April 27, 2026

ଗଜପତି:- ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ..

IMG-20240902-WA0023
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ: କୁମାର , ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଏସ: ଆନନ୍ଦ , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ଡ଼: ଗୁଣନିଧି ନାୟକ ପ୍ରମୁଖ ଏହି ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଣାଣୀ କରିଥିଲେ ।

ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌର ପରିଷଦ ସମେତ କେରାଣ୍ଡି , କତଳକଇଠା , ବାଘଶାଳା , ରାଣୀପେଣ୍ଠ ଓ ସିଧାମାଡ଼ଙ୍ଗ ପଞ୍ଚାୟତ’ର ମୋଟ- ୧୦୩ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରା ଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୭୯ ଗୋଟି ଏବଂ ଗ୍ରାମ ଭିତ୍ତିକ ସମସ୍ୟା- ୨୪ ଗୋଟି ରହିଥିଲା । ଏହି ସମସ୍ତ ଆସିଥିବା ମୋଟ ୧୦୩ ଗୋଟି ଅଭିଯୋଗ ସମସ୍ୟା ମଧ୍ୟରୁ ଗୋଟିଏ ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଛି ।

ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶିବିରରେ ସାମାଜିକ ସୁରକ୍ଷା , ଜମି ପଟ୍ଟା , ମନରେଗା , ଗୃହ ନିର୍ମାଣ , ରାସନ୍ କାର୍ଡ , ଶିକ୍ଷା , ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ଭଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।

ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗୋସାଣୀ ବ୍ଲକ୍ ଅନ୍ତର୍ଗତ ଉତ୍ତରାସେଲି ଗ୍ରାମର ଶ୍ରୀମତୀ କବିତା ବାରିକ ଓ ଶ୍ରୀ ଖିରୋଦ ଚନ୍ଦ୍ର ଦାସଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ଯୁକ୍ତ ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ରାଶି ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଚେକ୍ ପ୍ରଦାନ କରା ଯାଇଥିଲା।

ଆଜିର ଏହି ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା , ଅଭିଯୋଗ ଶୁଣାଣୀର ନୋଡାଲ ଅଧିକାରୀ ତଥା ଡେପୁଟି କଲେକ୍ଟର ଲିପିନା ଦାସ , ଗୋସାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ପ୍ରଧାନ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ , ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————-