଁ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ ଜଣାଇଛନ୍ତି।

You may have missed