October 22, 2026

ସନ୍ତୋଷ ହତ୍ଯାକାଣ୍ଡର ଅଭିଯୁକ୍ତ ବସନ୍ତ ଗିରଫ,ଛୁରି ସହ ବାଇକ୍ ଓ ମୋବାଇଲ ଜବତ, ପୋଲିସର ସାମ୍ବାଦିକ ସମ୍ମିଳନୀ …

IMG-20261022-WA0039
Share

ବୁଗୁଡା(ହର ପ୍ରସାଦ ପାଢ଼ୀ)ଗତ ୨୦ ତାରିଖ ବିଜୟାଦଶମୀ ଦିନ ପୂର୍ବାହ୍ନରେ ବୁଗୁଡା ଥାନା ଅନ୍ତର୍ଗତ ମୋଟାବାଡି ରାସ୍ତାରେ ସ୍ଥାନୀୟ ଓଡ଼ିଆ ସାହିର ଯୁବକ ସନ୍ତୋଷ ରାଉତ(୩୦)କୁ ହତ୍ଯାକରି ଫେରାର ଥିବା ସେହି ଓଡ଼ିଆ ସାହିର ଯୁବକ ବସନ୍ତ ନାୟକ(୩୬)କୁ ପୋଲିସ ବାଲୁଗାଁରୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ହତ୍ୟାକାଣ୍ଡରେ ବ୍ଯବହୃତ ବାଇକ୍ ଓ ଛୁରିକୁ ଜବତ କରିଥିବା ବେଳେ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଥାନା ପରିସରରେ ଅନୁଷ୍ଠିତ କରି ସୂଚନା ପ୍ରଦାନ କରିଛନ୍ତି।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏଏସପି ରଞ୍ଜନ କୁମାର ଦେ,ଏସଡିପିଓ ଦୀପକ କୁମାର ମିଶ୍ର, ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ଓ ଏଏସଆଇ ସୁମନ୍ତ କୁମାର ବେହେରା ଉପସ୍ଥିତ ରହି ହତ୍ଯାକାଣ୍ଡର ଖୁଲାସା କରିଥିଲେ।ପୋଲିସର କହିବା ପ୍ରକାରେ ସନ୍ତୋଷ ଓ ବସନ୍ତ ଦୁଇ ବନ୍ଧୁ ଥିଲେ।ଉଭୟଙ୍କ ମଧ୍ୟରେ ଅର୍ଥ ଦେଣନେଣ ସହ ଖରାପ ସମ୍ପର୍କକୁ ନେଇ ତିକ୍ତତା ରହିଥିଲା।ସନ୍ତୋଷର ଜୀବନ ନେବାକୁ ବସନ୍ତ ଯୋଜନା କରିଥିଲା।ଏଣୁ ଯୋଜନା ମୁତାବକ ବସନ୍ତ ଗତ ଦଶହରା ଦିନ ସନ୍ତୋଷକୁ ଫୁସୁଲାଇ ବୁଲାବୁଲି କରି ଯିବାକୁ ଡ଼ାକିଥିଲା।ଉଭୟେ ସନ୍ତୋଷର ବାଇକ(ନଂ-ଓଡି ୩୨ଏ – ୬୬୭୫)ରେ ବସି ମୋଟାବାଡି ରାସ୍ତାରେ ଯାଉଥିବା ସମୟରେ ବାଟରେ ଏକ ନିଛାଟିଆ ସ୍ଥାନରେ ବାଇକ୍ ଅଟକାଇବାକୁ ବସନ୍ତ କହିଥିଲା।ସନ୍ତୋଷ ବାଇକଟିକୁ ଅଟକାଇବା କ୍ଷଣି ବସନ୍ତ ଓହ୍ଲାଇପଡି ସାଥିରେ ନେଇଥିବା ଏକ ତୀକ୍ଷଣ ଛୁରିରେ ସନ୍ତୋଷକୁ ଆକ୍ରମଣ କରିଥିଲା।ସେ ତଳେ ପଡିଯିବା ପରେ ତା’ର ତଣ୍ଟିକୁ କାଟି ଦେଇଥିଲା।ପ୍ରଚୁର ରକ୍ତସ୍ରାବ ସହ ସନ୍ତୋଷ ଛଟପଟ ହୋଇ ମୃତ୍ୟୁବରଣ କରିଥିଲା। ସନ୍ତୋଷର ମୃତ ଶରୀରକୁ ଘୋଷାରି ନେଇ ରାସ୍ତାକଡ ଜଙ୍ଗଲରେ ପକାଇ ଦେଇ ତା’ର ମୋବାଇଲ ଓ ବାଇକ୍ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।ଏହି ସମୟରେ ହତ୍ଯାକାରୀ ବସନ୍ତର ମୋବାଇଲଟି ଘଟଣା ସ୍ଥଳରେ ଖସିପଡିଥିଲା।କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେଠାରେ ପଡ଼ିଥିବା ମୋବାଇଲଟିକୁ ହାତେଇବା ସହ ମୃତ ସନ୍ତୋଷର ଶବକୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲା। ପୋଲିସ ଘଟଣା ସ୍ଥଳରୁ ପାଇଥିବା ମୋବାଇଲଟିକୁ ଆଧାର କରି ହତ୍ଯାକାରୀ ସମ୍ପର୍କେ ସୁରାକ ପାଇଥିଲା। ଏ ନେଇ ସନ୍ତୋଷଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୫୨୨/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଘଟଣାର ପରଦିନ ଅପରାହ୍ନରେ ଶତାଧିକ ସାହିବାସିନ୍ଦା ଫେରାର ହତ୍ଯାକାରୀକୁ ତୁରନ୍ତ ଗିରଫ କରିବା ଦାବି ନେଇ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ସନ୍ଧ୍ୟାରେ ଏକ କ୍ଯାଣ୍ଡେଲ୍ ଶୋଭାଯାତ୍ରା କରି ପୋଲିସ ଉପରେ ଚାପ ପକାଇଥିଲେ। ତେବେ ଚାପଗ୍ରସ୍ତ ପୋଲିସ ହତ୍ଯାକାରୀ ବସନ୍ତକୁ ଗିରଫ କରିବାରେ ସଫଳ ହୋଇ ସାମ୍ବାଦିକ ସମ୍ମିଳନୀର ଆହ୍ବାନ କରିଥିଲେ ହେଁ କେଉଁଥି ପାଇଁ ବନ୍ଧୁ ବସନ୍ତ ବଇରୀ ସାଜି ଏଭଳି ଜଘନ୍ଯ ହତ୍ଯାକାଣ୍ଡ ଭିଆଇଲା ସେନେଇ ଯୁକ୍ତି ସଙ୍ଗତ ତଥ୍ଯ ଉପସ୍ଥାପନ କରିପାରିନଥିଲା।