October 14, 2026

ଗଜପତି:- ମକ୍ ଡ୍ରିଲ୍ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲାର କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20261013-WA0074
Share

    ମାଇ ଭାରତ ଗଜପତି ପକ୍ଷରୁ ଆଜି ନୂଆଗଡ ବ୍ଲକ୍ ଅନ୍ତର୍ଗତ ଖଜୁରିପଦା ସ୍ଥିତ ବାବା ସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି।

  ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ବେମୁଲାୱାଡା’ଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ସମୟରେ ସୁରକ୍ଷା, ପ୍ରସ୍ତୁତି ଓ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

     ମାଇ ଭାରତର ଷ୍ଟାଫ୍ ଶ୍ରୀ ଏ. ମହେଶ୍ୱର ରାଓ ଏବଂ ନୂଆଗଡ଼ ବ୍ଲକର ମାଇ ଭାରତ ସ୍ୱେଚ୍ଛାସେବୀ ଶ୍ରୀ ବିପ୍ର ପାଇକ ଓ ଶ୍ରୀ ମନୋଜ ପାଇକ’ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା।

  ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରେମଚନ୍ଦ୍ର ସିଂହ ଏବଂ ସହକାରୀ ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପାଲରା ଛାତ୍ରଛାତ୍ରୀ ମାନଙ୍କୁ ବିପର୍ଯ୍ୟୟ ସମୟରେ ସଚେତନ ଓ ପ୍ରସ୍ତୁତ ରହିବା ସହ ନିଜର ତଥା ଅନ୍ୟମାନଙ୍କ ଜୀବନ ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

  ଏହି ଅବସରରେ ଅଗ୍ନିଶମ ବିଭାଗର କର୍ମଚାରୀ ଶ୍ରୀ ଗୁରୁ ବେହେରା, ଶ୍ରୀ ସଞ୍ଜୟ ସାହୁ, ଶ୍ରୀ ସଦାନନ୍ଦ ପଣ୍ଡା ଓ ଅନ୍ୟ କର୍ମଚାରୀ ମାନଙ୍କ ଦ୍ଵାରା ଏକ ସଚେତନତାମୂଳକ କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାପ କାମୁଡ଼ା, ଭୂସ୍ଖଳନ, ଭୂମିକମ୍ପ, ଅଗ୍ନିକାଣ୍ଡ, ବଜ୍ରପାତ ଓ ବନ୍ୟା ଭଳି ପ୍ରାକୃତିକ ତଥା ମାନବ ସୃଷ୍ଟି ବିପର୍ଯ୍ୟୟ ସମୟରେ କିପରି ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସହାୟତା କରାଯାଇପାରିବ, ସେ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ ।

       ଖଜୁରିପଦା ଅଞ୍ଚଳରେ ଭୂସ୍ଖଳନ ଜନିତ ବିପଦକୁ ଦୃଷ୍ଟିରେ ରଖି ବିପଦପ୍ରବଣ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା, ପ୍ରଶାସନର ଜରୁରୀ ସୂଚନା ଅନୁସରଣ କରିବା ଏବଂ ଉଦ୍ଧାରକାରୀ ଦଳକୁ ସହଯୋଗ କରିବା ଉପରେ ବିଶେଷ ଆଲୋକପାତ କରାଯାଇଥିଲା।

    ସେହିପରି ସାପ କାମୁଡ଼ା ଘଟଣାରେ ତୁରନ୍ତ ଚିକିତ୍ସା ସହାୟତା ନେବା ଏବଂ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।

     ପରେ ବିପର୍ଯ୍ୟୟ ସଚେତନତା ଓ ପ୍ରସ୍ତୁତି ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିତର୍କ ପ୍ରତିଯୋଗିତା ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇ ବିପର୍ଯ୍ୟୟ ସମୟରେ ସଚେତନତା, ପ୍ରସ୍ତୁତି ଓ ସାମୂହିକ ଦାୟିତ୍ୱ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରା ଯାଇଥିଲା।

————————-::—————

   ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————

You may have missed