ସରକାରୀ ସ୍କୁଲରେ ପିଲା ନାହିଁ, ପ୍ରାଇଭେଟ୍ ସ୍କୁଲରେ ଭିଡ଼, କାହିଁକି ଭରସା ହରାଉଛି ସରକାରୀ ଶିକ୍ଷା ?

ବୋଲଗଡ଼,୨୨/୯ (ସୁଶାନ୍ତ କୁମାର ପ୍ରଧାନ):ଗାଁ ଗାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ସ୍କୁଲ କୋଠା ନୂଆ ହେଉଛି, ରଙ୍ଗ ହେଉଛି, କିନ୍ତୁ ସେହି କୋଠା ଭିତରେ ପିଲା ନାହାନ୍ତି! ଏହା ହେଉଛି ଆଜିର ସବୁଠୁ ବଡ଼ ସତ୍ୟ ଓ ସବୁଠୁ ବଡ଼ ଚିନ୍ତା। ଦିନ ଥିଲା ସରକାରୀ ସ୍କୁଲ ଥିଲା ଗରିବର ଭରସା। ଆଜି ସେହି ଗରିବ ବି ପେଟ କାଟି, ଧାର କରି ପିଲାକୁ ପ୍ରାଇଭେଟ୍ ସ୍କୁଲରେ ପଢ଼ାଉଛି। କାହିଁକି? ପ୍ରଶ୍ନଟା ସମସ୍ତଙ୍କ ମନରେ ଉଙ୍କି ମାରୁଛି।ପ୍ରାଇଭେଟ୍ ସ୍କୁଲରେ ମାସକୁ ୨୦୦୦ ରୁ ୩୦୦୦ ଟଙ୍କା ଫିସ୍, ବସ୍ ଭଡ଼ା, ଡ୍ରେସ୍ ଖର୍ଚ୍ଚ। ସରକାରୀ ସ୍କୁଲରେ ସବୁ ମାଗଣା – ବହି ମାଗଣା, ପୋଷାକ ମାଗଣା, ମଧ୍ୟାହ୍ନ ଭୋଜନ ମାଗଣା, ପାଠ ମାଗଣା। ତଥାପି ଅଭିଭାବକ ସରକାରୀ ସ୍କୁଲ ଆଡ଼କୁ ମୁହଁ ଫେରାଉ ନାହାନ୍ତି। କାରଣ ସ୍ପଷ୍ଟ। ଲୋକଙ୍କୁ ଆଉ କୋଠା ଦରକାର ନାହିଁ, ଲୋକଙ୍କୁ ଦରକାର ଭଲ ପାଠ।ଜଣେ ସରକାରୀ ଶିକ୍ଷକଙ୍କ ଦରମା ୬୦ ରୁ ୭୦ ହଜାରରୁ ଲକ୍ଷେ ଟଙ୍କା। ଜଣେ ପ୍ରାଇଭେଟ୍ ଶିକ୍ଷକଙ୍କ ଦରମା ୩୦୦୦ ରୁ ୫୦୦୦ ଟଙ୍କା। ଦରମାରେ ଆକାଶ-ପାତାଳ ଫରକ। କିନ୍ତୁ ଫଳ ଓଲଟା। ୫ ହଜାରିଆ ଶିକ୍ଷକ ଯେତିକି ଯତ୍ନ ନେଇ ପିଲାକୁ ପଢ଼ାଉଛି, ଲକ୍ଷେ ଟଙ୍କିଆ ଶିକ୍ଷକ ସେତିକି ନେଉନାହାନ୍ତି ବୋଲି ସାଧାରଣ ଲୋକେ ସିଧା ଚର୍ଚ୍ଚା କରୁଛନ୍ତି।ପଢ଼ାରେ ଯତ୍ନର ଅଭାବ, ଅନେକ ସ୍କୁଲରେ ଶିକ୍ଷକ ଅଛନ୍ତି, କିନ୍ତୁ ସମୟରେ ଆସୁନାହାନ୍ତି, ପିଲାଙ୍କୁ ଘର ପଢ଼ା ଦେଉନାହାନ୍ତି, ଅଭିଭାବକଙ୍କୁ ଡାକି କଥା ହେଉନାହାନ୍ତି। ଅଧିକାଂଶ ଦେଖାଯାଉଛି ଏବେ ଗାଁର ଲୋକ ବି ଚାହୁଁଛି ତା ପିଲା ଇଂରାଜୀରେ ଦୁଇ ପଦ କହୁ। ପ୍ରାଇଭେଟ୍ ସ୍କୁଲ ସେହି ମୋହକୁ ବ୍ୟବସାୟ କରୁଛି। ସରକାରୀ ସ୍କୁଲରେ ଫେଲ୍ ନାହିଁ, ଶାସନ ନାହିଁ, ନିୟମିତ ପରୀକ୍ଷା ନାହିଁ। ପ୍ରାଇଭେଟରେ ପ୍ରତି ସପ୍ତାହରେ ପରୀକ୍ଷା। କେବଳ 5T କୋଠା ଆଉ ସ୍ମାର୍ଟ ବୋର୍ଡ ଲଗାଇଦେଲେ ଶିକ୍ଷାର ମାନ ବଢ଼ିବ ନାହିଁ। ଯେ ପର୍ଯ୍ୟନ୍ତ ଶିକ୍ଷକଙ୍କ ଭିତରେ ଦାୟିତ୍ୱବୋଧ ଆସିନାହିଁ, ସହାନୁଭୂତି ଆସିନାହିଁ, ଯେ ପର୍ଯ୍ୟନ୍ତ ପିଲାକୁ ନିଜ ପିଲା ଭାବି ପଢ଼ାଯାଇନାହିଁ, ସେ ପର୍ଯ୍ୟନ୍ତ ସରକାରୀ ସ୍କୁଲ ଖାଲି ପଡିଥିବ, ପ୍ରାଇଭେଟ୍ ସ୍କୁଲରେ ଭିଡ଼ ବଢୁଥିବ। ଏହା ଉପରେ ସରକାର ଓ ଶିକ୍ଷା ବିଭାଗ ଗମ୍ଭୀରତାର ସହ ଚିନ୍ତା କରିବା ସମୟ ଆସିଛି।
