October 14, 2026

ବାଦ୍‌ ପଡ଼ିଥିବା ଓ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ

IMG-20261013-WA0074
Share

 

 

ସମ୍ବଲପୁର 13/10/26: ଭାରତ ନିର୍ବାଚନ ଆୟୋଗ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ଜିଲ୍ଲା ସାରା ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଏକ ବ୍ୟାପକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ସ୍ୱତନ୍ତ୍ର ନିବିଡ଼ ସଂଶୋଧନ ପ୍ରକ୍ରିୟା ପରେ ଜିଲ୍ଲାର କୌଣସି ବି ଯୋଗ୍ୟ ନାଗରିକ, ବାଦ୍‌ ପଡ଼ିଥିବା ଭୋଟର କିମ୍ବା ନୂତନ ଯୁବ ଭୋଟର ଯେପରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି କ୍ରମରେ ଆଜି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

 

ଏହି ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ରର ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ମାନେ ବର୍ତ୍ତମାନର ଚୂଡ଼ାନ୍ତ ଭୋଟର ତାଲିକା ସହିତ SIR ପୂର୍ବର ଭୋଟର ତାଲିକା ର ତୁଳନା କରିବେ ଏବଂ ବାଦ୍‌ ପଡ଼ିଥିବା ଯୋଗ୍ୟ ଭୋଟରଙ୍କ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିବେ। ଏହାପରେ ବିଏଲ୍‌ଓମାନେ ଚିହ୍ନଟ ହୋଇଥିବା ଭୋଟରଙ୍କ ଘରକୁ ଘର ବୁଲି ସତ୍ୟାପନ କରିବା ସହ ପ୍ରତି ସପ୍ତାହରେ ଅତି କମରେ ୨୦ ରୁ ୨୫ ଜଣ ଭୋଟରଙ୍କୁ ସାମିଲ କରି ଆସନ୍ତା ଗୋଟିଏ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବେ। ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରୁଥିବା ସମସ୍ତ ନୂତନ ଯୁବକ-ଯୁବତୀ, ଯୋଗ୍ୟ ନାଗରିକ ଓ ବାଦ୍‌ ପଡ଼ିଥିବା ଭୋଟରଙ୍କ ନାମ ଫର୍ମ-୬ ମାଧ୍ୟମରେ ସାମିଲ କରାଯିବ।

 

ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ପାରଦର୍ଶିତା ବଜାୟ ରଖିବା ପାଇଁ ବିଏଲ୍‌ଓମାନଙ୍କ ଦ୍ୱାରା ପ୍ରସ୍ତୁତ ତାଲିକା ସମସ୍ତ ରାଜନୈତିକ ଦଳର ବୁଥ୍ ଲେଭେଲ ଏଜେଣ୍ଟ (ବିଏଲ୍‌ଏ) ମାନଙ୍କ ସହ ସେୟାର କରାଯିବ ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ) ମାନେ ଚୂଡ଼ାନ୍ତ ବୁଥ୍-ୱାରୀ ତାଲିକା ପ୍ରତିନିଧିମାନଙ୍କୁ ପ୍ରଦାନ କରିବେ। ଏଥିସହିତ ସାଧାରଣ ନାଗରିକ ଓ ଯୁବବର୍ଗଙ୍କୁ ଏହି ପ୍ରକ୍ରିୟା ସମ୍ପର୍କରେ ସଚେତନ କରିବା ପାଇଁ ବୈଠକରେ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ବିଶେଷ ଭାବେ ଅନୁରୋଧ କରାଯାଇଛି।

 

ଏହି ଅଭିଯାନକୁ ସଫଳ କରିବା ପାଇଁ ସମ୍ବଲପୁର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସମସ୍ତ ନାଗରିକ, ଯୁବବର୍ଗ ଏବଂ ରାଜନୈତିକ ଦଳଗୁଡ଼ିକୁ ବିଏଲ୍‌ଓମାନଙ୍କ ଗୃହ ଗସ୍ତ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଯୋଗ୍ୟ ନାଗରିକମାନେ ନିଜର ଫର୍ମ-୬ ଆବେଦନ ‘Voter Services Portal’ କିମ୍ବା ‘Voter Helpline App’ ମାଧ୍ୟମରେ ଅନଲାଇନ୍ କରିପାରିବେ କିମ୍ବା ନିଜ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ନିକଟରେ ଅଫଲାଇନ୍ ମାଧ୍ୟମରେ ଦାଖଲ କରିପାରିବେ।

You may have missed