October 7, 2026

ଅଦିନିଆ ଝଡ଼ ତୋଫାନରେ ପଡିଆବାହାଲ ଅଞ୍ଚଳ ବେହାଲ ଗଛ ଭାଙ୍ଗି ରାସ୍ତା ଅବରୋଧ, ବିଦ୍ୟୁତ ଖୁମ୍ବ ଓ ତାର କ୍ଷତିଗ୍ରସ୍ତ; ସାପ୍ତାହିକ ହାଟରେ ବ୍ୟବସାୟୀ ହନ୍ତସନ୍ତ ସାରା ଅଞ୍ଚଳ ଅନ୍ଧାର 

IMG-20261006-WA0136
Share

 

 

ସମ୍ବଲପୁର /ପଡିଆବାହାଲ,

ଅଦିନିଆ ଝଡ଼ ତୋଫାନ ଯୁଯୋମୁରା ବ୍ଲକର ପଡିଆବାହାଲ ଅଞ୍ଚଳରେ ପ୍ରକୃତିର ପ୍ରକୋପ ଦେଖାଇଛି। ମଙ୍ଗଳବାର ଅପରାହ୍ନରେ ହଠାତ୍ ପ୍ରବଳ ପବନ ସହ ଝଡ଼ ହେବାରୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିବା ସହ ରାସ୍ତା ଅବରୋଧ ହୋଇଛି। ବିନାୟକଡେରା ଅଞ୍ଚଳରେ ଗଛ ପଡ଼ି ବିଦ୍ୟୁତ ଖୁମ୍ବ ଓ ତାର ଛିଣ୍ଡିଯିବାରୁ ପଡିଆବାହାଲ ସମେତ ଆଖପାଖ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇ ଅନ୍ଧାର ଛାଇଯାଇଛି।

 

ପଡିଆବାହାଲ-ନୁଆଁମୁଣ୍ଡା ରାସ୍ତାରେ ଗଛ ଭାଙ୍ଗି ପଡ଼ିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ସ୍ଥାନୀୟ ଲୋକେ ରାସ୍ତାରୁ ଗଛ ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ କରିଥିଲେ।

 

ଅନ୍ୟପକ୍ଷରେ ଝଡ଼ର ପ୍ରଭାବ ପଡିଆବାହାଲ ସାପ୍ତାହିକ ହାଟ ଉପରେ ମଧ୍ୟ ପଡ଼ିଛି। ପ୍ରବଳ ପବନରେ ବ୍ୟବସାୟୀଙ୍କ ତାର୍ପୋଲିନ ଉଡ଼ିଯିବା ସହ ବିକ୍ରୟ ସାମଗ୍ରୀ ଭିଜିଯାଇଥିବା ଜଣାପଡ଼ିଛି। ଏଥିରେ ବ୍ୟବସାୟୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।

 

ବିଦ୍ୟୁତ ସରବରାହ ବ୍ୟାହତ ହେବା ପରେ ଟିପିଡବ୍ଲୁଡିଏଲ ପକ୍ଷରୁ ତ୍ୱରିତ ସେବା ଯୋଗାଇବା ପାଇଁ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। କ୍ଷତିଗ୍ରସ୍ତ ବିଦ୍ୟୁତ ଖୁମ୍ବ ଓ ତାର ମରାମତି କରି ଶୀଘ୍ର ବିଦ୍ୟୁତ ସରବରାହ ସ୍ୱାଭାବିକ କରିବାକୁ ବିଭାଗୀୟ କର୍ମଚାରୀମାନେ ତତ୍ପର ହୋଇଛନ୍ତି।

 

ଅଦିନିଆ ଝଡ଼ରେ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ସଠିକ୍ ଆକଳନ ହୋଇନଥିବା ବେଳେ ଅଞ୍ଚଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ବିଦ୍ୟୁତ ସରବରାହ ଶୀଘ୍ର ସ୍ୱାଭାବିକ ହେବା ସହ ରାସ୍ତାରୁ ଅବରୋଧ ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।