October 14, 2026

ବିଶିଷ୍ଟ ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡା. ରମଣୀରଞ୍ଜନ ହୋତାଙ୍କ ପରଲୋକ ୮୫ ବର୍ଷ ବୟସରେ ଆଖି ବୁଜିଲେ, ଚିକିତ୍ସା ଜଗତରେ ଶୋକର ଛାୟା

IMG-20261014-WA0099
Share

 

 

ସମ୍ବଲପୁର, ୧୪/୧୦: ସମ୍ବଲପୁରର ବିଶିଷ୍ଟ ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡା. ରମଣୀରଞ୍ଜନ ହୋତାଙ୍କର ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ସମ୍ବଲପୁରର ଚିକିତ୍ସା ଜଗତ ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ଗୁରୁବାର ସମ୍ବଲପୁର ରାଜଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି।

 

ସମ୍ବଲପୁର ସହରର ଧୁଚୁରାପଡ଼ାସ୍ଥିତ ବ୍ରିଜଧାମର ବାସିନ୍ଦା ଡା. ହୋତା ହୀରାକୁଦ ବୁଡ଼ି ଅଞ୍ଚଳର ତିହୁରା ଗ୍ରାମର ମୂଳବାସିନ୍ଦା ଥିଲେ। ସେ ଲରମ୍ଭା ହାଇସ୍କୁଲ, ଗଙ୍ଗାଧର ମେହେର କଲେଜ ଏବଂ ବୁର୍ଲା ମେଡିକାଲ କଲେଜରେ ଶିକ୍ଷା ଲାଭ କରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। କଳାହାଣ୍ଡି ଜିଲ୍ଲାର ଉଦିତନାରାୟଣପୁର ଡାକ୍ତରଖାନାରେ ସରକାରୀ ଚାକିରିରେ ଯୋଗଦେଇ ସେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ।

 

ଦୀର୍ଘ କର୍ମମୟ ଜୀବନରେ ସେ ସୁନ୍ଦରଗଡ଼, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିଲେ। ପରେ ବରପାଲି ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମ୍‌ଓ) ଭାବେ କାର୍ଯ୍ୟ କରି ୨୦୦୦ ମସିହାରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ।

 

ତାଙ୍କ ବିୟୋଗରେ ଏକ ଅଭିଜ୍ଞ ଚିକିତ୍ସା ବ୍ୟକ୍ତିତ୍ୱଙ୍କୁ ହରାଇଛି ସମାଜ। ତାଙ୍କ ପଛରେ ପତ୍ନୀ ସାବିତ୍ରୀ, ବିବାହିତା କନ୍ୟା ସ୍ମିତା ଓ ସ୍ନିଗ୍ଧା, ପୁତ୍ର ଶୁଭେନ୍ଦୁଙ୍କ ସମେତ ପରିବାରବର୍ଗ ରହିଛନ୍ତି।

You may have missed