November 26, 2024

ଇଣ୍ଡିଆନ ବ୍ଯାଙ୍କରେ ଜମୁଛି ଗ୍ରାହକଙ୍କ ଅସମ୍ଭାଳ ଭିଡ , ସିଙ୍ଗଲ୍ କାଉଣ୍ଟର ଯୋଗୁଁ ବରିଷ୍ଠ ନାଗରିକ ହଟହଟା , ପ୍ରତିକାର ଦାବି 

Share

ବୁଗୁଡ଼ା : ତା ୦୨/୦୯/୨୪ : ସ୍ଥାନୀୟ ଇଣ୍ଡିଆନ ବ୍ଯାଙ୍କର ବହୁଳ ଗ୍ରାହକଙ୍କ ସତ୍ତ୍ୱେ ସିଙ୍ଗଲ୍ କାଉଣ୍ଟର ଯୋଗୁଁ ଲୋକେ ଟଙ୍କା ଜମା କିମ୍ବା ଉଠାଣ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବା ବେଳେ ବରିଷ୍ଠ ନାଗରିକମାନେ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି । ବୁଗୁଡାର ଅନ୍ଯାନ୍ଯ ବ୍ଯାଙ୍କଗୁଡିକ ତୁଳନାରେ ଇଣ୍ଡିଆନ ବ୍ଯାଙ୍କରେ ଲୋକଙ୍କ ଗହଳି ଅଧିକ ହେଉଥିବାରୁ ଦୀର୍ଘ ସମୟ ଧରି ଧାଡିରେ ଛିଡା ହେବାକୁ ପଡୁଛି । ବ୍ଯାଙ୍କ କାର୍ଯ୍ୟରେ ବିଳମ୍ବତା ହେତୁ ପ୍ରତିଦିନ ବ୍ଯାଙ୍କ ଖୋଲିବା ପୂର୍ବରୁ ବିଭିନ୍ନ ଗ୍ରୁପର ମହିଳାମାନଙ୍କ ଗହଳି ଦେଖିବାକୁ ମିଳୁଛି । ବିଶେଷ କରି ଛୁଟି ଦିନର ପରବର୍ତ୍ତୀ ଦିନ ଏଭଳି ଗହଳି ଜମୁଛି ଯେ ସେଠାରେ ବସିବା ତ ଦୂରର କଥା, ଠିଆ ହେବାକୁ ମଧ୍ୟ କାଠିକର ପାଠ ହେଉଥିବାରୁ ବୟସ୍କ ତଥା ବରିଷ୍ଠ ନାଗରିକଙ୍କ ଅବସ୍ଥା ଦହନୀୟ ହୋଇପଡୁଛି । ଅନ୍ୟପକ୍ଷରେ ବ୍ଯାଙ୍କ ଖୋଲିବାର କିଛି ସମୟ ପରେ ପହଞ୍ଚିଲେ କାମ ଶେଷ କରି ବିରକ୍ତରେ ଫେରିବା ବେଳକୁ ଓଳିଏ ବିତିଯାଉଛି । ତେଣୁ , ସିଙ୍ଗଲ୍ କାଉଣ୍ଟରରେ କାମ ନଚଳାଇ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ କୌଣସି ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି । ଏ ନେଇ ଇଣ୍ଡିଆନ ବ୍ଯାଙ୍କ ଶାଖା ପରିଚାଳକ ଆର୍. ଆନନ୍ଦ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ , ଗ୍ରାମାଞ୍ଚଳରେ ରହିଥିବା ବ୍ଯାଙ୍କିଙ୍ଗ ସେବା ସଂସ୍ଥା ଗୁଡିକରେ ଗ୍ରାହକଙ୍କ ନିମନ୍ତେ ଟଙ୍କା ଜମା ଓ ଉଠାଣର ବ୍ୟବସ୍ଥା ରହିଥିଲେ ହେଁ ଲୋକେ ସଚେତନତାର ଅଭାବ କିମ୍ବା ଅନ୍ୟ କୌଣସି କାରଣରୁ ସେଠାକୁ ନଯାଇ ବୁଗୁଡା ବ୍ଯାଙ୍କକୁ ଆସୁଥିବାରୁ ଏଠାରେ ଭିଡ ଜମୁଛି । ବିଶେଷକରି ମାସର ପ୍ରଥମ ସପ୍ତାହରେ ଟିକେ ଭିଡ ହେଉଥିବା ବେଳେ ଗ୍ରାହକଙ୍କ ସୁବିଧା ପାଇଁ ବ୍ଯାଙ୍କ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ପାଇଁ ଯୋଜନା ହେଉଛି । ତେବେ ଗ୍ରାହକଙ୍କ ଗହଳିକୁ ଏଡାଇବା ସହ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଡବଲ୍ କାଉଣ୍ଟର ବ୍ଯବସ୍ଥା କରିବା ଜରୁରୀ ବୋଲି ଗ୍ରାହକଙ୍କ ମହଲରେ ମତ ପ୍ରକାଶ ପାଇଛି।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.