October 8, 2026

ତାଳକୁରୁଣିଆରେ ଯୁବ ଜାଗୃତି ସାହିତ୍ୟ ମଞ୍ଚ ର ନିଆରା ‘ପୂଜ୍ୟ ପୂଜା’ କାର୍ଯ୍ୟକ୍ରମ,ବରିଷ୍ଠଙ୍କୁ ପୂଜିଲେ, ଆଶୀର୍ବାଦ ନେଲେ ଯୁବପିଢ଼ି

IMG-20261008-WA0076
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ଜୀବନର ଅଭିଜ୍ଞତା ଓ ସଂସ୍କାରର ପାଠ ନେଇ ବରିଷ୍ଠମାନେ ଆଗାମୀ ପିଢ଼ି ପାଇଁ ପଥପ୍ରଦର୍ଶକ। ଏହି ଭାବନାକୁ ନେଇ ଯୁବପିଢ଼ି ଓ ବରିଷ୍ଠଙ୍କ ମଧ୍ୟରେ ଭାବର ସେତୁ ଗଢ଼ିବାର ଏକ ନିଆରା ପ୍ରୟାସ କରିଛି ଯୁବ ଜାଗୃତି ସାହିତ୍ୟ ମଞ୍ଚ।ବାହାନଗା ବ୍ଲକ ତାଳକୁରୁଣିଆ ଗ୍ରାମର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମଞ୍ଚ ପକ୍ଷରୁ ‘ପୂଜ୍ୟ ପୂଜା’ ଓ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଆୟୋଜିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ନାଗରିକଙ୍କୁ ପୂଜାର୍ଚ୍ଚନା କରି ସମ୍ମାନ ଜଣାଯିବା ସହ ଯୁବପିଢ଼ି ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ବରିଷ୍ଠମାନଙ୍କ ଜୀବନ ସଂଘର୍ଷ, ଅନୁଭବ ଓ ମୂଲ୍ୟବୋଧରୁ ଯୁବପିଢ଼ି ଶିକ୍ଷା ଗ୍ରହଣ କରିବା ସହ ସେମାନଙ୍କ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ଅବସରପ୍ରାପ୍ତ ବୃତ୍ତିଶିକ୍ଷକ ତଥା ଅନୁଷ୍ଠାନର ସଭାପତି କୃତିବାସ ଚନ୍ଦ୍ର ବେଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋପାଳପୁର ଥାନା ଏସ୍‌ଆଇ ଭାଗବତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠଙ୍କ ଅନୁଭବ ଓ ଆଶୀର୍ବାଦ ଯୁବପିଢ଼ିକୁ ଜୀବନରେ ସଠିକ୍‌ ଦିଗ ଦେଖାଇପାରିବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ କରୁଣାକର ଶଙ୍ଖୁଆ ଯୋଗଦେଇ ବରିଷ୍ଠମାନଙ୍କୁ କେବଳ ଏକ ଦିନ ସମ୍ମାନ ଦେଲେ ହେବନାହିଁ, ଦୈନନ୍ଦିନ ଜୀବନରେ ସେମାନଙ୍କ ପ୍ରତି ଯତ୍ନ, ସମ୍ମାନ ଓ ଆତ୍ମୀୟତା ରଖିବା ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ସମାଜସେବୀ ତଥା ବିଶ୍ୱବନ୍ଧୁ ପରିଷଦର ରାଜ୍ୟ ସଦସ୍ୟ ହରିହର ତ୍ରିପାଠୀ ଯୋଗଦେଇ ‘ପୂଜ୍ୟ ପୂଜା’ର ମହତ୍ତ୍ୱ ବ୍ୟାଖ୍ୟା କରିଥିଲେ। ଏବଂ ବରିଷ୍ଠମାନଙ୍କ ସୁଖଦୁଃଖରେ ଯୁବକମାନେ ସାଥୀ ହୋଇ ଠିଆ ହେବା ସହ ସେମାନଙ୍କ ଅନୁଭବକୁ ଜୀବନର ପାଥେୟ କରିବାକୁ ସେ ଆହ୍ୱାନ ଦେଇଥିଲେ।ଉପସଭାପତି ରବିନ୍ଦ୍ର ମହାରଣା ଓ ସମ୍ପାଦକ ଆଲୋକଜ୍ୟୋତି ମହାରଣା ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଯୁବପିଢ଼ିର ସାମାଜିକ ଦାୟିତ୍ୱ ଉପରେ ମତ ରଖିଥିଲେ। ଏହି ଅବସରରେ ତାଳକୁରୁଣିଆ ଗ୍ରାମର ୫୦ ଜଣ ବରିଷ୍ଠ ମହିଳା ଓ ପୁରୁଷଙ୍କୁ ସାଲ, ଶ୍ରୀମଦ୍‌ଭଗବଦ୍‌ଗୀତା ଓ ଶ୍ରୀଜଗନ୍ନାଥଙ୍କ ପଟଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନ ପାଇବା ପରେ ବରିଷ୍ଠମାନଙ୍କ ଆଶୀର୍ବାଦରେ ମନ୍ଦିର ପ୍ରାଙ୍ଗଣରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୋଦ ପାଡ଼ି,ବସନ୍ତ ମହାରଣା କମଳାକାନ୍ତ ମହାରଣା, ଓମପ୍ରକାଶ ମହାରଣା, ଆକାଶ ଦଳେଇ, ଦୀପକ ଜ୍ୟୋତି ମହାରଣା, ତିଲକ କୁମାର ବେହେରା, ସନ୍ତୋଷ କୁମାର ବେହେରା ଓ ତୃଷ୍ଣାମୟୀ ଆଚାର୍ଯ୍ୟ, ପ୍ରମୁଖ ସହଯୋଗ କରିଥିଲେ। ବହୁ ବୁଦ୍ଧିଜୀବୀ, ସାହିତ୍ୟପ୍ରେମୀ, ଯୁବକ ଓ ମହିଳାଙ୍କ ଉପସ୍ଥିତିରେ ଆୟୋଜନଟି ସଫଳ ହୋଇଥିଲା।