April 2, 2025

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ୭୫ ବର୍ଷ ବୟସରେ ଦେହାନ୍ତ

Share

ଭୁବନେଶ୍ବର/ଦିଗପହଣ୍ଡି: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ୭୫ ବର୍ଷ ବୟସରେ ପରଲେକ ହୋଇଯାଇଛି। ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ଥିବା ବେଳେ ଆଜି ସନ୍ଧ୍ୟା ୭ଟା ୩୧ରେ ଦେହାନ୍ତ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି।

ସୂଚନା‌ ଅନୁସାରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଆଜି ସନ୍ଧ୍ୟାରେ ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟ ନାରାୟଣ ପାତ୍ର ୧୯୪୮ ଡିସେମ୍ବର ୧୨ରେ ଜନ୍ମଗ୍ରହଣ କରିଥିଲେ। ସେ ରାଜଶ୍ରୀ ପାତ୍ରଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨ ପୁଅ ଓ ଜଣେ ଝିଅ ଅଛନ୍ତି। ସେ ବିଜ୍ଞାନରେ ସ୍ନାତକ କରିଥିଲେ। ଜଣେ ଆଇନଜୀବୀ ସହ ସମାଜ ସେବା କରିବାକୁ ଭଲ ପାଉଥିଲେ। ପଢ଼ିବା, ବୁଲିବା ଓ ଗ୍ରାମାଞ୍ଚଳରେ ଲୋକଙ୍କର ସେବା କରିବା ତାଙ୍କର ରୁଚି ଥିଲା। ଇଂଲଣ୍ଡ, ଫ୍ରାନ୍ସ, ସୁଇଜରଲାଣ୍ଡ, ରୁଷିଆ, ଜର୍ମାନୀ, ଇଟାଲି, ଡେନମାର୍କ, ହଲାଣ୍ଡ, ଥାଇଲାଣ୍ଡ, ଓମାନ, ଆମେରିକା, ସିଙ୍ଗାପୁର, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ପୋଲାଣ୍ଡା, ହଙ୍ଗେରି, ଉଗାଣ୍ଡା ଓ କମ୍ବୋଡିଆ ଯାଇଥିଲେ।

ସୂର୍ଯ୍ୟ ନାରାୟଣ ପାତ୍ର ଗଂଜାମ ଜିଲ୍ଲା ଦିଗପହଣ୍ଡି ଓ ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରୁ ୭ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଥିଲେ। ୧୯୯୦ ମସିହାରେ ସେ ନିର୍ବାଚନ ରାଜନୀତିକୁ ଆସି ତତ୍କାଳୀନ ଜନତା ଦଳ ଟିକଟରେ ମୋହନାରୁ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ବିଧାୟକ ହେବା ସହ ସେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସ୍ବଳ୍ପ କାଳ ଲାଗି ସ୍ଥାନ ପାଇଥିଲେ। ଏହାପରେ ସେ ଜନତା ଦଳ ଟିକଟରେ ପୁଣି ମୋହନାରୁ ଲଢ଼ି ୧୯୯୫ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜୁ ଜନତା ଦଳର ସଦସ୍ୟ ଭାବେ ବିଧାୟକ ରହିଆସିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାୟ ସବୁ ପାଳି‌ରେ ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ସେ ବନ, ମତ୍ସ୍ୟ ଓ ପଶୁପାଳନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରିବେଶ, ଶକ୍ତି, ପର୍ଯ୍ୟଟନ, ସଂସ୍କୃତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଉପଭୋକ୍ତା କଲ୍ୟାଣ ବିଭାଗର ମନ୍ତ୍ରୀ ରହିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ଷୋଡ଼ଶ ବିଧାନସଭାରେ ସେ ୨୦୧୯ ଜୁନ୍‌ ୧ରୁ ୨୦୨୨ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ଗଂଜାମ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା ଥିଲେ। ତୃଣମୂଳସ୍ତରରେ ସେ ଜଣେ ଭଲ ସଂଗଠକ ଥିଲେ। ତାଙ୍କର ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି।

ବ୍ୟୁରୋ ଚିପ୍ ଅଜିତ୍ ଦାଶଙ୍କ ରିପୋର୍ଟ ନ୍ୟୁଜ୍ ଉପାନ୍ତ ଓଡିଶା