ଲଗାଣ ବର୍ଷାରେ ଭୁଶୁଡିଲା ମାଟି କାନ୍ଥ, ମହିଳା ଗୁରୁତର

ବୋଲଗଡ଼, ୨୯/୧୦ (ସୁଶାନ୍ତ କୁମାର ପ୍ରଧାନ):ବାତ୍ୟା ‘ଅର୍ଣ୍ଣବ’ର ଆଖିରେ ଲୁହ ନାହିଁ। ଦୁଇ ଦିନ ଧରି ସେ ନିରବଚ୍ଛିନ୍ନ ଭାବେ ଝରାଉଛି, କିନ୍ତୁ ତା’ର ପ୍ରତି ବୁନ୍ଦା ବର୍ଷା ଚାଷ ଜମିରେ ନୁହେଁ, ଗରିବର ଭଙ୍ଗା ଛାତ ଉପରେ ହାତୁଡି ପିଟୁଛି।
ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅସରଳା ପଞ୍ଚାୟତ ଦିଆଁନିପାଟଣା ସାହିରେ। ଆଜି ସକାଳେ ଲଗାଣ ବର୍ଷା ଭିତରେ ଚୁଲି ଜଳୁନଥିଲା, ପେଟରେ ଭୋକ। ସେହି ସମୟରେ ଘର ଦାଣ୍ଡ ପିଣ୍ଢାରେ ଠିଆ ହୋଇଥିଲେ କାହ୍ନୁ ଚରଣ ବରାଡ଼ଙ୍କ ପତ୍ନୀ ମଞ୍ଜୁଳତା ବରାଡ଼ (୪୫)। ହଠାତ୍ ଦୁଇ ଦିନର ବର୍ଷାରେ ଭିଜି ନରମ ହୋଇଯାଇଥିବା ମାଟି କାନ୍ଥଟି ଧସି ପଡିଲା ତାଙ୍କ ଉପରେ। ଟାଇଲ୍ ଖଣ୍ଡ ତାଙ୍କ ମୁଣ୍ଡକୁ ଚିରି ଦେଲା, ରକ୍ତରେ ପିଣ୍ଢା ଭିଜିଗଲା। ପରିବାର ଲୋକଙ୍କ ଚିତ୍କାରରେ ଗାଁ ଥରି ଉଠିଲା। ତାଙ୍କୁ ତୁରନ୍ତ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଡାକ୍ତର କହିଛନ୍ତି ଏବେ ବିପଦ ଟଳିଛି, କିନ୍ତୁ ଯନ୍ତ୍ରଣା ଟଳିନି।
ଖବର ପାଇ ବୋଲଗଡ଼ ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା କାନ୍ଥ, ରକ୍ତ ଲାଗିଥିବା ମାଟି ଦେଖି ସ୍ତବ୍ଧ ହୋଇଛନ୍ତି। ତତ୍କାଳ ଜରିପାଲ ଓ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ କରି ସହାୟତା ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପ୍ରଶାସନ ଆଜି ଦୌଡି ଆସିଲା, ଭଲ କଥା। କିନ୍ତୁ ପ୍ରଶାସନ କ’ଣ ଆଗରୁ ଜାଣିନଥିଲା ଯେ ଦିଆଁନିପାଟଣା ସାହିରେ ଶହେରୁ ଅଧିକ ପରିବାର ଏମିତି ଚାଳଛପର ମାଟି ଘରେ ରହୁଛି ବୋଲି?
ଅଧିକାରୀ ବାରମ୍ବାର ସର୍ଭେ କରନ୍ତି, ଫଟୋ ଉଠାନ୍ତି, ଆଧାର ନିଅନ୍ତି, କିନ୍ତୁ ଆବାସ ଯୋଜନାର ଚାବି କାହିଁକି ପହଞ୍ଚେନା? କେବଳ ଘର ଭାଙ୍ଗିଗଲେ, ମୁଣ୍ଡ ଫାଟିଗଲେ ହିଁ ପଲିଥିନ ଖଣ୍ଡେ ଓ ଆବାସ ପ୍ରତିଶ୍ରୁତି ମନେ ପଡେ କି ? ତାଙ୍କ ସ୍ୱାମୀ କାହ୍ନୁ ଚରଣଙ୍କ କୋହଭରା କଣ୍ଠ – “ଆମେ ଗରିବ ଲୋକ ଆଜ୍ଞା। ଅଧିକାରୀ ଆସନ୍ତି, ଦେଖନ୍ତି, ଲେଖନ୍ତି। ହେଲେ ଘର ମିଳେନା। ଆଜି କାନ୍ଥ ପଡିଲା, କାଲି ଛାତ ପଡିବ, ଆମେ କେଉଁଠି ଯିବୁ?”
ବାତ୍ୟା ଅର୍ଣ୍ଣବ ଚାଲିଯିବ, ବର୍ଷା ଛାଡିଯିବ, କିନ୍ତୁ ଏହି ଗରିବ ପରିବାର ପାଇଁ ବିପଦ ଛାଡିବ କି ? ନା ଆଉ ଏକ ମା’ର ମୁଣ୍ଡ ଫାଟିବା ପର୍ଯ୍ୟନ୍ତ ପ୍ରଶାସନ ଅପେକ୍ଷା କରିବ ?
