April 23, 2026

ସାହି ମଧ୍ଯରେ ଭାରିଯାନ ଚଳାଚଳ, ପ୍ରଶାସନ ସାଜିଛି ଧୃତରାଷ୍ଟ୍ର, ସାଧାରଣରେ ତୀବ୍ର ଅସନ୍ତୋଷ , ପ୍ରତିକାର ଦାବି 

IMG-20260401-WA0052
Share

 

ବୁଗୁଡ଼ା : ତା ୦୧/୦୪/୨୬ :ସହରାଞ୍ଚଳର ସାହି ମଧ୍ଯରେ ଭାରିଯାନ ଚଳାଚଳରେ ସରକାରୀ ପ୍ରତିବନ୍ଧକ ବ୍ଯବସ୍ଥା ରହିଥିଲେ ହେଁ ସ୍ଥାନୀୟ ପ୍ରଶାସନ ଧୃତରାଷ୍ଟ୍ର ଭୁମିକା ନିର୍ବାହ କରୁଥିବାରୁ ତାହା ବୁଗୁଡ଼ାରେ ଫଳପ୍ରଦ ହୋଇପାରୁନଥିବା ବେଳେ ଆଜି ଅପରାହ୍ନରେ ଦୃଷ୍ଟାନ୍ତମୂଳକ ଭାବେ ଏକ ଆଳୁ ବୋଝେଇ ଭାରିଯାନର ଚକା ପଞ୍ଚାଗଳିର ସଂକୀର୍ଣ୍ଣ ରାସ୍ତା ପାର୍ଶସ୍ଥ ଡ୍ରେନ ମଧ୍ୟକୁ ଖସିପଡିବା ଫଳରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଯୋଗୁଁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବୁଗୁଡ଼ା ଏନଏସି ଅନ୍ତର୍ଗତ ଅରବିନ୍ଦ ନଗର-୧ ପେବର୍ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହି ଭାରିଯାନ ଚଳାଚଳ ହେତୁ ପେବର୍ ରାସ୍ତା ଦବିଯାଇ ସେଠାରେ ସାମାନ୍ୟ ବର୍ଷାରେ ପାଣି ଜମିଯାଇ ସମସ୍ଯା ସୃଷ୍ଟି କରୁଛି । ସେହି ସାହିରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କୁ ଯାତାୟତ କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଥି ସହ ପ୍ରତ୍ଯେକ ଦିନ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି। ସେହି ରାସ୍ତା ଦେଇ ଭାରିଯାନ ଚଳାଚଳ ନିଷେଧ ହୋଇଥିଲେ ହେଁ କିଛି ବ୍ଯବସାୟୀଙ୍କ ପରିବା ବୋଝେଇ ଭାରିଯାନ ଯାତାୟାତ କରୁଥିବାରୁ ସାହି ରାସ୍ତାଟି ଦବିଯାଇ ଏପରି ଦୂରବସ୍ଥାରେ ରହିଛି । ଏନ୍ଏସି ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ଦୈନିକ ମାଳ ମାଳ ପରିବା ବୋଝେଇ ଭାରିଯାନ ଚଳାଚଳ ହେଉଥିବାରୁ ସାହି ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଅନ୍ଯପକ୍ଷରେ କେଉଁ କାରଣରୁ ଏନ୍ଏସି କର୍ତ୍ତୃପକ୍ଷ ଏ ଦିଗରେ ଉଦାସୀନତା ମନୋଭାବ ପୋଷଣ କରିଆସୁଛନ୍ତି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଲୋକଙ୍କ ହିତ ଦୃଷ୍ଟିରୁ ଅରବିନ୍ଦ ନଗର ଓ ପଞ୍ଚାଗଳିରେ ବିପଦଜ୍ଜନକ ଭାରିଯାନ ଚଳାଚଳକୁ ଅଣଦେଖା ନକରି ପ୍ରତିବନ୍ଧକ ଲଗାଇବା ନେଇ ସାଧାରଣ ଦୃଢ ଦାବି ହେଉଛି।

You may have missed