ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡିଶା ଦିବସ ପାଳନ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏହାର ନୂତନ ସମ୍ମିଳନୀ କକ୍ଷରେ ଓଡିଶା ଦିବସକୁ ଅତ୍ୟନ୍ତ ଆନନ୍ଦ ଏବଂ ଉତ୍ସାହର ସହ ପାଳନ କରିଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷାକର୍ମୀ, ଛାତ୍ର-ଛାତ୍ରୀ ଏବଂ ଗବେଷକମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମର ସଂଯୋଜକ ଏବଂ ଇତିହାସ ବିଭାଗର ମୁଖ୍ୟ, ଡା. ସଦାନନ୍ଦ ନାୟକ ଅତିଥିମାନେଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ସ୍ନାତୋକୋତ୍ତର ପରିଷଦର ଅଧ୍ୟକ୍ଷ, ପ୍ରଫେସର ସୁକାନ୍ତ କୁ. ତ୍ରିପାଠୀ ନିଜ ବକ୍ତବ୍ୟରେ ଦକ୍ଷିଣ ଓଡିଶା ଓ ଗଡ଼ଜାତ ଅଞ୍ଚଳର ଯେଉଁ ମହାନାୟକ ମାନେ ଆଧୁନିକ ଓଡିଶାର ଗଠନରେ ମୁଖ୍ୟ ଭୂମିକା ନେଇଥିଲେ, କିନ୍ତୁ ଇତିହାସର ଅବହେଳିତ, ସେମାନଙ୍କ ଅବଦାନ ଇତିହାସରେ ବଳିଷ୍ଠ ସ୍ଥାନ ପାଇବା ଦରକାର ବୋଲି ଆହ୍ଵାନ ଦେଇଥିଲେ।
ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ସଚିଦାନନ୍ଦ ନାୟକ, ଓଡିଆ ପକ୍ଷର ଗୁରୁତ୍ୱ ବ୍ୟାଖ୍ୟା କରି ଓଡିଆ ଇତିହାସ ଓ ପରମ୍ପରା ଅଭିମାନ ସହିତ ବଞ୍ଚିବା ଆବଶ୍ୟକତା ଉପରେ ଜୋର ଦେଲେ।
ମୁଖ୍ୟ ଅତିଥି, ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର, ପୌରାଣିକ ସମୟଠାରୁ ଆରମ୍ଭ କରି ଆଧୁନିକ ଓଡିଶା ଗଠନ ପର୍ଯ୍ୟନ୍ତ ଏହାର ଗୌରବମୟ ଏବଂ ଅନନ୍ୟ ଇତିହାସ ଉପରେ ଆଲୋକପାତ କରିଥିଲେ। ଗୋଟିଏ ସୁଖଦ ଭବିଷ୍ୟତ ଏବଂ ବିକଶିତ ଓଡିଶା ପାଇଁ ଆମକୁ ‘ସ୍ଵପ୍ନ, ସମାଧାନ ଏବଂ ସମୃଦ୍ଧି’ ର ସୂତ୍ରକୁ ଅବଲମ୍ବନ କରିବାକୁ ହେବ ବୋଲି ସେ କହିଲେ।
ବରିଷ୍ଠ ସାମ୍ବାଦିକ ତଥା ସମ୍ମାନିତ ଅତିଥି, ଶ୍ରୀ ଦୀଲିପ କୁମାର ବିଶୋଇ, କଳିଙ୍ଗ ଯୁଦ୍ଧଠୁ ଆଜି ଯାଏ ଏକ ପରାଜିତ ଜାତିର ଗ୍ଲାନି ନେଇ ଆମେ ବଞ୍ଚୁଛେ ଯାହା ପରିବର୍ତ୍ତନ ହେବା ଦରକାର। ଭାଷାର ସରକାରୀକରଣ ଦ୍ଵାରା ଭାଷା ବଞ୍ଚେ ନାହିଁ, ଏହା ଏକ ସାମୁହିକ ଉଦ୍ୟମ। ଓଡିଶାର ଇତିହାସକୁ ପୁନର୍ଲେଖନ କରିବାର ଆବଶ୍ୟକତା ରହିଛି ବୋଲି ସେ ମନ୍ତବ୍ୟ ରଖିଥିଲେ।
ଅତିଥି ମାନଙ୍କୁ ସମ୍ମାନିତ କରିବା ପରେ ବିଶ୍ୱବିଦ୍ୟାଳୟର ସମ୍ମାନୀୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଓଡିଶାର ସମୃଦ୍ଧ ସଂସ୍କୃତି କିପରି ଓଡିଆ ଜାତି ପାଇଁ ଏକ ପୁଞ୍ଜି ତାହା ଉପରେ ଅଲୋଚନା କରି ଥିଲେ। ଏହି ପରିପ୍ରେକ୍ଷୀରେ ସେ ବିବିଧ ସଂସ୍କୃତି, ଖାଦ୍ୟ, ହସ୍ତଶିଳ୍ପ, ସ୍ଥାପତ୍ଯର ପ୍ରଚାର-ପ୍ରସାର କରିବା ଆବଶ୍ୟକତାରେ ଜୋର ଦେଲେ, ଯାହା ଆମକୁ 2036 ସୁଦ୍ଧା ଏକ ସମୃଦ୍ଧ ଏବଂ ବିକଶିତ ଓଡିଶା ଗଠନରେ ଉପଯୋଗୀ ହେବ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଦ୍ୱାରା ସଂପାଦିତ ଏକ ପୁସ୍ତକ ଉନ୍ମୋଚନ କରାଯାଇଛି, ଯାହା ଓଡିଶାର ମହିଳା ମାନଙ୍କ ଉପରେ ପର୍ଯ୍ୟବେସିତ।
କାର୍ଯ୍ୟକ୍ରମର ସମାପ୍ତି ପରେ ଡା. ସଦାନନ୍ଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
