April 25, 2026

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଚଳଚଞ୍ଚଳ ପଶ୍ଚିମ ଓଡିଶା,ସୁରକ୍ଷା ବ୍ୟବସ୍ଥା କଡାକଡି…

iuio
Share

ସମ୍ବଲପୁର::ସଫଳ ସଂଗ୍ରାମର ସ୍ୱର୍ଣ୍ଣିମ ସ୍ୱାକ୍ଷର ତୋଲିବାକୁ ଜଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବଲପୁରରେ । ସମ୍ବଲପୁର ଗସ୍ତରେ ଆଜି ରାଜ୍ୟବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ।ଏଥିପାଇଁ ଗତକାଲିଠୁ ସମସ୍ତ ପ୍ରସ୍ତୁତି ସରିଛି।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଆଜି ସମ୍ବଲପୁର ଠାରେ ନିଜ ହାତରେ ଶିଳାନ୍ୟାସ କରିଥିବା ପ୍ରତିଷ୍ଠିତ ଆଇଆଇଏମର ନବ ନିର୍ମିତ ନୂତନ କୋଠା କାର୍ଯ୍ୟାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ଯରେ ଲୋକାର୍ପିତ କରୁଛନ୍ତି।ଏହା ସହିତ ବିଦ୍ୟୁତ,ସଡକ,ରେଳ, କୋଇଲା, ଡାକ ଭଳି ବିଭିନ୍ନ ବହୁ ପ୍ରକଳ୍ପକୁ ଲୋକାର୍ପଣ କରିବେ।ରାଷ୍ଟ୍ରାୟତ୍ତ କମ୍ପାନି ଏମସିଏଲ,ଏନଏଲସି,ଏନଏଚଏଆଇ, ଏନଟିବଭିସି,ଏନଟିପିସି ଆଦି ପକ୍ଷରୁ ବହୁ ହିତକାଂକ୍ଷି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିବା ବେଳେ ଏହି ଗସ୍ତ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ସମ୍ବଲପୁର ସହିତ ଝାରସୁଗୁଡା ବିମାନ ବନ୍ଦର ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି। ଏପରିକି ଏହି ଭିଭିଆଇପି ଗସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୁର୍ଲା ଭିମସାରକୁ ଆଲର୍ଟରେ ରଖାଯିବା ସହିତ ସମ୍ବଲପୁରର ବିକାଶ ହସପିଟାଲକୁ ଜରୁରୀକାଳୀନ ସେବା ପାଇଁ ଏସପିଜି ହାତରେ ରଖାଯାଇଛି। ଏଥିପାଇଁ ଗତକାଲି ମକଡ୍ରିଲବି ସରିଛି।ବୁର୍ଲା ଭିମସାର ସହିତ ବିକାଶ ହସପିଟାଲରେ ଆଇସିୟୁ ଶଯ୍ୟା ସହିତ ନ୍ୟୁରୋ ସର୍ଜରୀ ବିଭାଗ ଅସ୍ତ୍ରୋପଚାର କକ୍ଷକୁ ପ୍ରସ୍ତୁତ ରଖାଯାଇ ସମସ୍ତ ଆନୁସଙ୍ଗିକ ସୁବିଧା କରାଯାଇଛି।
ଅନ୍ୟପଟେ ପୂର୍ବାଞ୍ଚଳ ରାଜ୍ୟ ସମୁହ ବିକାଶର ଇଞ୍ଜିନ ଭଳି ରୂପଦୋବାକୁ ଯାଇ ଓଡିଶା,ବିହାର,ଛତିଶଗଡ ଓ ପଶ୍ଚିମବଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧିକ ଫୋକସ୍ ରହିବ ବୋଲି ଜନସାଧାରଣ ଆଶା ପୋଷଣ କରିଛନ୍ତି।ବିକଶିତ ଭାରତ ପାଇଁ ବିକଶିତ ଓଡିଶାର ଲକ୍ଷ ରଖାଯାଇ ୬୮ ହଜାର କୋଟି ଟଙ୍କାର ମୋଟ ୧୮ଟି ପ୍ରକଳ୍ପ ଗୁଡିକର ଉଦଘାଟନ,ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଓଡିଶାର ମାନ୍ୟବାର ରାଜ୍ୟପାଳ ରଘୁବର ଦାସ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ର ଶିକ୍ଷା,ଦକ୍ଷତା ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର ରେଳ,ସଂଚାର,ଇଲେକ୍ଟୋନିକ୍ସ ଓ ସୂଚନା ବିଜ୍ଞାନ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ,କେନ୍ଦ୍ର ଜଳ ଶକ୍ତି ତଥା ଜନଜାତୀୟ କାର୍ଯ୍ୟ ରାଜ୍ୟ ମନ୍ତ୍ରୀ ବିଶ୍ୱେଶ୍ୱର ଟିଡୁ,ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ,ରେଙ୍ଗାଲି ବିଧାୟକ ନାଉରି ନାଏକ ଏହି ଗରିମାମୟ ଉତ୍ସବରେ ଅତିଥି ଭାବେ ଯୋଗ ଦେଉଛନ୍ତି।(ରାଜାରାମ ଷଡଙ୍ଗୀ)