ଝଙ୍କଡ଼ ସାରଳାପୀଠରେ ମହାଷ୍ଟମୀ ଦିନ ଶେଷହେଲା ଷୋଳପାର୍ବଣ ପୂଜା
=ତିର୍ତ୍ତୋଲ ତା 18/10/2026 ଗତ ଅକ୍ଟୋବର ତିନିତାରିଖ ଶନିବାର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ସାର୍ବଜନୀନ ଶାରଦୀୟ ଷୋଳପାର୍ବଣ ପୂଜା ରବିବାର ମହାଷ୍ଟମୀ ଦିନ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ପ୍ରାତଃ ସମୟରେ ମାଆଙ୍କ ପହୁଡ଼ ଖୋଲାନୀତି ପରେ ମଙ୍ଗଳଆଳତୀ ଦର୍ଶନ ପାଇଁ ପ୍ରବଳ ଭକ୍ତସମାଗମ ଦେଖିବାକୁ ମିଳିଥିଲା l ମଧୁସ୍ନାନ, ଚୁଆହଳଦୀ ଓ ପଞ୍ଚାମୃତ ମାର୍ଜନା ପରେ ମାଆଙ୍କୁ ଅଭିନଵବେଶରେ ସଜ୍ଜିତ କରାଯାଇ, ସ୍ବର୍ଣ୍ଣl ଳଙ୍କାର ମଣ୍ଡିତ କରାଯିବା ପରେ, ଶ୍ରୀ ଜଗନ୍ନାଥ ଙ୍କ ମହାପ୍ରସାଦ ସମର୍ପଣ କରାଯାଇଥିଲା l ବାଳଭୋଗ ପୂଜା, ପାଞ୍ଜିପାଠ, ସମୂହଚଣ୍ଡୀପାଠ, ପ୍ରଥମପ୍ରହର ଧୂପ, ବଡ଼ସିଂହାର, ଷୋଡଶଉପଚାର ପୂଜା, ଦ୍ୱିତୀୟ ପ୍ରହରଧୂପ ଓ ବିଶ୍ଵଶାନ୍ତିଯଜ୍ଞ ରେ ଆହୁତିପ୍ରଦାନ ପରେ ପହୁଡ଼ ପଡିଥିଲା l ଅପରାହ୍ନରେ ମାର୍ଜନା, ପୁରୀ ମରିଚଲଡ଼ୁ ପୂଜା, ସନ୍ଧ୍ୟାରେ ଅପୂର୍ବ ମହିଷାମର୍ଦ୍ଦିନୀ ବେଶ ଦର୍ଶନ, ରାତ୍ରୀ ନଅଟାବେଳେ ମନୋରମ ସମ୍ପୂର୍ଣ୍ଣ ସୁନାବେଶରେ ମାଆ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ l ଏହାପରେ ମାଆଙ୍କ ଚଳନ୍ତିପ୍ରତିମା ବିଜେପ୍ରତିମା ଙ୍କୁ ସୁସଜ୍ଜିତ ବିମାନ ଆରୋହଣ କରାଯାଇ, ବର୍ଣ୍ଣାଢ୍ୟ ପଟୁଆର ମଧ୍ୟରେ ପ୍ରାଚୀନପୀଠସ୍ଥଳୀ ବଡସାରୋଳ ଗ୍ରାମର ଲଣ୍ଡାଦେଉଳ କୁ ଦାଣ୍ଡଯାତ୍ରା ବା ନଗରପରିକ୍ରମା ରେ ନିଆଯାଇଥିଲା l ସେଠାରେ ପୂଜାର୍ଚ୍ଚନା ପାଇ ସ୍ୱପୀଠ କୁ ଫେରିଆସିବା ପରେ, ମନ୍ଦିର ସୌଧ କରାଯାଇ, ମାଆଙ୍କୁ ମହାସ୍ନାନ କରାଯିବାପରେ ସନ୍ଧିପୂଜା ବସିଥିଲା l ଏହି ପୂଜାରେ ମାଆ ଶହଶହ ପାଟଶାଢ଼ୀ ପିନ୍ଧିଲାପରେ ବେତାବେତା ପଦ୍ମଫୁଲ ମାଳ ପରିଧାନ କରିବାପରେ, ଶହେଆଠପ୍ରକାର ଭୋଗ ସହିତ ଏକ ବଳୀପଣାହାଣ୍ଡି ମାଆଙ୍କୁ ଭୋଗଲାଗି ହୋଇଥିଲା l ଏହିସମୟରେ ବିଦ୍ୟୁତସରବରାହ ବନ୍ଦ କରାଯାଇଥିବାବେଳେ ଭକ୍ତମାନେ ମନ୍ଦିର ବେଢା ଚତୁଃପାର୍ଶ୍ଵରେ ମାନସିକ ଦୀପଜାଳି ମନ୍ତ୍ରଜପ କରିଥିଲେ l ପ୍ରାତଃ ସମୟରେ ସନ୍ଧିପୂଜାର ସମାପ୍ତିହେବା ସହିତ ଦୀର୍ଘ ଷୋଳଦିନ ହେବା ଚାଲିଥିବା ବିଶ୍ଵଶାନ୍ତିଯଜ୍ଞ ର ମଧ୍ୟ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା l ତେବେ ନିଶାର୍ଦ୍ଧରେ କାଳୀକାନୃତ୍ୟ ପରିକ୍ରମା ଦେଖିବାକୁ ଭକ୍ତମାନେ ଉଲ୍ଲସିତ ହୋଇଉଠିଥିଲେ l ବିଶେଷକରି ମଣ୍ଡାଭୋଗ ଓ ଚୁଡାଘସା ଭୋଗ ଏହି ମହାଷ୍ଟମୀ ରେ ମାଆଙ୍କ ନିକଟରେ ଭୋଗଲାଗି ହୋଇଥାଏ l ପ୍ରାୟ ପଚାଶହଜାର ରୁ ଅଧିକ ଜନସମାଗମ କୁ ଦୃଷ୍ଟିରେ ରଖି ପ୍ରଶାସନତରଫରୁ ଶାନ୍ତିଶୃଙ୍ଖଳା ରକ୍ଷା, ଶୁଙ୍ଖଳିତ ଦର୍ଶନ ଓ ଯାନବାହାନ ନିୟନ୍ତ୍ରଣ ଆଦି କ୍ଷେତ୍ରରେ ବ୍ୟାପକ ପୋଲିସ ମୃତୟନ କରାଯାଇଥିବା ବେଳେ, ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ତିର୍ତ୍ତୋଲ ଥାନା ଏସ ଡି ପି ଓ ଅଜୟ କୁମାର ଦାସ, ଆଇ ଆଇ ସି ବଂଶୀଧର ପ୍ରଧାନ, କନକପୁର ପୋଲିସ ଫାଣ୍ଡି ଅଧିକାରୀ ବିଶ୍ୱଜିତ ଗଡ଼ନାୟକ ଓ ମନ୍ଦିର ଫାଣ୍ଡି ଅଧିକାରୀ ସଞ୍ଜିବ କୁମାର ରାଉତ ଙ୍କ ସମେତ ଜିଲ୍ଲାର ଅଭିଜ୍ଞ ପୋଲିସ ଅଧିକାରୀ ମାନଙ୍କୁ ନିଯୁକ୍ତ କରାଯାଇଥିଲା l ତେବେ ଏହି ଶାରଦୀୟ ପାର୍ବଣପୂଜାରେ ମାଆଙ୍କ ନୀତିକାନ୍ତି ପାଇଁ ପୁରୋହିତ, ବଡ଼ପଣ୍ଡା, ପରିଛା, ସମସ୍ତସେବାୟତ, ଛତିଶl ନିଯୋଗ ମାନେ ନିୟୋଜିତହୋଇ, ବୈଦିକଵିଧିବିଧାନ ରେ ନିଜନିଜର ଦାୟିତ୍ୱସମ୍ପନ୍ନ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
