ବୁଗୁଡ଼ା ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ
ବୁଗୁଡା : ତା ୦୮/୧୦/୨୬ :(ହର ପ୍ରସାଦ ପାଢି) ଏମଏମଡିଆର(ସଂଶୋଧନ) ଆଇନ ରଦ୍ଦ, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ଯ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ଯା ପ୍ରଭାବିତ ଲୋକଙ୍କୁ ପର୍ଯ୍ଯାପ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା ଆଦି ଚାରି ଦଫା ଦାବି ନେଇ “ଇଣ୍ଡି” ମେଣ୍ଟ ପକ୍ଷରୁ ଗୁରୁବାର ଦିନ ସକାଳ ୬ରୁ ସନ୍ଧ୍ଯା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ବୁଗୁଡା ସହରରେ ଏହାର ଆଂଶିକ ପ୍ରଭାବ ପଡିଥିଲା। “ଇଣ୍ଡି” ମେଣ୍ଟର ବନ୍ଦ ଡାକରାକୁ ସମର୍ଥନ ଜଣାଇବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଗଣତାନ୍ତ୍ରିକ ଭାବେ ପ୍ରଚାର ଓ ପିକେଟିଂ କରାଯାଇଥିଲା। ଏଥିରେ ବ୍ଲକ କଂଗ୍ରେସ ସଭାପତି ଶଙ୍କର ବେହେରା, ଏନ୍ଏସି ସଭାପତି ସୁବ୍ରତ କୁମାର ପଟ୍ଟନାୟକ, ଜାନକୀ ବଲ୍ଲଭ ରାଉତ, ସୁଜିତ ସ୍ବାଇଁ, ସିମାଞ୍ଚଳ ଖଟେଇ, ମାନସ ରଞ୍ଜନ ଦାଶ, ଅଶୋକ ବିଷୋୟୀ, ବିଷ୍ଣୁ ଜେନା ପ୍ରମୁଖ ସାମିଲ ରହିଥିଲେ। ଛାତ୍ରଛାତ୍ରୀଙ୍କ ପରୀକ୍ଷା, ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ୟ, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ, ଅନ୍ଯାନ୍ଯ ଜରୁରୀ ସେବା ଓ ଖବର ସଂଗ୍ରହରେ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ବାଧା ଦିଆଯାଇନଥିଲା ବେଳେ ବସ୍, ଅଟୋ, ଟ୍ରକ ଭଳି ବାଣିଜ୍ୟିକ ଯାନବାହାନ ଚଳଚଳ ବନ୍ଦ ସାଙ୍ଗକୁ ଦୋକାନ, ବଜାର , ବ୍ଯବସାୟିକ ପ୍ରତିଷ୍ଠାନ ସାଙ୍ଗକୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯାଳୟ ଓ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା। ବୁଗୁଡାର ଗ୍ରାମାଞ୍ଚଳରେ ଏହି ବନ୍ଦ ଡାକରାର ପ୍ରଭାବ ଖାସ ନଥିଲା ବେଳେ କଂଗ୍ରେସ ଦଳର ପିକେଟିଂ ଯୋଗୁଁ ସହରାଞ୍ଚଳରେ ପୂର୍ବାହ୍ନରେ ଦୋକାନ ବଜାର ବନ୍ଦ ରହିଥିଲା ଏବଂ ଅପରାହ୍ନ ବେଳକୁ ବନ୍ଦ ପାଳନରେ ଶିଥିଳତା ଦେଖାଯାଇଥିଲା । ତେବେ ବନ୍ଦ ପାଳନ ବେଳେ କୋଣସି ପ୍ରକାର ଅପ୍ରିତିକର ଘଟଣାକୁ ଏଡାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍ ମୁତୟନ ହୋଇଥିଲେ ଏବଂ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା।
