ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଉନବିଂଶତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ ଓ ପ୍ରଦର୍ଶନୀ
ଭୁବନେଶ୍ୱର(ସୁଧାଂଶୁ ଶେଖର ପରିଡା): ଅକ୍ଟୋବର ୨୩ରୁ ରାଜଧାନୀରେ ଜାତୀୟ ସ୍ତରର ଦୁଇଟି ବଡ଼ ସହରାଞ୍ଚଳ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏଥିରେ ଦେଶର ସହରାଞ୍ଚଳ ପରିବହନ, ସ୍ମାର୍ଟ ସିଟି, ଡିଜିଟାଲ୍ ପ୍ରଯୁକ୍ତି, ସୁଲଭ ଆବାସ, ସହରୀ ଭିତ୍ତିଭୂମି ଓ ନାଗରିକ ସେବାର ଉନ୍ନତି ନେଇ ବ୍ୟାପକ ଆଲୋଚନା ହେବ। ଏହି ଦୁଇଟି କାର୍ଯ୍ୟକ୍ରମ ମଧ୍ୟରେ ରହିଛି ୧୯ତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ (UMI) ସମ୍ମିଳନୀ ଓ ପ୍ରଦର୍ଶନୀ ଏବଂ ଦ୍ୱିତୀୟ ‘ଜାତୀୟ ସହରାଞ୍ଚଳ ସମ୍ମିଳନୀ’। ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଏହି ଦୁଇଟି କାର୍ଯ୍ୟକ୍ରମ ଆୟୋଜିତ ହେବ।
ଫିଡର୍ ସେବା, ମହିଳାଙ୍କ ଅଂଶଗ୍ରହଣ ଓ ପ୍ରଯୁକ୍ତିଭିତ୍ତିକ ଯାତ୍ରୀ ସୁବିଧା ପ୍ରଦର୍ଶିତ ହେବ।
ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ବାଲୁକାକଳା ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଦୀର୍ଘସ୍ଥାୟୀ ପରିବହନର ବାର୍ତ୍ତା ଦିଆଯିବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଧ୍ୟ ସହରର ସ୍ୱଚ୍ଛତା, ଆବାସ, ନଗର ଯୋଜନା, ପାର୍କ, ସବୁଜିମା ଓ ସାର୍ବଜନୀନ ସ୍ଥାନର ବିକାଶ ସମ୍ପର୍କିତ ପଦକ୍ଷେପ ପ୍ରଦର୍ଶନ କରିବେ।
୧୫୦୦ ପ୍ରତିନିଧି, ୪୬ଟି ଗବେଷଣାପତ୍ର; ଗବେଷକଙ୍କୁ ପୁରସ୍କାର
ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀରେ ଯୁବ ଗବେଷକ ଓ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ଗବେଷଣା ସିମ୍ପୋଜିୟମ ଆୟୋଜନ କରାଯିବ। ମୋଟ ୪୬ଟି ଗବେଷଣାପତ୍ର ଚୟନ ହୋଇଥିବାବେଳେ ୨୦ଟି ଗବେଷଣାପତ୍ର ମୌଖିକ ଉପସ୍ଥାପନ ଏବଂ ୨୬ଟି ପୋଷ୍ଟର ମାଧ୍ୟମରେ ପ୍ରଦର୍ଶିତ ହେବ।
ବିଚାରକମାନଙ୍କ ଦ୍ୱାରା ମନୋନୀତ ଶ୍ରେଷ୍ଠ ତିନୋଟି ଗବେଷଣାପତ୍ରକୁ ୨୫ ହଜାର ଟଙ୍କାର ନଗଦ ପୁରସ୍କାର ଏବଂ ସମସ୍ତ ଉପସ୍ଥାପକଙ୍କୁ ପ୍ରମାଣପତ୍ର ଦିଆଯିବ। ଏହା ମାଧ୍ୟମରେ ସହରୀ ପରିବହନ କ୍ଷେତ୍ରରେ ନୂଆ ଚିନ୍ତାଧାରା, ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ମିଳିବ।
ସହରୀ ବିକାଶରେ ଓଡ଼ିଶାର ଭୂମିକା ଉପରେ ନଜର
ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ଏହି ଦୁଇଟି ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ସହରୀ ପରିବର୍ତ୍ତନ ସମ୍ପର୍କିତ ଜାତୀୟ ଆଲୋଚନାରେ ଓଡ଼ିଶାର ଯୋଗଦାନ ଆହୁରି ବୃଦ୍ଧି ପାଇବ। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପ୍ରଯୁକ୍ତିଭିତ୍ତିକ ପରିବହନ, ସୁଗମ ଯାତାୟାତ ଓ ଉନ୍ନତ ନାଗରିକ ସେବା ଯୋଗାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।
ସମ୍ମିଳନୀରେ ଐତିହ୍ୟ ପଦଯାତ୍ରା, ସାଇକେଲ୍ ଟ୍ରେଲ୍ ଓ ସହରୀ ସ୍ଥାନଗୁଡ଼ିକର ପରିଦର୍ଶନ ମାଧ୍ୟମରେ ଭୁବନେଶ୍ୱରର ଐତିହ୍ୟ ଓ ସହରୀ ବିକାଶକୁ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦ ଓ ମହିଳା ଉଦ୍ୟୋଗ ବିକାଶର ଉଦାହରଣ ମଧ୍ୟ ପ୍ରଦର୍ଶିତ ହେବ।
ଦୁଇଟି ସମ୍ମିଳନୀ ମାଧ୍ୟମରେ ସହରୀ ପରିବହନ, ସୁଲଭ ଆବାସ, ଡିଜିଟାଲ୍ ସେବା ଓ ପୌର ପ୍ରଶାସନରେ ନୂଆ ଚିନ୍ତାଧାରା ଏବଂ ଅଭିଜ୍ଞତାର ଆଦାନପ୍ରଦାନ ହେବ। ଏହା ଭବିଷ୍ୟତରେ ଭାରତୀୟ ସହରଗୁଡ଼ିକୁ ଅଧିକ ସୁଗମ, ସମାବେଶୀ, ସ୍ୱଚ୍ଛ ଓ ବାସଯୋଗ୍ୟ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ ବୋଲି ଆଶା କରାଯାଉଛି।
