April 26, 2026

ସନ୍ୟାସ କୁଣ୍ଡାମାଲର ସ୍ତ୍ରୀ ହତ୍ୟା ମାମଲା। ମିଳିଲା ମହିଳାଙ୍କ ମୃତଦେହ

IMG-20260401-WA0023
Share

 

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସ କୁଣ୍ଡାମାଲ ଗ୍ରାମରେ ଗତକାଲି ଗ୍ରାମର ପ୍ରମୋଦ ଚନ୍ଦନ ନାମକ ବ୍ୟକ୍ତି ନିଜ ସ୍ତ୍ରୀ(କସ୍ତୁରୀ ଚନ୍ଦନ)ଙ୍କୁ ହତ୍ୟା କରି, ନିଜେ କୀଟନାସକ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଏବଂ ପରେ ପ୍ରକାଶ କରିଥିଲେ ଯେ’, ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି କେନାଲ ମଧ୍ୟରେ ଫିଙ୍ଗିଦେଇଥିଲେ।ଏହାକୁ ଆଧାର କରି ଜୁନାଗଡ଼ ପୋଲିସ କେନାଲରେ ବହୁତ ଖୋଜାଖୋଜି କରିବାପରେ ମଧ୍ୟ ମୃତ ଦେହ ମିଳିପାରିନଥିଲା।କିନ୍ତୁ ଆଜି ଅଭିଯୁକ୍ତ ପ୍ରମୋଦ ଚନ୍ଦନଙ୍କ ପୁଅ ଯୁବରାଜ ଚନ୍ଦନ ଓ କିଛି ଗ୍ରାମବାସୀ ଚାରି ଆଡ଼େ ଖୋଜା ଖୋଜି କରିବା ପରେ, ସନ୍ଦେହରେ ତାଙ୍କ ଚାଷ ଜମିରେ ଖୋଜାଖୋଜି କରିବାପରେ, ଜମିର ଏକ ହିଡ଼ ନିକଟରେ ପୋତିହୋଇ ରହିଥିବା ମୃତା ମହିଳାଙ୍କ ଶବକୁ ଉଦ୍ଧାର କରିଥିଲେ। ଏହାପରେ ପୁଅ ଯୁବରାଜ ଏନେଇ ଜୁନାଗଡ଼ ପୋଲିସରେ ନିଜ ବାପାଙ୍କ ବିରୋଧରେ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଗ୍ରହଣ କରି ପୋଲିସ ଏକ ମାମଲା(କେ.ନଂ ୧୭ ୩/୨୬)ୠଜ୍ଜୁ କରି ତଦନ୍ତ ଆରମ୍ଭ କରି, ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଥିବାବେଳେ, ପୋଲିସ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ’, ନିଜ ଜମିକୁ କାମ କରିବାକୁ ଯାଇ ସେଠାରେ ଧାନ ବିକା ଟଙ୍କାକୁ ନେଇ ଦୁଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ଏଥିରେ ଉତ୍ୟକ୍ତ ହୋଇ ସ୍ୱାମୀ ପ୍ରମୋଦ ଚନ୍ଦନ ନିଜ ସ୍ତ୍ରୀଙ୍କୁ ଏକ ରମ୍ପା ସାହାଯ୍ୟରେ ହତ୍ୟାକରି ନିଜ ଚାଷଜମି ମଧ୍ୟରେ ପୋତି ଦେଇଥିଲେ। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।